ନୀଳକଣ୍ଠ ନଗରରେ ରାସ୍ତା ଉପରେ ଭାସୁଛି ନର୍ଦ୍ଦମା ପାଣି:ଜନ ଅସନ୍ତୋଷ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଏନଏସିର ୧ ନଂ ୱାର୍ଡ ଅଧିନସ୍ଥ ଅଞ୍ଚଳ କଲୋନୀ ପ୍ରଥମ ଲେନ୍ ତଥା ନୀଳକଣ୍ଠ ନଗର ପ୍ରଥମ ଲେନ୍ରେ ରାସ୍ତା ଉପରେ ନର୍ଦ୍ଦମା ଜଳ ଭାସୁଥିବା ଦେଖିବାକୁ ମିଳିଛି । ସାହିର ମୁଖ ଦ୍ୱାରରେହିଁ ରାସ୍ତା ଉପରେ ନର୍ଦ୍ଦମା ଜଳ ଭାସୁଥିବାରୁ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି । ଉକ୍ତ ରାସ୍ତାହିଁ ଏକାନ୍ତ ମାତ୍ର ନିର୍ଭରଶୀଳ ରାସ୍ତା ହୋଇଥିବାରୁ ସମସ୍ୟା ହେଉଥିଲେ ହେଁ ନାକରେ ହାତ ଦେଇ ବାସିନ୍ଦା ଯାତାୟତ କରୁଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଏନଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବା ଜଣାପଡିଛି । ପ୍ରକାଶ ଯେ, ସାହିର ନାଳ ନର୍ଦ୍ଦମା ସବୁର ଗଭୀରତା ପୋତିହୋଇଯାଉଥିବାରୁ ଏବେ ନର୍ଦ୍ଦମା ଜଳ ରାସ୍ତା ଉପରେ ଭାସୁଥିବା ପରିସ୍ଥିତି ସୃଷ୍ଟି ହୋଇଛି । ଏକ ପ୍ରକାର କୃତ୍ରିମ ବନ୍ୟା ପରିସ୍ଥିତି ସର୍ବଦା ପରିଲକ୍ଷିତ ହେଉଛି । କୁନି କୁନି ଶିଶୁ ମାନେ ଟ୍ୟୁସନ୍କୁ ଯିବା ଆସିବା ବେଳେ ସେହି ରାସ୍ତାରେ ଯାଉଥିବା ବେଳେ ବାସିନ୍ଦା ଦୈନିକ ବ୍ୟବହାର୍ଯ୍ୟ କାର୍ଯ୍ୟରେ ସେହି ରାସ୍ତା ଦେଇ ଗମନା ଗମନ କରୁଛନ୍ତି । ହେଲେ ଦୁର୍ଗନ୍ଧରେ ଲୋକଙ୍କ ନାକ ଫାଟିଯାଉଥିବା ବେଳେ ଭାଗ୍ୟକୁ ଆଦରି ପଡି ରହୁଥିବା ପରିସ୍ଥିତି ଉପୁଜିଛି ବୋଲି ସାହି ବାସିନ୍ଦା କହିଛନ୍ତି । ପ୍ରକାଶଯେ, ପୂର୍ବରୁ ଉକ୍ତ ସାହିରେ ରହିଥିବା ଘର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଛି । କିଛି ବାସିନ୍ଦା ନର୍ଦ୍ଦମା ଉପରେ ଦଖଲକୁ ନେଇ ଘର ନିର୍ମାଣ କରିଦେଇଛନ୍ତି । ଫଳରେ ନର୍ଦ୍ଦମାକୁ ଯାଉଥିବା ଜଳ ନିମ୍ନଗାମୀ ଆଉ ହୋଇନପାରି ରାସ୍ତା ଉପରେ ଭାସମାନ ହୋଇ ପୁତିଗନ୍ଧମୟ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ଏନେଇ ବହୁବାର ଦାବୀ ଅଭିଯୋଗ କରାଯାଉଥିଲେ ହେଁ କୌଣସି ପ୍ରକାର ଫଳପ୍ରଦ ହେଉନଥିବା ଶୁଣିବାକୁ ମିଳିଛି । ଉକ୍ତ ସାହିରେ ରହିଥିବା ଜନବସତି ସମ୍ପ୍ରତ୍ତି ଦିନକୁ ଦିନ ବୃଦ୍ଧି ପାଉଛି । ସାହି ଦିନକୁ ଦିନ ବୃଦ୍ଧି ପାଇ ଲମ୍ବା ହେବାରେ ଲାଗିଛି । ହେଲେ ସେହି ସ୍ୱତନ୍ତ୍ର ପ୍ଲାନିଂ ଅଥରିଟିଙ୍କ ଠାରୁ କୌ÷÷ଣସି ପ୍ରକାର ଅନୁମତି ନପାଇ ଯେ ଯାହା ମନମୁତାବକ ଘର ନିର୍ମାଣ କରିସାରିଛନ୍ତି । କୌଣସି ଘରର ମ୍ୟାପ୍ ଡିଜାଇନ୍ ଏସପିଏ ଠାରୁ ଅନୁମତି ନିଆନଯାଇ ହୋଇଥିବାରୁ ଏନଏସି କର୍ତ୍ତୃପକ୍ଷଙ୍କ ପାଇଁ ଏହା ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ଜଣାପଡିଛି । ସେପଟେ ଏନଏସି ପକ୍ଷରୁ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ନୂତନ ଭାବେ ସାହିରେ ରାସ୍ତା ଓ ଡ୍ରେନ୍ ନିର୍ମାଣ କରିବା ପାଇଁ ହାତକୁ ପଦକ୍ଷେପ ନିଆଯାଇଛି । ହେଲେ ଉକ୍ତ ନିର୍ମାଣ କାର୍ଯ୍ୟମନ୍ଥର ଗତିରେ ଚାଲିଥିବାରୁ ଲୋକଙ୍କ ପାଇଁ ସମସ୍ୟା ହୋଇଯାଇଛି । ସାହିର ନିମ୍ନ ଭାଗରେ ସିମେଣ୍ଟ କଂକ୍ରିଟ୍ ରାସ୍ତା ତିଆରି ଚାଲିଛି । ସମ୍ପୂର୍ଣ୍ଣ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଡ୍ରେନ୍ ନିର୍ମାଣ ହେବ ଏବଂ ପରେ ବାସିନ୍ଦାଙ୍କ ସମସ୍ୟାର ସମାଧନ ହୋଇଯିବ ବୋଲି ଏନଏସି ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ କହିଛନ୍ତି । ଅନ୍ୟପକ୍ଷରେ ରାସ୍ତା ଉପରେ ନର୍ଦ୍ଦମା ପାଣି ଭାସମାନ ସମସ୍ୟାର ସ୍ଥାୟୀ ସମାଧନ ନହେଲେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ, ଚନ୍ଦନ ପଣ୍ଡା, ମନୋଜ ସାହୁ, ରିତେଶ ବେହେରା, ସୁମନ ସାହୁ ପ୍ରମୁଖ କହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା