
ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ନୂଆଁଖାଇ ଭେଟ୍ ଘାଟ୍ ପାଇଁ ପାରଳାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦ ପକ୍ଷରୁ ଏକ ସମ୍ବଲପୁରୀ ନୃତ୍ୟ ଓ ଏକକ ଅଭିନୟ ପ୍ରତିଯୋଗିତା ପାରଳାଖେମୁଣ୍ଡି ସ୍ଥିତ ବିଜୟ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନୃସିଂହନାଥ ଇଣ୍ଟରପ୍ରାଇଜେସ୍ ର ମାଲିକ ରଘୁନାଥ ପଟ୍ଟନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପାରଳା ସହରର ବିଭିନ୍ନ ବିଦ୍ୟାଳୟରୁ ୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ନିଜନିଜ କଳା ପ୍ରତିଭା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ଗୁରୁ ରଘୁନାଥ ପାତ୍ର, ନାଟ୍ୟକାର ଓ ନିର୍ଦ୍ଦେଶକ ଦେବେନ୍ଦ୍ର ଦାସ, ଯୁବ ନାଟ୍ୟ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ, ନୃତ୍ୟଗୁରୁ ଶୁଭେନ୍ଦୁ ସେନାପତି ପ୍ରମୁଖ ବିଚାରକ ଭାବେ ଥିବାବେଳେ ଆଦର୍ଶ ଦାସ, ବାଳକୃଷ୍ଣ ପାଣିଗ୍ରାହୀ, ମାତାଙ୍ଗିନୀ ଗୁରୁ, ରାମଚନ୍ଦ୍ର ପାଢ଼ୀ, ହର ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମସ୍ତ କୃତି ପ୍ରତିଯୋଗୀଙ୍କୁ ଚଳିତ ୭-୯-୨୦୨୨ ତାରିଖ ସନ୍ଧ୍ୟାରେ ଟାଉନ ହଲ ଠାରେ ହେବାକୁ ଥିବା ନୂଆଁଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯିବ ।
ରିପୋର୍ଟ : କୃଷ୍ଣ କୁମାର ବେହେରା

