ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନୂଆବଜାରରୁ ଅଲାଲପୁର ରାସ୍ତାର ନବିକରଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ବେଳେ ଏବେ ନିର୍ମାଣ ସରିଥିବା ଉକ୍ତ ରାସ୍ତାର କେତେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଗତ ୩ବର୍ଷ ପୂର୍ବରୁ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ବହୁ ଦାବି, ଆନ୍ଦୋଳନ ପରେ ଚଳିତ ବର୍ଷ କାର୍ଯ୍ୟର ଅଗ୍ରଗତି ହୋଇଥିଲା । କିନ୍ତୁ ଏହାର କେତେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏହି ରାସ୍ତାର ଭବିଶ୍ୟତ ନେଇ ସାଧାରଣ ଲୋକେ ପୁର୍ତ୍ତ ବିଭାଗର ଯନ୍ତ୍ରୀ ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ଲିଖିତଭାବେ ଜଣାଇଛନ୍ତି । ପ୍ରକାଶଯୋଗ୍ୟ ଏହି ରାସ୍ତା କଡରେ ଜଳେଶ୍ୱର ହାଇସ୍କୁଲ, ଏଫସିଆଇର ଗୋଦାମ ଘର, ତହସିଲ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ, ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟ, ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର, ତାରିଣୀ ମନ୍ଦିର, ଓପିଟିସିଏଲ୍ କାର୍ଯ୍ୟାଳୟ ରହିଛି । ଏହା ବ୍ୟତିତ ନନ୍ଦିକା, ନହଞ୍ଜରା, ଚଡାମଣିପୁର, ଭାଦା ଗାଁକୁ ଯିବାଲାଗି ଏହା ଏକମାତ୍ର ରାସ୍ତା ଅଟେ । ଏ ସମ୍ପର୍କରେ ଆଜି ସୁବାରାମ କିସ୍କୁ, ନୀଳମାଧବ ଦେ, ନିରଂଜନ ଭଂଜ, ଜୟନାରାୟଣ ଦାସ, ଶ୍ୟାମଶଂକର ପରିଡା, ଗୋପିନାଥ ମଣ୍ଡଳ, ବିଜୟଲକ୍ଷ୍ମୀ ଘଡାଇ, ଭଗବାନ ବେହେରା, ହରିହର ଭଂଜଙ୍କ ନେତୃତ୍ୱରେ ବହୁ ବ୍ୟକ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ, ବାଲେଶ୍ୱର ଜିଲାପାଳ, ଉପଜିଲାପାଳ, ପୁର୍ତ୍ତ ବିଭାଗର ଯନ୍ତ୍ରୀ, ତହସିଲଦାର, ବିଧାୟକ, ସାଂସଦ, ୫ଟି ସଚିବ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ରିପୋର୍ଟ : ଭୂପତି ପରିଡା