






ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା) ଓଡିଶା ପର୍ବ ଅବସରରେ ଆପଣ ମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା, ଭଲପାଇବା ଓ ଅଭିନନ୍ଦନ କହି ଆରମ୍ଭ କଲେ ନିଜ ଭାଷଣ ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଠାରୁ ଆରମ୍ଭ ହେଉଥିବା ଏହି ତିନି ଦିନିଆ ଓଡିଶା ପର୍ବରେ ମହାମହିମ ରାଷ୍ଟ୍ରପତିଙ୍କ ଉପସ୍ଥିତି ଏହି ଉତ୍ସବର ଶୋଭା ଏବଂ ଭବ୍ୟତାକୁ ବହୁଗୁଣରେ ବୃଦ୍ଧି କରିଛି। ଏଥିପାଇଁ ମୁଁ ମାନ୍ୟବର ରାଷ୍ଟ୍ରପତି ମହୋଦୟାଙ୍କୁ ଆପଣ ସମସ୍ତଙ୍କ ପକ୍ଷରୁ ସହୃଦୟ ଧନ୍ୟବାଦ ଜ୍ଞାପନ କରୁଛି। ଆଜି ଆରମ୍ଭ ହୋଇଥିବା ଏହି ତିନି ଦିନିଆ ଓଡିଶା ପର୍ବ ଓଡିଶାର ସାଂସ୍କୃତିକ ପରମ୍ପରା ଓ ଐତିହ୍ୟର ଏକ ମହାନ୍ ନିଦର୍ଶନ। ଆପଣମାନେ, ଯେଉଁ ହଜାର ହଜାର ଓଡିଆ ଭାଇ ଭଉଣୀମାନେ, ଦେଶର ରାଜଧାନୀ ଦିଲ୍ଲୀରେ ଅନେକ ବର୍ଷ ଧରି ରହିଆସୁଛନ୍ତି, ଏହି ମହୋତ୍ସବ ହେଉଛି ଆପଣ ମାନଙ୍କ ପାଇଁ ଦିଲ୍ଲୀରେ ରହି ଓଡିଶାକୁ ଅନୁଭବ କରିବାର ଏକ ସୁନ୍ଦର ପ୍ରୟାସ। ମୁଁ ଜାଣେ, ଆପଣଙ୍କ ବେଶ ପୋଷାକ କି କାର୍ଯ୍ୟଧାରା ଯାହା ହେଉଥାଉନା କାହିଁକି, ଆପଣମାନଙ୍କ ହୃଦୟରେ ଓଡ଼ିଆପଣ ସବୁବେଳେ ବସା ବାନ୍ଧି ରହିଛି। ଓଡ଼ିଆ ଚେତନା ଆପଣଙ୍କ ଆତ୍ମାର ଗହଣା। ଓଡ଼ିଆ ପ୍ରେମ ଆପଣଙ୍କ ରକ୍ତରେ ଘର କରିଥିବା ଏକ ମିଠା ଅହଙ୍କାର। ଓଡ଼ିଆ ଚଳଣି ଆପଣଙ୍କ ମନର ମାନସାଙ୍କ। ଓଡିଶା ପର୍ବ ଅବସରରେ ପ୍ରସିଦ୍ଧ ସ୍କନ୍ଦ ପୁରାଣର ଏକ ସୁନ୍ଦର ସଂସ୍କୃତ ଶ୍ଳୋକ ମୋର ଆଜି ମନେ ପଡୁଛି।
ବର୍ଷାନାଂ ଭାରତ ଶ୍ରେଷ୍ଠ
ଦେଶାନାଂ ଉତ୍କଳ ଶୃତଃ
ଉତ୍କଳସ୍ୟ ସମୋଦେଶ
ଦେଶୋ ନାସ୍ତି ମହୀତଳେ।
ଆମେ ସମସ୍ତେ ଗର୍ବିତ ଯେ ଆମେ ସମସ୍ତେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମିରେ ଜନ୍ମ ଲାଭ କରିଛୁ ଏବଂ ମହାନ ଓଡିଆ ଭାଷା ଓ ସଂସ୍କୃତିର ଉପାସକ। କେବଳ ଓଡିଶା ନୁହେଁ, ଓଡିଶା ବାହାରେ ମଧ୍ୟ ଏହି ସମୃଦ୍ଧ ପରମ୍ପରାକୁ ଆପଣମାନେ ଏବଂ ଅନ୍ଯାନ୍ଯ ରାଜ୍ୟରେ ବସବାସ କରୁଥିବା ଓଡିଆ ଭାଷାଭାଷୀମାନେ ଯେପରି ପ୍ରଚାର ପ୍ରସାର କରୁଛନ୍ତି, ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ। ଆଜି ଆମର ଏହି କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ନିଜେ ଉପସ୍ଥିତ ଅଛନ୍ତି। ଗତକାଲି ମଧ୍ୟ ସେ ଡଃ. ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ ଉତ୍ସବରେ ଯୋଗଦେଇଥିଲେ। ଏହା ପ୍ରମାଣିତ କରୁଛି ଯେ ସେ ଓଡିଶାକୁ କେତେ ଭଲ ପାଆନ୍ତି ଏବଂ ଓଡିଶାର ମହାପୁରୁଷ ମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଦେବାପାଇଁ, କେତେ ଉତ୍ସାହୀ ଅଛନ୍ତି। ଏହା ହେଉଛି ଜଣେ ଉଚ୍ଚକୋଟୀର ମଣିଷର ପରିଚୟ। ସେ ଯେଉଁ ପଦରେ ଥାଆନ୍ତୁ ନା କାହିଁକି, ନିଜ ମାଟି ମା’ର ପରିଚୟକୁ କୌଣସି ପରିସ୍ଥିତିରେ ଭୁଲନ୍ତି ନାହିଁ। ମାନ୍ୟବର ରାଷ୍ଟ୍ରପତିଙ୍କୁ ମୁଁ ଏଥିପାଇଁ ଗଭୀର କୃତଜ୍ଞତା ଜଣାଉଛି। ଆମେ ସମସ୍ତେ ଜାଣିଛୁ ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ଇତିହାସ ଅତି ମହାନ୍। କଳା ଓ ସଂସ୍କୃତିରେ ଓଡିଶା କେବଳ ଦେଶରେ ନୁହେଁ, ସାରା ପୃଥିବୀରେ ପ୍ରସିଦ୍ଧ। ଓଡିଶାର ପ୍ରତି ଗାଁରେ, ପ୍ରତି ଗଳିକନ୍ଦିରେ ଭରି ରହିଛି କଳା ଓ ସଂସ୍କୃତିର ସ୍ବତନ୍ତ୍ର ଝଲକ୍। ଓଡିଆ ଭାଷା ଏକ ଶାସ୍ତ୍ରୀୟ ଭାଷା। ଓଡିଶୀ ନୃତ୍ୟ ଏକ ଶାସ୍ତ୍ରୀୟ ନୃତ୍ୟ। ଓଡିଶୀ ସଙ୍ଗୀତକୁ ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଆମ ଉଦ୍ୟମ ଜାରି ରହିବ। ଭାଷା ଓ ସଂସ୍କୃତି ହେଉଛି ଗୋଟିଏ ଜାତିର ପରିଚୟ। ଜାତିର ଅସ୍ମିତା। ଯାବତୀୟ ଘନଘଟା, ସଂଘର୍ଷ, ଆହ୍ୱାନ ଓ ଆକ୍ରମଣକୁ ଭ୍ରୁକ୍ଷେପ ନକରି ଆମ ଓଡ଼ିଆ ଜାତି ଗର୍ବର ସହ ମୁଣ୍ଡ ଟେକି ଠିଆହେବା ଶିଖିଛି। ଏ ଜାତି ହାରିବାର ହଜାର କାରଣ ଭିତରୁ ଜିତିବାର କଳାକୁ ଆୟତ୍ତ କରିବା ଶିଖିଛି। ଉତ୍କଳମଣି ଗୋପବନ୍ଧୁ ଦାସ ତାଙ୍କର ସାର୍ଥକ ସୃଷ୍ଟି- “ବନ୍ଦୀର ଆତ୍ମକଥା” ରେ ଲେଖିଥିଲେ..
କାତରତା ସିନା କାପୁରୁଷ ପଣ
ବୀର ମାରେ ଅବା ମରେ କରି ରଣ
ପଛଘୁଞ୍ଚା ନାହିଁ ବୀରର ଜାତକେ
ନମରେ ସେ କେଭେଁ ପରାଣ ଆତଙ୍କେ”
ଏଣୁ ଏହି ବୀରଭୋଗ୍ୟା ମାଟିର ଉତ୍ତର ଦାୟାଦ ଭାବେ ଆପଣମାନେ ଓଡ଼ିଶା ମାଟିର ବାସ୍ନାକୁ ଓଡିଶା ବାହାରେ ବିଞ୍ଚିବାର ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ନେଉଥିବାରୁ ଆପଣମାନଙ୍କୁ ସାଧୁବାଦ ଓ କୃତଜ୍ଞତା ଜଣାଉଛି। ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ପ୍ରାଣକେନ୍ଦ୍ର। ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ରକରି ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି, ଇତିହାସ ସବୁକିଛି ବିକଶିତ ହୋଇଛି। ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର। କିନ୍ତୁ, ଦୁଃଖର ବିଷୟ, ପୂର୍ବ ସରକାରଙ୍କ ସମୟରେ ଜଗନ୍ନାଥଙ୍କ ନାମକୁ ଯେପରି ଭାବେ ବ୍ୟବସାୟକରଣ କରି ଭୋଟ ପାଇଁ ଅପବ୍ଯବହାର କରିଥିଲେ, ତାହାର ଉଚିତ ଜବାବ ଜନସାଧାରଣ ଦେଇସାରିଛନ୍ତି। ମୁଁ ବହୁତ ଖୁସି ଯେ ଆମ ସରକାର ଗଠନ ହେବାର ପ୍ରଥମ ଦିନ ହିଁ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ତା ପରଦିନ ସକାଳୁ, ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟଙ୍କ ସହିତ ମୁଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଓଡିଶାର ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲୁ । ପ୍ରଭୁଙ୍କ ସେବା ପାଇଁ 500 କୋଟି ଟଙ୍କାର କର୍ପସ ଫଣ୍ଡ ସହିତ ରତ୍ନ ଭଣ୍ଡାରର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲୁ। ୨୦୦ କୋଟି ଟଙ୍କାରେ ଏକ ସ୍ବତନ୍ତ୍ର ଓଡିଆ ଅସ୍ମିତା କର୍ପସ ପାଣ୍ଠି ଗଠନ କରାଯାଇଛି। କଳାକାର ମାନଙ୍କୁ ସହାୟତା ଦେବା ପାଇଁ ୭୨ କୋଟି ଟଙ୍କା ଏବଂ କିର୍ତ୍ତୀରାଜି ଗୁଡିକର ସଂରକ୍ଷଣ ପାଇଁ ୧୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହା ସହିତ ସ୍ବତନ୍ତ୍ର ଓଡିଆ ଅସ୍ମିତା ଭବନ, ଓଡିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା, ତାଳ ପତ୍ର ପୋଥୀର ସଂରକ୍ଷଣ ପାଇଁ ଏକ ବିଶ୍ବ ସ୍ତରୀୟ ମ୍ୟୁଜିୟମ ପ୍ରତିଷ୍ଠା ଆଦି ଅନେକ କାର୍ଯ୍ୟକ୍ରମ ଆମେ ହାତକୁ ନେଇଛୁ। ଓଡିଶାର ସାଂସ୍କୃତିକ ମର୍ଯ୍ୟାଦାର ସୁରକ୍ଷା ପାଇଁ ଆମ ସରକାର ପ୍ରତ୍ୟେକ ସ୍ତରରେ ପ୍ରତିଶ୍ରୁତିବଦ୍ଧ ଭାବରେ କାମ କରୁଛି ଓ କରିଚାଲିବ। କଳା ଓ ସଂସ୍କୃତି ସହିତ ଆମର ଆର୍ଥିକ ବିକାଶ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ସମାଜର ସବୁ ସ୍ତରର ଲୋକଙ୍କ ବିକାଶ ନହେଲେ, କେବଳ ସଂସ୍କୃତିକୁ ନେଇ ଆମେ ବେଶୀ ଆଗକୁ ଯାଇପାରିବା ନାହିଁ। ସେଥିପାଇଁ ଆମ ସରକାର ରାଜ୍ୟରେ ଶିଳ୍ପ ବିକାଶକୁ ତ୍ବରାନ୍ବିତ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ଆସନ୍ତା ଜାନୁଆରୀ ୨୦୨୫ ମସିହା ୨୮ ଓ ୨୯ ତାରିଖରେ ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନ୍ ଲେଭ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହେବ। ଆମେ ଚାହୁଁ, ଏଥିରେ ବିଶ୍ବର ବଡ ବଡ କମ୍ପାନୀ ମାନେ ଓଡିଶାକୁ ଆସନ୍ତୁ ଏବଂ ଶିଳ୍ପ ପ୍ରତିଷ୍ଠା କରନ୍ତୁ। ଏବେ ମୁଁ ସିଙ୍ଗାପୁରରୁ ଫେରିଛି। ସେଠାରେ ସବୁ ପ୍ରତିଷ୍ଠିତ ବିଶ୍ବ ପ୍ରସିଦ୍ଧ କମ୍ପାନୀମାନଙ୍କ ସହିତ ନିଜେ ଆଲୋଚନା କରିଛି। ସେମାନେ ସମସ୍ତେ ଓଡିଶାରେ ପୁଞ୍ଜି ନିବେଶ କରିବା ପାଇଁ ଖୁବ୍ ଆଗ୍ରହୀ। ପୂର୍ବରୁ ମୁଁ ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ରୋଡ୍ ସୋ କରିଆସିଛି। ଆପଣ ମାନେ ଦେଖିବେ, ଏହି ପାଞ୍ଚବର୍ଷ ମଧ୍ୟରେ ଓଡିଶାରେ ଏକ ଶିଳ୍ପ ବିପ୍ଳବ ଆସିବ। ଆପଣଙ୍କ ଡବଲ ଇଞ୍ଜିନ ସରକାର ଓଡିଶାରେ ଶିଳ୍ପ ବିପ୍ଲବ ଆଣିବାରେ ନିଶ୍ଚୟ ସଫଳ ହେବ। ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦୀଜୀ ଓଡିଶାକୁ ଖୁବ୍ ଭଲପାଆନ୍ତି। ଓଡିଶାର ବିକାଶ ପ୍ରତି ତାଙ୍କର ସ୍ବତନ୍ତ୍ର ଧ୍ୟାନ ରହିଛି। ସେ ବାରମ୍ବାର କହିଛନ୍ତି ବିକାଶର ରେଳ ଗାଡିରେ ଓଡିଶା ହେବ ପ୍ରଥମ ବଗି। ଓଡିଶା ହେବ ଦେଶର ଗ୍ରୋଥ ଇଞ୍ଜିନ୍। ଆମ ସରକାର ଆସିବା ପରଠାରୁ କେବଳ ରେଲୱେ ଓ ରୋଡ୍ କ୍ଷେତ୍ରରେ ଓଡିଶା ପାଇଁ କେନ୍ଦ୍ର ସରକାର ୪୦ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଆଗାମୀ ପାଞ୍ଚ ବର୍ଷରେ ଭିତ୍ତିଭୂମି କ୍ଷେତ୍ରରେ ଓଡିଶାରେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କାର ସରକାରୀ ପୁଞ୍ଜି ବିନିଯୋଗ ହେବ। ତେଣୁ, ଓଡିଶାର ଅର୍ଥନୀତି ଖୁବ୍ ଉଜ୍ଜଳ ହେବ, ଏଥିରେ ସନ୍ଦେହ ନାହିଁ। ପ୍ରଧାନମନ୍ତ୍ରୀ କେବେହେଲେ ସ୍ୱଳ୍ପ ରାଜନୈତିକ ଲାଭ ପାଇଁ ପଦକ୍ଷେପ ଗ୍ରହଣ କରନ୍ତି ନାହିଁ। ଭାରତକୁ ଏକ ସଶକ୍ତ, ସମୃଦ୍ଧ ଓ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗଢିତୋଳିବା ପାଇଁ ଅନେକ ଦୁରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ୨୦୪୭ ସୁଦ୍ଧା ଯେତେବେଳେ ଆମେ ସ୍ଵାଧୀନତାର ୧୦୦ ବର୍ଷ ପାଳନ କରିବା ସେତେବେଳେ ଭାରତ ଏକ ବିକଶିତ ରାଷ୍ଟ୍ର ହୋଇଥିବ। ଠିକ ସେହିପରି ୨୦୩୬ ଓଡିଶା ରାଷ୍ଟ୍ର ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆମ ସରକାର ଓଡିଶାକୁ ଏକ ବିକଶିତ ସମୃଦ୍ଧ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ଶପଥ ନେଇଛନ୍ତି ଏବଂ ଏଥିପାଇଁ ଏକ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରୁଛନ୍ତି। ଆପଣମାନେ ମଧ୍ୟ ଏହି ଦିଗରେ ନିଜ ନିଜ ସୁଚିନ୍ତିତ ମତାମତ ଦିଅନ୍ତୁ। ଆଜିର ଏହି ମନୋଜ୍ଞ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଆଜି ସମ୍ଭାଷଣ ଶେଷ କରିବା ଆଗରୁ ଆମ ମାଟିର ବରେଣ୍ୟ କବି ତଥା ଜ୍ଞାନପୀଠ ବିଜେତା ଡଃ ସୀତାକାନ୍ତ ମହାପାତ୍ରଙ୍କ “ଓଡିଶା” କବିତାର କେଇ ପଦ ନିଶ୍ଚୟ ଶୁଣେଇବି।
” ଏଇ ନଅ- ତେଇଶ ଛଣ ଛପର ଘରର
ଏରୁଣ୍ଡି ବନ୍ଧ ଡେଇଁ ଯୁଆଡେ ମୁଁ ଯାଏ
ଦିଲ୍ଲୀ କି ଟୋକିଓ କି ଲେନିନଗ୍ରାଡ଼
କାମକୁ, କବିତାକୁ, ଚେରିଫୁଲ ସଭାକୁ କି ନେଭା ନଦୀକୁ
ସାଙ୍ଗରେ ନେଇଯାଏ
ହଳଦୀ ପତ୍ରର ବାସ୍ନା, କାକରା, ଛୁଞ୍ଚି ପତର
ସଞ୍ଜ ଅନ୍ଧାରରେ ଦେବୀ ପରି
ପିଣ୍ଡାକୁ ଆଉଜି ବସିଥିବା ଜେଜେମା
ଝୋଟି ଚିତା, ଦଶରା ନହବତ
ଲକ୍ଷ୍ମୀ ପାଦ- ଦାଣ୍ଡ ଦୁଆରୁ ଘର ଭିତର
ନେଇଯାଏ ଭାଗବତର କୁନିକୁନି ଧାଡି
ନିର୍ମାଲ୍ୟ କଣିକା ଓ ଦୁଇ ଚକା ଆଖିର ଅଭୟବର
ଏତିକି ମୋ ପାଇଁ ଓଡିଶା !
ଦିଲ୍ଲୀର ସବୁ ଓଡିଆ ଭାଇ ଭଉଣୀଙ୍କୁ ମୁଁ ଆଉଥରେ ଶୁଭେଚ୍ଛା ଜଣାଉଛି। ଆପଣମାନେ ପ୍ରତ୍ଯେକ ହେଉଛନ୍ତି ଓଡିଆ ସଂସ୍କୃତି ଏବଂ ପରମ୍ପରାର ଜଣେ ଜଣେ ପ୍ରତିନିଧି, ଜଣେ ଜଣେ Ambassador. ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି ଯେ ଆପଣମାନେ ସମସ୍ତେ ଭଲରେ ରୁହନ୍ତୁ। ନିଜ ଜୀବନରେ ଉତ୍ତରୋତ୍ତର ଉନ୍ନତି କରନ୍ତୁ ଏବଂ ଜଣେ ଓଡିଆ ଭାବେ ଗର୍ବ ଅନୁଭବ କରନ୍ତୁ।
ରିପୋର୍ଟ : ରଜତ ମହାପାତ୍ର