ନୀତେଶ ଗଙ୍ଗଦେବଙ୍କୁ ଦଳରୁ ବହିଷ୍କାର କରି ବିଜେପି ତାର ସ୍ୱଚ୍ଛତାର ପରିଚୟ ଦେଉ:ସୁଧିର କପରଦାର…

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଦମ୍ ଅଛି ତ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ନୀତେଶ ଗଙ୍ଗଦେବଙ୍କୁ ଦଳରୁ ବହିଷ୍କାର କରି ବିଜେପି ତାର ସ୍ୱଚ୍ଛତାର ପରିଚୟ ଦିଅନ୍ତୁ ବୋଲି ଦେବଗଡ଼ ଜିଲ୍ଲା ବିଜେଡ଼ି ସଭାପତି ସୁଧିର କପରଦାର ବିଜେପିକୁ ଖୋଲାଖୋଲି ଚାଲେଂଜ କରିଛନ୍ତି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଓଡ଼ିଶା ସରକାର ଭୂସଂସ୍କାର ଆଇନ ୧୯୬୦ରେ ଆରମ୍ଭ କରିଥିଲେ ଏବଂ ୧୯୭୪ରେ ସଂଶୋଧନ କରି କାର୍ଯ୍ୟକାରୀ କଲେ । ସଂଶୋଧିତ ଆଇନ ଅନୁଯାୟୀ ଗୋଟିଏ ପରିବାକୁ ୧୦ ଷ୍ଟାଣ୍ଡାର୍ଡ ଏକର ଜମି ଦେଇ ଉଦବୃତ ଜମିକୁ ରାଜ୍ୟ ସରକାରଙ୍କ ଖାତାକୁ ନେଇ ଯାଇ ଭୂମିହୀନ ଲୋକଙ୍କ ମଧ୍ୟରେ ଆବଂଟନ କରିବାର ଆଇନ ରହିଛି । ବାମଣ୍ଡା ରାଜପରିବାରର ମୋଟ ୫୬୫ ଏକର ଚାଷ ଜମି ଦେବଗଡ଼ ତହସିଲଦାର ଏହି ପରିବାରକୁ ୩ ଭାଗରେ ବିଭକ୍ତ କରି ପ୍ରତ୍ୟେକଙ୍କୁ ୧୦ ଷ୍ଟାଣ୍ଡାର୍ଡ଼ ଏକର ଜମି ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ରାଜ ପରବାର ସଦସ୍ୟମାନେ ପ୍ରାୟ ଅଧିକାଂଶ ସମୟରେ ଦେବଗଡ଼ ବିଧାୟକ ଓ ପ୍ରଭାବଶାଳୀ ଥିବା ଯୋଗୁଁ ଉକ୍ତ ପରିବାର ପାଇଁ ସୃଷ୍ଟି ଓଏଲଆର କେସ ନଂ. ୩୦/୭୪କୁ ଅସମାହିତ ରଖି ଚାଲିଥିଲେ । ଜାଲିଆତି ଚଂଚକତା କରି ସିଲିଂ ପାଇଁ ଉଦ୍ଦିଷ୍ଟ ଥିବା ଚାଷ ଜମିକୁ ବିକ୍ରି କରି ଚାଲିଥିଲେ । ଏହି ଜାଲିଆତି ଘଟଣା ଜନସାଧାରଣଙ୍କ ନଜରକୁ ଆସିବା ପରେ ଦେବଗଡ଼ ନାଗରିକ କମିଟି ଏହାକୁ ବିରୋଧ କରିଥିଲା । ତକ୍ରାଳୀନ କମିଟିର ସମ୍ପାଦକ ୨୦୧୩ ଡିସେମ୍ବର ୩ ତାରିଖରେ ନୀତିଶ ଗଙ୍ଗଦେବ, ରୋହିତ ଗଂଗଦେବ ଓ ଦେବଗଡ଼ ତହସିଲଦାର ପିୟୁଷ ଲୋହାରଙ୍କ ବିରୁଦ୍ଧରେ ଦେବଗଡ଼ ଥାନାରେ ଏତଲା ଦାୟର କରାଯାଇଥିଲା । ଏହାର କେସ ନଂ. ୨୨୬/୨୧୩ରେ ଏତଲା ପଂଜୀକୃତ ହୋଇ ଆଇପିସି ଧାରା ୪୨୦, ୪୭୧ ତଥା ୧୨୦ (ଖ)ରେ ମୋକଦ୍ଦର୍ମା ବିଚାରାଧିନ ରହିଛି ବୋଲି ଶ୍ରୀ କପରଦାର ପ୍ରକାଶ କରିଛନ୍ତି । ଏହି ମାମଲାରେ ନିତେଶ ଗଂଗଦେବ, ରୋହିତ ଗଂଗଦେବ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ପ୍ରାର୍ଥନା କରିଥିଲେ । କୋର୍ଟ ପ୍ରଥମ ଦଫାରେ ଏହି ଆଗୁଆ ଜାମିନ କେସର ଶୁଣାଣୀ କରି କେସକୁ ଅଗ୍ରାହ୍ୟ କରିଥିଲେ ଓ କଡ଼ା ଟିପପଣୀ ଦେଇଥିଲେ । ଏପରିକି ହାଇକୋର୍ଟ ନିରୀହ କ୍ରେତା ରାଜ୍ୟ ସରକାର ତଥା ରେଜିଷ୍ଟ୍ରି ଅଥରିିଟି ପ୍ରମୁଖଙ୍କୁ ଠକେଇ କରି ନିଜର ଅନୈତିକ ଲାଭ ପାଇଁ ନିତେଶ ଗଂଗଦେବ ସିଲିଂ ପାଇଁ ଉଦ୍ଦିଷ୍ଟ ଥିବା ଜମିକୁ ବିକ୍ରି କରିଛନ୍ତି ବୋଲି ପ୍ରକାଶ କରିଛନ୍ତି । କୋର୍ଟ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଓଏଲଆର ଆକ୍ଟ ଧାରା ୪୦ ଅନୁଯାୟୀ ସିଲିଂ କେସ ଅମିମାଂସୀତ ଥିବା ବେଳେ ଜମି ବିକ୍ରି, ବଦଳ, ଦାନ ପ୍ରଭୃତି ନ ଦେବା ପାଇଁ ପ୍ରତିବନ୍ଧକ ରହିଛି । ରାଜପରିବାର ଏହି ଆଇନକୁ ଉଲ୍ଲଂଘନ କରି ଅପରାଧ କରିଛନ୍ତି । ତେଣୁ ସିଲିଂ ଜମି ବିକ୍ରି ସଂକ୍ରାନ୍ତ ସମସ୍ତ ଦଲିଲ, ଦସ୍ତାବିଜ ହାଇକୋର୍ଟରେ ଦାଖଲ କରିବାକୁ ଗଙ୍ଗଦେବ ପରିବାର ତଥା ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଗଙ୍ଗଦେବ ସିଲିଂ ଜମି ବିକ୍ରି କରିଥିବା ଆପାତତଃ ପ୍ରମାଣ ରହିଛି । ତାଙ୍କର କକାପୁଅ ଭାଇ ରୋହିତ ଗଂଗଦେବ ୨୦୧୬ ଜୁନ୍ ୩୦ ତାରିଖରେ ଦେବଗଡ଼ ଅଦାଲତରେ ଆତ୍ମସମର୍ପଣ କରି ଜାମିନ ପାଇଛନ୍ତି । ସଭାପତି କପରଦାର ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଶାସନରେ ବିଶ୍ୱାସ କରନ୍ତି । ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ ନିଜ ଦଳର ଦେବଗଡ଼ର ପୂର୍ବତନ ବିଧାୟକ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆସିଥିବା ଯୋଗୁଁ ତାଙ୍କୁ ଦଳରୁ ବାହାର କରିବା ସହିତ ଗିରଫ କରି ସ୍ୱଚ୍ଛ ଶାସନର ପରିଚୟ ଦେଇଛନ୍ତି । ଯଦି ବିଜେପି ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନର ସାମାନ୍ୟତମ ବିଶ୍ୱାସ ରଖନ୍ତି ଭୂମିହୀନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଜମିକୁ ହରିଲୁଟ କରିଥିବା ବିଧାୟକ ଗଂଗଦେବଙ୍କୁ ବିଜେପିରୁ ବାହାର କରିବାର ସତସାହସ ରହିଛି ବୋଲି ଶ୍ରୀ କପରଦାର ପ୍ରଶ୍ନ କରିଛନ୍ତି ।

ରିପୋର୍ଟ:ଆକାଶ ମିଶ୍ର