ନିର୍ବାଚନ ବୈତରଣୀ ପାର ହେବା ପାଇଁ ଚଳିତ ବଜେଟ୍ ଉର୍ଦ୍ଦିଷ୍ଟ:କଂଗ୍ରେସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଯେଉଁ ବଜେଟ୍ ଉପସ୍ଥାପନ କରିଛନ୍ତି ତାହା ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରିବା ପରିବର୍ତେ ରାଜ୍ୟ ଅର୍ଥନୀତିରେ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି । ରାଜ୍ୟ ସରକାର ଆସନ୍ତା ନିର୍ବାଚନ ବୈତରଣୀ ପାର ହେବା ପାଇଁ ଏବଂ ଚାଷୀ, ନିମ୍ନ ମଧ୍ୟବିତ ଚାଷୀ ଏବଂ ଗ୍ରାମାଂଚଳର ବୟସ୍କ ବ୍ୟକ୍ତିମାନଙ୍କର ଭୋଟକୁ ହାତେଇବା ପାଇଁ ଯେଉଁ ବଜେଟ୍ ର ବ୍ୟବସ୍ଥା କରିଛନ୍ତି, ତାହା ପ୍ରକୃତରେ ଚାଷୀମାନଙ୍କର ଆର୍ଥିକ ସ୍ଥିତିର ପରିବର୍ତନ ଆଣିବା ଅସମ୍ଭବ ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍ଗୋ ଓ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର କୃଷକମାନଙ୍କର ଋଣଛାଡ, ତାଙ୍କର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି ନକରି, ଜଳସେଚନ ପାଇଁ ଅର୍ଥ ବ୍ୟୟବରାଦ ନକରିବା ଏବଂ ଚାଷୀର କୃଷିଜାତ ଦ୍ରବ୍ୟକୁ କିଭଳି ଭାବରେ ଶୀତଳଭଣ୍ଡାରରେ ସଂରକ୍ଷଣ କରାଯିବ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ କୃଷିଶିଳ୍ପର ବିକାଶ ପାଇଁ କୌଣସି ଠୋସ୍ ପଦକ୍ଷେପ ନେଇନାହାନ୍ତି । ତେଣୁ ରାଜ୍ୟ ସରକାର କାଳିଆ ଯୋଜନା ମାଧ୍ୟମରେ ଚାଷୀମାନଙ୍କର ଭୋଟ ହାତେଇବା ଛଡା ତାଙ୍କର ସର୍ବାଙ୍ଗୀନ ବିକାଶ ପାଇଁ କୌଣସି ବଜେଟ୍ର ଯୋଜନା କରିନାହାନ୍ତି । ରାଜ୍ୟର ନିଜସ୍ୱ ଆୟ କମି କମି ଯିବାରେ ଲାଗିଛି ଏବଂ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ରାଜ୍ୟର ଋଣ ଭାର କ୍ରମାନ୍ୱୟରେ ବଢି ବଢି ଚାଲିଛି । ୨୦୧୯-୨୦ ସୁଦ୍ଧା ରାଜ୍ୟର ଋଣ ଭାର ୧ ଲକ୍ଷ ୧୦ ହଜାର କୋଟି ଟଙ୍କାରୁ ଅଧିକ ହେବ, ଯାହାକି ରାଜ୍ୟର ସାମଗ୍ରିକ ଉତ୍ପାଦନ (ଜିଏସ୍ଡିପି) ୨୦.୨୫ ପ୍ରତିଶତ ପାଖାପାଖି ହେବ । ରାଜ୍ୟ ସରକାର ଋଣ କରିବାର ଯେଉଁ ଲକ୍ଷ୍ମଲରେଖାକୁ ଡେଇଁ ସାରିଲେଣି । ଏଭଳି ପରିସ୍ଥିତିରେ ରାଜ୍ୟର ଋଣବୋଝ କ୍ରମାନ୍ୱୟରେ ବଢି ଚାଲିଛି । ପିଠା ଯୋଜନା ପାଇଁ ଯେଉଁ ୪ ଶହ କୋଟି ଟଙ୍କାର ଅନୁଦାନ ରଖାଯାଇଛି ଏହା ବୋଧହୁଏ ବିଜୁ ଜନତା ଦଳର ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ସାରା ରାଜ୍ୟରେ ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ରାଜକୋଷରୁ ବ୍ୟୟ ବରାଦର ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର ବିଜୁ ଯୁବ ବାହିନୀ ପାଇଁ ରାଜ୍ୟ ରାଜକୋଷରୁ ୧୦୫ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟର ଟିକସଦାତାଙ୍କ ଅର୍ଥକୁ ବ୍ୟୟ କରି ନିଜ ଦଳର ସଂଗଠନକୁ ସୁଦୃଢ କରିବା ପାଇଁ ଏ ଯୋଜନା । ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ବିକାଶ, କର୍ମନିଯୁକ୍ତି ସୃଷ୍ଟି କରିବା ଏବଂ ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସେଭଳି କିଛି ଅର୍ଥ ବ୍ୟୟ ବରାଦ କରିନାହାନ୍ତି । ତେଣୁ ରାଜ୍ୟ ସରକାର ଶିକ୍ଷିତ ଯୁବକମାନଙ୍କୁ ବର୍ଷ ବର୍ଷ ଧରି ଉପେକ୍ଷିତ କରୁଛନ୍ତି । ବଜେଟ୍ରେ ରାଜ୍ୟର ସଂପତି ସୃଷ୍ଟି କରିବା ପାଇଁ ଯାହା ରାଜ୍ୟକୁ ଏକ ଶକ୍ତିଶାଳୀ ରାଜ୍ୟରେ ପରିଣତ କରିପାରିବ ସେଭଳି କିଛି ବ୍ୟବସ୍ଥା କରିନାହାନ୍ତି । ତେଣୁ ରାଜ୍ୟର ଯୁବକ, କୃଷକ ଏବଂ ମହିଳାମାନଙ୍କୁ ରାଜ୍ୟ ସରକାର ବାରମ୍ବାର ଠକି ଚାଲିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିଶିକାନ୍ତ ମିଶ୍ର, ରଜନୀ କୁମାର ମହାନ୍ତି, ମିଡିଆ ସଂଯୋଜକ ଦୀପକ ମହାପାତ୍ର, ପ୍ରଦୀପ ମହାପାତ୍ର, ଓମ୍ ପ୍ରକାଶ ସାହୁ ଉପସ୍ଥିତ ଥିଲେ ।

ରିପୋର୍ଟ : ଆକାଶ ମିଶ୍ର