ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ପଞ୍ଚାୟତଟି ଏକ ଉପାନ୍ତ ଅଞ୍ଚଳ ତଥା ପଶ୍ଚିମବଙ୍ଗର ଉଦବୃତ ବର୍ଷାପାଣି ଦ୍ୱାରା ବ୍ୟାପକ କ୍ଷତି ହୋଇଥାଏ । ତେଣୁ ପଞ୍ଚାୟତର କେତେକ ରାସ୍ତା, ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ଓ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଜରୁରୀ ହୋଇ ପଡୁଥିବାରୁ ସରପଞ୍ଚ ମମତାରାଣୀ ହୁଇ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନଙ୍କୁ ଲିଖିତ ଭାବେ ଜଣାଇ କେତେକ ନିର୍ମାଣ କାର୍ଯ୍ୟ ତ୍ୱରାନ୍ନତି କରିବା ପାଇଁ ଫେରାଦ କରିଛନ୍ତି । କମାରଶାଳିଆ ଗାଁଠାରୁ ବାଉଁଶବଣୀ ରାସ୍ତା ମରଣାଯନ୍ତାରେ ପରିଣତ ହୋଇଛି । ସେ ଅଂଚଳର କଳାମାଟି (ବ୍ଲକ କୋଟେଡ ସଏଲ) ଯୋଗୁଁ ରାସ୍ତାଘାଟ ନଷ୍ଟ ହେଉଥିବାରୁ ଏହି ରାସ୍ତାକୁ ମରାମତି କରିବାଲାଗି ୧୦ଲକ୍ଷ ଟଙ୍କା ଯୋଗାଇ ଦେବାକୁ ସେ ଦୃଢ ଦାବି କରିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟଟି ଅସୁରକ୍ଷିତ ଅବସ୍ଥାରେ ରହିଥିବାରୁ ନବନିର୍ମାଣ ଲାଗି ୩୨ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ଜଳେଶ୍ୱର ପଞ୍ଚାୟତ ସମିତି ଚିଠି ନଂ ୨୩୯ ତା ୩୧-୧-୧୮ରେ ବିଭାଗୀୟ ଉଚ୍ଚ କର୍ମକର୍ତ୍ତାଙ୍କୁ ପଠାଯାଇଥିଲେ ମଧ୍ୟ ତାହା ମଞ୍ଜୁରୀ ହୋଇନଥିବାରୁ ସରପଞ୍ଚ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ସୁଗୋ-କମାରଶାଳିଆ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତାର ଦୂରାବସ୍ଥା ବଢି ଯାଇଥିବାରୁ ତାର ମରାମତି ଲାଗି ୩୬ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ଗ୍ରାମଉନ୍ନୟନ ପକ୍ଷରୁ ଯାଇଥିବାରୁ ତାହା ମଞ୍ଜୁରୀ କରିବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡ଼ା