ନୃସିଂହନାଥ ମନ୍ଦିରର ଉନ୍ନତି କରଣ ନିମନ୍ତେ ବୈଠକ…

ପଦ୍ମପୁର (ସମୃଦ୍ଧ ଓଡିଶା) ପଶ୍ଚିମ ଓଡିଶାର ଅନ୍ୟତମ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରର ଉନ୍ନତି କରଣ ତଥା ସୌନ୍ଦର୍ଯ୍ୟ କରଣ ନିମନ୍ତେ ବରଗଡ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ନୃସିଂହନାଥ ପୀଠରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଲାପାଳ ପ୍ରଧାନ ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହିତ ନୃସିଂହନାଥ ମନ୍ଦିରର ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ବରିଷ୍ଠ ସେବାୟତ, ଅନ୍ୟାନ୍ୟ କର୍ମଚାରୀ, ବ୍ୟକ୍ତି ବିଶେଷ ତଥା ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ମତାମତ ରଖିଥିଲେ । ନୃସିଂହନାଥ ମନ୍ଦିରର ସୁରକ୍ଷା, ପିଇବା ପାଣି ବ୍ୟବସ୍ଥା ପାଇଁ ଓଭର ହେଡ ଟ୍ୟାଙ୍କ ନିର୍ମାଣ, ଯାତ୍ରାମାନଙ୍କ ବିଶ୍ରାମ ପାଇଁ ପ୍ରତୀକ୍ଷାଳୟ ନିର୍ମାଣ, ଆଲୋକ ବ୍ୟବସ୍ଥା, ପାଇକମାଲ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଓ ଆଲୋକିତ କରଣ, ଦୋକାନୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଭେଣ୍ଡିଙ୍ଗ ଯୋନ ନିର୍ମାଣ, ଯାତ୍ରୀମାନଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ, ସାଂସ୍କୃତିକ ମଣ୍ଡପ ନିର୍ମାଣ, ଭୋଗ ମଣ୍ଡପ, ରୋଷେଇଶାଳର ମରାମତି, ଚାଳଧାର ଠାରୁ ପଞ୍ଚୁପାଣ୍ଡବ ଘାଟ ପର୍ଯ୍ୟନ୍ତ ପାହାଚର ମରାମତି, ଆର୍ଲାକିତ ବ୍ୟବସ୍ଥା ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଏହାପରେ ଜିଲାପାଳଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀମାନେ ମନ୍ଦିର ଚତୁପାର୍ଶ୍ୱ ଚାଳଧାର, ପଞ୍ଚୁପାଣ୍ଡବ, ବିଭିନ୍ନ ଘାଟ ପରିଦର୍ଶନ କରିଥିଲେ । ମନ୍ଦିରର ସୁରକ୍ଷା ଓ ଉନ୍ନତି କରଣ ନିମନ୍ତେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆବଶ୍ୟକ ଥିବା ବିଭିନ୍ନ କାମ ପାଇଁ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ପାଇକମାଳ ବ୍କକ ବିଡିଓ ତଥା ମନ୍ଦିର ଟ୍ରଷ୍ଟି ସଭାପତି ସୁରେନ୍ଦ୍ର ମେହେର, ପାଇକମାଳ ତହସିଲଦାର ମନୋଜ କୁମାର ମେହେର,ଅତିରିକ୍ତ ତହସିଲଦାର ସୁଶାନ୍ତ ରଣା, ପାଇକମାଲ ଥାନା ଅଧିକାରୀ ବିଶ୍ଵଜିତ ମନବୋଧ, ପାଇକମାଲ ରେଞ୍ଜର ଗିରିଧାରୀ ପ୍ରଧାନ, ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ, ପଦ୍ମପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରଜନୀ କାନ୍ତ ବହିଦାରଙ୍କ ସମେତ ମନ୍ଦିରର ସେବାୟତ ତଥା କର୍ମଚାରୀ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହାପରେ ଜିଲାପାଳ ପ୍ରଧାନ ତଥା ଅନ୍ୟାନ୍ୟ ଅଧିକାରୀମାନେ କସ୍ତୁରବା ଗାନ୍ଧୀ ମାତୃ ନିକେତନ ପରିଦର୍ଶନରେ ଯାଇ ଅନ୍ତେବାସୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହିତ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ରିପୋର୍ଟ : ନିରୋଜ କୁମାର ପାଣୀ