ଜଳେଶ୍ଵର/ବସ୍ତା (ସମୃଦ୍ଧ ଓଡିଶା) ବାଲେଶ୍ଵର ସଦର ବ୍ଲକ ଅନ୍ତର୍ଗତ ରୂପସାସ୍ଥିତ ନୀଳମଣି ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ “ସତର୍କ ଭାରତ-ସମୃଦ୍ଧ ଭାରତ” ଶୀର୍ଷକ ୱେବିନାର କର୍ମଶାଳା ପ୍ରାଧ୍ୟାପକ କାଳୀ ଚରଣ ଲେଙ୍କାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ପ୍ରୋଗ୍ରାମ ଅଫିସର ଡ଼ଃ ଆରୁଣୀ ମିଶ୍ର କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ ପୂର୍ବକ ”ସତର୍କ ଭାରତ-ସମୃଦ୍ଧ ଭାରତ” ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥିଭାବେ ଜାତୀୟ ସେବା ଯୋଜନା ଆଞ୍ଚଳିକ ନିର୍ଦ୍ଦେଶାଳୟର ଯୁବ ଅଧିକାରୀ ପୀୟୂଷ ପାରାଞ୍ଜାପେ, ମୁଖ୍ୟବକ୍ତା ଭାବେ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ସ୍ମୃତିରଞ୍ଜନ ଦାସ, ସମ୍ମାନିତ ଅତିଥିଭାବେ କେନ୍ଦ୍ରାପଡାର ମହାକାଳପଡାସ୍ଥିତ ବାୟା ବାବା କଲେଜର କାର୍ଯ୍ୟକ୍ରମ ଅଧିକାରୀ ଫିରୋଜ କୁମାର ସାହୁ, ପ୍ରାଧ୍ୟାପକ ବସନ୍ତ କୁମାର ଭୋଇ, ଅଧ୍ୟାପକ ଡ଼ଃ ତପନ କୁମାର ଦାସ, ସରୋଜ କୁମାର ପାଣି, କମଳାକାନ୍ତ ଓଝା, ଗୌରାଙ୍ଗ ପିଲା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ସ୍ତରରେ ଦୁର୍ନୀତି ଯୋଗୁଁ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବାରୁ ଦେଶର ପ୍ରଗତି ପଥରେ ପ୍ରଧାନ ଅନ୍ତରାୟ ସାଜୁଥିବା ଦୁର୍ନୀତିକୁ ନିବାରଣ କରାଯିବା ପାଇଁ ଉଭୟ କାର୍ଯ୍ୟରତ କର୍ମଚାରୀ ଏବଂ ଜନ ସାଧାରଣଙ୍କର ଦୃଢ଼ ମାନସିକ ସଂକଳ୍ପ ଅପରିହାର୍ଯ୍ୟ ବୋଲି ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିବା ଅତିଥିମାନେ ମତ ପ୍ରକାଶ କରିଥିଲେ । ସମଗ୍ର ଦେଶରେ ଦୁର୍ନୀତି ତାର କାୟା ବିସ୍ତାର କରି ଚାଲିଥିବାରୁ ଏହାର ମୁଳୋତ୍ପାଟନ ନିମନ୍ତେ ଦେଶର ଜନସାଧାରଣ ବଜ୍ର ଶପଥ ନେବା ଏକାନ୍ତ ଜରୁରୀ ବୋଲି ଏହି କର୍ମଶାଳାରେ ସ୍ବେଛାସେବୀ ମାନଙ୍କୁ ଆହ୍ଵାନ ଦିଆଯାଇଥିଲା । ବାଲେଶ୍ୱର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସ୍ବେଚ୍ଛାସେବୀ ଜଗଦୀଶ ସାହୁ, ପପୁ ସେଠୀ, ଜ୍ୟୋତି ତ୍ରିପାଠୀ ୱେବିନାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରୋଗ୍ରାମ ଅଫିସର ଲାଖିରାମ ହାଁସଦା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।