ନିୟମ ଉଲ୍ଲଘଂନକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଶାସନିକ ଅଧିକାରୀ ସଜାଗ…

ଛତ୍ରପୁର (ସମୃଦ୍ଧ ଓଡିଶା) ନିୟମ ଉଲ୍ଲଘଂନକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଶାସନିକ ଅଧିକାରୀମାନେ ସଜାଗ ରହିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାରେ କରୋନା ଭୁତାଣୁ ସଂକ୍ରମଣଙ୍କ ସଂଖ୍ୟା ବଢି ବଢି ଚାଲିଥିବାରୁ ଜୁନ ୩୦ ଯାଏଁ ଲକଡାଉନ ଜାରୀ କରାଯାଇ ନିୟମ ଗୁଡିକୁ କଡାକଡି କରାଯାଇଛି । ତେଣୁ ଯେଉଁ ମାନେ ନିୟମକୁ ଉଲ୍ଲଘଂନ କରିବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନିକ ଅଧିକାରୀ ମାନେ ସଜାଗ ରହିଛନ୍ତି । ଏଥିପାଇଁ ସହରର ସବୁ ଗଳି କନ୍ଦିରେ ପ୍ରଶାସନିକ ଅଧିକାରୀମାନେ ଜଗି ରହିଥିବା ଦେଖିବାକୁ ମିଳିଛି । ସୂଚନା ଯେ, ଗଞ୍ଜାମ ଜିଲ୍ଲାକୁ ପ୍ରାୟ ୨ଲକ୍ଷ ପ୍ରବାସୀ ସୁରଥ, ମୁମ୍ବାଇ, କେରଳ ଓ ତାମିଲନାଡୁ ଭଳି ହଟଷ୍ପଟ ଥିବା ସ୍ଥାନରୁ ଫେରିଛନ୍ତି । ପ୍ରାୟ ୧ ଲକ୍ଷ ପ୍ରବାସୀ ଘରୋଇ ସଙ୍ଗରୋଧ କେନ୍ଦ୍ରରେ ମଧ୍ୟ ରହିଛନ୍ତି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୬୫୦ରୁ ଉର୍ଦ୍ଧ୍ୱ ପଜେଟିଭ ଚିହ୍ନଟ ହୋଇଥିଲେ ହେଁ, ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ସ୍ପଷ୍ଠ କରିଛନ୍ତି । ତଥାପି ଦିନକୁ ଦିନ ହୁ ହୁ ହୋଇ ପଜେଟିଭଙ୍କ ସଂଖ୍ୟା ବଢିଥିବାରୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ କରୋନା ଭୁତାଣୁ ସଂକ୍ରମଣର ଶୃଙ୍ଖଳା ଉପରେ ରୋକ ଲଗାଇବା ଲାଗି ପ୍ରତିକାର ମୂଳକ ପଦକ୍ଷେପ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡିଛି । ଜୁନ୍ ୧୪ ଠାରୁ ଆସନ୍ତା ୩୦ ତାରିଖ ଯାଏଁ ମଧ୍ୟାହ୍ନ ୧୨ ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ୧୯ ଘଣ୍ଟା ଜିଲ୍ଲା ସଂପୁର୍ଣ୍ଣ ଲକଡାଉନରେ ଗଞ୍ଜାମ ଜିଲ୍ଲା ରହିବ ବୋଲି ଜିଲ୍ଲାପାଳ ଗତ ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ପ୍ରତି ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଏହି ଲକଡାଉନ କାର୍ଯ୍ୟକାରୀ କରାଯିବ । ଏହାସହ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ସପ୍ତାହର ଦୁଇ ଦିନ ଅର୍ଥାତ ଶନିବାର ଓ ରବିବାର ସଂପୁର୍ଣ୍ଣ ସଟଡାଉନ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ସକାଳ ୭ ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରି ଦୋକାନ ଖୋଲା ରହିବ କିନ୍ତୁ ଲୋକମାନେ ବାଇକ ମାଧ୍ୟମରେ ଯାତାୟତ କରିପାରିବେ ନାହିଁ ବୋଲି କୁହାଯାଇଛି । ବସ, କାର, ଅଟୋ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଏନେଇ ସୋମବାର ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ଠାରେ ଏହି ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ଅଧିକାରୀ ଓ ପୋଲିସ୍ କର୍ମଚାରିମାନେ ତଦାରଖ କରିଛନ୍ତି । ଗତକାଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସହରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ କିପରି ଏହି ନିୟମ କାର୍ଯ୍ୟକାରୀ ହେଉଛି ତାହାର ମଧ୍ୟ ଅନୁସନ୍ଧାନ କରିଛନ୍ତିି । ସେହିପରି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ତହସଦିଲଦାର ନୀଳମାଧବ ଭୋଇ, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍‌.ଗଣେଷ ବାବୁ ଏବଂ ଏନଏସିର ସମସ୍ତ କର୍ମଚାରୀଙ୍କ ସମେତ ପୋଲିସ୍ ଅଧିକାରୀମାନେ ମଧ୍ୟ ଛତ୍ରପୁର ଲୋୟାର ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ରିକାପଲ୍ଲି ଛକ, ମଝି ବଜାର, ବଡ ବଜାର, ଅପର ବସଷ୍ଟାଣ୍ଡ, କୋର୍ଟ ଷ୍ଟେସନ ସାହି ସମେତ ବିଭିନ୍ନ ଅଂଚଳ ବୁଲି ଲୋକମାନଙ୍କୁ ସଚେତନ କରିବା ସହ ଦୋକାନୀମାନଙ୍କୁ ନିୟମ ମାନିବା ପାଇଁ କହିଥିଲେ । ଆଜି ଠାରୁ ଛତ୍ରପୁର ଅଂଚଳରେ କଡାକଡି ଭାବେ ଏହି ନିୟମ ପାଳନ କରାଯିବ ଓ ଯେଉଁମାନେ ଏହି ନିୟମକୁ ଉଲ୍ଲଂଘନ କରିବେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ସହ ଦୃଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି । ଛତ୍ରପୁର ସହରରେ ଥିବା ସମସ୍ତ ଔଷଧ ଦୋକାନୀ ସକାଳ ୭ରୁ ୧୨ ଖୋଲିବା ସହ ଅନ୍ୟ ସମୟରେ ପାଳି ଅନୁସାରେ ଖୋଲିବା ପାଇଁ ଡ୍ରଗସ୍ ଇନିଷ୍ପେକ୍ଟର କହିଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା