ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖାର ବେଆଇନ୍ ଓ ବେଧଡକ ବାଲି ଉତ୍ତୋଳନକୁ ଏନ୍ଜିଟିର ରୋକ ସତ୍ୱେ ବ୍ୟାପକ ବାଲି ଉତ୍ତୋଳନ ଓ ଚାଲାଣ ହୋଇ ଆସୁଥିବା ବେଳେ ଆଜି ହଠାତ୍ ବାଲେଶ୍ୱରର ନୂତନ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ସଂପୃକ୍ତ କେତେକ ଅଂଚଳ ପରିଦର୍ଶନ କରିଥିଲେ । ଏହି ଗସ୍ତରେ ପ୍ରଶାସନିକ ଓ ବାଲିମାଫିଆଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲେ ମଧ୍ୟ ଜିଲାପାଳ ଫେରିଗଲାପରେ ବାଲି ମାଫିଆମାନେ ପୁଣି ବାଲି ଚାଲାଣ ଓ ଉତ୍ତୋଳନ ପୂର୍ବବତ୍ ଆରମ୍ଭ କରିଥିଲେ । ଏହା ଜିଲାପାଳଙ୍କୁ ବାଲି ମାଫିଆଙ୍କ ଏକ ଚ୍ୟାଲେଞ୍ଜ ବୋଲି ସାଧାରଣରେ ଆଲୋଚନା ହେଉଛି । ସୁବର୍ଣ୍ଣରେଖା ପ୍ରବାହିତ ହୋଇଥିବା ଜଳେଶ୍ୱର ତହସିଲର ବିଭିନ୍ନ ସ୍ଥାନରୁ ବାଲି ମାଫିଆମାନେ ଦୀର୍ଘବର୍ଷ ଧରି ବେଆଇନ୍ ଓ ବେଧଡକଭାବେ ବାଲି ଉତ୍ତେଳନ କରି ପଶ୍ଚିମ ବଂଗକୁ ଚାଲାଣ କରି ଆସୁଥିଲେ । ଫଳରେ ବାଲି ଉତ୍ତୋଳନ ହେଉଥିବା ରାଜନଗର, ବିଳାସପୁର, ମାକିଡିଆ, କୁଅଁରପୁର, ବେହେରାସାହି, ପ୍ରହରାଜପୁର, ଗୁଆଗଡିଆ, ଦକ୍ଷିଣପ୍ରହରାଜପୁର, ମକ୍ରାମପୁର, ଶ୍ରୀରାମପୁର, ଭାନୁପୁର, ଶିଖରପୁର, ମହମ୍ମଦନଗରପାଟଣା, ସେକସରାଇ, ପଂଚୁଘଣ୍ଟା ରିଭର ବ୍ୟାଙ୍କ, ଗୋବର୍ଦ୍ଧନପୁର, ଆର୍ଆର୍ପୁର, ପାଇକସିଦା, କଣ୍ଟାପାଳ ପ୍ରଭୃତି ଅଂଚଳରୁ ଦୀର୍ଘବର୍ଷ ଧରି ପରିବହନ ହୋଇ ଆସୁଛି । ଫଳରେ ନଦୀର ଗତିପଥ ପରିବର୍ତ୍ତନ ଓ ନଦୀତଟ ଗ୍ରାମପ୍ରତି ବିପଦ ହେବା ସହିତ କେତେକ ଗ୍ରାମରେ କ୍କମ୍ପନ ଓ ଭୁ-ସ୍ଖଳନ ହୋଇ ଆସୁଛି । ନଦୀକୂଳ ସୁରକ୍ଷା ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପଥର ପେଚି ଓ ସ୍ପର ନିର୍ମାଣ କରାଯାଇ ଆସୁଛି । ତେଣୁ ଜଳେଶ୍ୱରର କିଛି ବୁଦ୍ଧିଜିବୀ ଏନ୍ଜିଟିର ଦ୍ୱାରସ୍ଥ ହେବା ଫଳରେ ଉକ୍ତ ନ୍ୟାୟାଳୟ ପକ୍ଷରୁ କେତେକ ନିର୍ଦ୍ଦେଶନାମା ଜାରି କରାଯାଇଛି । କିନ୍ତୁ ପ୍ରଶାସନୀକ ଉଦାସୀନତା ଯୋଗୁଁ ଏହି ନିର୍ଦ୍ଦେଶନାମା ବିଶେଷଭାବେ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ସମସ୍ତ ନିୟମ ଉଲଙ୍ଘନ କରି ବାଲି ଚାଲାଣ ହେଉଥିବାରୁ କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ହୋଇ ଆସୁଛି । କିନ୍ତୁ ଗତ ୧୫ତାରିଖରେ ନୂତନ ଜିଲାପାଳ ରୂପେ କେ ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗ ଦେବାପରେ ପରିସ୍ଥିତି ବଦଳିବା ସଂପର୍କରେ ବହୁ ବୁଦ୍ଧିଜିବୀ ଆଶା ପ୍ରକଟ କରିଛନ୍ତି । ଆଜି ଜିଲାପାଳ ଆସୁଥିବାର ଜାଣି ଜିଲା ଓ ସ୍ଥାନୀୟ ପ୍ରଶାସନ ସଜାଗ ହୋଇଥିଲେ । ଫଳରେ ୬୦ନଂ ଜାତୀୟ ରାଜପଥର ଯାଉଥିବା ଓଆର୍୧୬-ଡି-୫୮୯୬, ଓଆର୍୦୪ଡି-୮୯୭୩, ଆର୍୧୬ଡି-୪୧୬୮, ଓଡି୦୧-୫୬୪୪ ପ୍ରଭୃତି ୬ଟି ଡମ୍ପର ଗୁଡିକୁ ତହସିଲଦାର ଅଭିମନ୍ୟୁ ପଣ୍ଡା ଜବତ୍ କରିଛନ୍ତି । ପରେ ଜିଲାପାଳ ଓଡିଶାକୁ ସୁବର୍ଣ୍ଣରେଖା ପ୍ରବେଶ କରିଥିବା ସ୍ଥାନ ମାକିଡିଆ, ବିଳାସପୁର ଅଂଚଳକୁ ଯାଇଥିଲେ । ସେଠାରେ ସେ ଦୀର୍ଘ ସମୟ ଧରି ଅତିରିକ୍ତ ଜିଲାପାଳ ସମ୍ବିତ୍ କୁମାର ନାୟକ, ଉପଜିଲାପାଳ ନିଲୁ ମହାପାତ୍ର, ତହସିଲଦାର ଅଭିମନ୍ୟୁ ପଣ୍ଡା ଓ ଅନ୍ୟ କେତେକ କର୍ମକର୍ତ୍ତାଙ୍କ ସହ ଦୀର୍ଘ ସମୟ ଆଲୋଚନା ଓ ତଦାରଖ କରିଥିଲେ । ଏ ସଂପର୍କରେ ସବିଶେଷ ତଥ୍ୟ ଜଣାଯିବାପରେ ବାଲିମାଫିଆମାନେ ସେମାନଙ୍କ ଉତ୍ତୋଳନ କାର୍ଯ୍ୟକୁ ବନ୍ଦ ରଖିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର ଘଟଣା ଜିଲାପାଳଙ୍କ ଫେରିଯିବାର ୧ ଘଣ୍ଟାପରେ ବିଭିନ୍ନ ସ୍ଥାନରେ ବାଲି ଉତ୍ତୋଳନ ପୁଣି ଆରମ୍ଭ ହୋଇଥିଲା । ଏବେ ବିଳାସପୁର, ରାଜନଗର, ଶିଖରପୁର ଓ ଭାନୁପୁର ଅଂଚଳରୁ ହଜାର ହାଜର ଟ୍ରାକ୍ଟର ଦ୍ୱାରା ବାଲି ଉତ୍ତୋଳ ନ ପ୍ରକ୍ରିୟା ପୁଣି ଆରମ୍ଭ ହେବାରୁ ତାହା ଜିଳାପାଳଙ୍କୁ ଖୋଲା ଖୋଲି ଚ୍ୟାଲେଞ୍ଜ ବୋଲି ସାଧାରଣରେ ଆଲୋଚନା ହେଉଛି । ଜିଲାପାଳ ଦୃଢହସ୍ତରେ ଏପରି ବେଆଇନ୍ କାର୍ଯ୍ୟକୁ ଦମନ କରିବାପାଇଁ ଅଂଚଳବାସୀ ନିବେଦନ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା