ନିୟୁଜଲପାଇଗୁଡିରୁ ଜଳେଶ୍ୱର ସାଇକେଲରେ ୭୨୬ କି.ମି. ଯାତ୍ରା : ଘରକୁ ଯିବା ପୂର୍ବରୁ କ୍ୱାରାଣ୍ଟାଇନ୍‌ରେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପେଟ ପାଇଁ ସବୁ ନାଟ । ସେହି ପେଟ ପ୍ରତିପୋଷଣ ପାଇଁ ବ୍ୟସ୍ତ ମଣିଷ । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶିଖରପୁର ପଂଚାୟତର ବଜାରଶୋଳ ଗାଁର ଶଙ୍କର ବେଜ ମଧ୍ୟ ପଶ୍ଚିମ ମେଦିନୀପୁର ଅନ୍ତର୍ଗତ ଅଲତାପୁର ଠାରେ ଜଣେ ଠିକାଦାରଙ୍କ ନିକଟରେ ଏକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ । କାର୍ଯ୍ୟ ଚାଲିଥିବା ବେଳେ ଏବଂ ଲକ୍‌ଡାଉନ୍ ପଶ୍ଚିମବଙ୍ଗରେ ବିଶେଷ ପ୍ରଭାବ ପକାଇ ନ ଥିବାରୁ ନିର୍ମାଣ କାର୍ଯ୍ୟ ଚାଲି ଆସୁଥିଲା । କିନ୍ତୁ ଶଙ୍କର ବେଜ (୪୯) ଫୋନ ଯୋଗେ ଲକ୍‌ଡାଉନ୍ ସଂପର୍କରେ ପରିବାରବର୍ଗଙ୍କ ଠାରୁ ଜାଣି ଘରକୁ ବାହାରିଥିଲା । ଠିକାଦାର ଠାରୁ ସେ ପ୍ରାୟ ୪୦ହଜାର ଟଙ୍କା ପାଇବାକୁ ଥିବା ବେଳେ ଘରକୁ ଆସିବା ପାଇଁ ଠିକା ସଂସ୍ଥାରୁ ୧୦ହଜାର ଟଙ୍କା ଆଣି ଏକ ପୁରୁଣା ସାଇକେଲ କିଣି ଘର ଅଭିମୁଖେ ଗତ ୫-୫-୨୦ରେ ବାହାରିଥିଲା । ୫ ଦିନ ମଧ୍ୟରେ ସେ ୭୨୭ କିମି ଅତିକ୍ରମ କରି ନିୟୁଜଲପାଇଗୁଡିରୁ ଜଳେଶ୍ୱର ଅମିମୁଖେ ଆସି ଗାଁ ମୁଣ୍ଡରେ ପହଞ୍ଚିଲା ବେଳକୁ ଗ୍ରାମବାସୀ ତାଙ୍କୁ କ୍ୱାରାଣ୍ଟାଇନ୍‌କୁ ଯିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ପଶ୍ଚିମବଙ୍ଗରେ ଆସିଲା ବେଳେ ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ଖୋଲା ଥିବାରୁ ତାର କୌଣସି ଅସୁବିଧା ହୋଇ ନ ଥିବା ପ୍ରକାଶ କରିଛି । ଆଜି ୨ୟ ଦିନରେ ସେ ପଂଚାୟତ ସ୍ତରୀୟ କ୍ୱାରାଣ୍ଟାଇନ୍ ସେଣ୍ଟର ବାବା ବାଲୁକେଶ୍ୱର ନୋଡାଲ ଉଚ୍ଚବିଦ୍ୟାଳୟରେ କାଳାତିପାତ କରୁଛନ୍ତି । ସେଠାରେ ଅବସ୍ଥାପିତ ନୋଡାଲ ଅଫିସର ସୁମିତ ରାଉତ ସେଠାରେ ଶଂକର କ୍ୱାରାଣ୍ଟାଇନ୍ ସମୟସୀମା ଅତିବାହିତ କରିବେ ବୋଲି କହିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା