ଜଳେଶ୍ଵର/ବସ୍ତା (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରୂପସାସ୍ଥିତ ନୀଳମଣି ମହାବିଦ୍ୟାଳୟ ସମ୍ମିଳନୀକକ୍ଷରେ ସମ୍ବିଧାନ ଦିବସ ପାଳନ ଅବସରରେ “ଭାରତୀୟ ସମ୍ବିଧାନ କଥା” ଶୀର୍ଷକ ୱେବିନାର ପ୍ରାଧ୍ୟାପକ କାଳୀ ଚରଣ ଲେଙ୍କାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ପ୍ରୋଗ୍ରାମ ଅଫିସର ଡ଼ଃ ଆରୁଣୀ ମିଶ୍ର କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ ପୂର୍ବକ ଭାରତୀୟ ସମ୍ବିଧାନର ମୌଳିକତା ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥିଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜକ ଡ଼ଃ ଅମୁଲ୍ୟ କୁମାର ଆଚାର୍ଯ୍ୟ ଯୋଗଦେଇ ଆନୁଷ୍ଠାନିକଭାବେ ୱେବିନାରକୁ ଉଦଘାଟନ କରିବା ସହ ଭାରତୀୟ ସମ୍ବିଧାନର ସ୍ୱତନ୍ତ୍ରତା ବିଷୟରେ ଆଲୋଚନା କରିଥିଲେ । ଫକୀରମୋହନ ବିଶ୍ୱବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ସିପ୍ରା ସାଗରିକା ମୁଖ୍ୟବକ୍ତା ଭାବେ ଏବଂ ପ୍ରାଧ୍ୟାପକ ବସନ୍ତ କୁମାର ଭୋଇ, ଅଧ୍ୟାପିକା ପଦ୍ମିନୀ ନାୟକ ପ୍ରମୁଖ ରିସୋର୍ସ ପର୍ସନ ଭାବେ ଯୋଗଦେଇ ଭାରତୀୟ ସମ୍ବିଧାନର ମୁଖବନ୍ଧ ତଥା ଏହାର ମୌଳିକ ବୈଶିଷ୍ଟ୍ୟ ସମ୍ବନ୍ଧରେ ଆଲୋକପାତ କରିବା ସହ ଦେଶର ପ୍ରତ୍ୟେକ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କର ସମ୍ବିଧାନ ବିଷୟରେ ସମ୍ୟକ ଧାରଣା ରହିବା ଏକାନ୍ତ ଆବଶ୍ୟକ ବୋଲି ପରାମର୍ଶ ପ୍ରଦାନ କରିଥିଲେ । ଏହି ଆଲୋଚନାଚକ୍ରରେ ଅଧ୍ୟାପକ କମଳାକାନ୍ତ ଓଝା, ରଣଜିତ କୁମାର ବେହେରା, ଅଧ୍ୟାପିକା ସଂଯୁକ୍ତା ସାହୁ, ରିନ ସାଇମନ ସାମଲ, କାଜଲ ସୁର ଓ ପିନାକ୍ଷୀ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଆମ ସମ୍ବିଧାନରେ ପ୍ରଣୀତ ନୀତି ନିୟମର ବାସ୍ତବ କାର୍ଯ୍ୟକାରିତା ହୋଇପାରିଲେ ଦେଶର ସର୍ବାଙ୍ଗୀନ ବିକାଶ ପଥରେ ପ୍ରଧାନ ଅନ୍ତରାୟ ସାଜୁଥିବା ପ୍ରତିବନ୍ଧକକୁ ଦୂରୀକରଣ କରାଯାଇ ଦେଶର ପ୍ରଗତିର ଧାରାକୁ ତ୍ୱରାନ୍ୱିତ କରାଯାଇପାରନ୍ତା ବୋଲି ଏହି ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି । ବାଲେଶ୍ୱର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ସ୍ୱାଗତ ଭାଷଣ, କାର୍ଯ୍ୟକ୍ରମ ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀଧର ମହାପାତ୍ର, ଅମୀୟ କୁମାର ବେହେରା, ସିତୁ ମହାପାତ୍ର, ଶୁଭାଶିଷ ବେହେରା, ସନାତନ ମଲ୍ଲିକ, କୁଞ୍ଜଲତା ବେହେରା ଓ ଧରିତ୍ରୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା