ଫୁଲବାଣୀ(ସମୃଦ୍ଧଓଡିଶା) ନ୍ୟାୟ ପାଇଁ ପ୍ରିୟଙ୍କା ଏବେ ଥାନା ଆଗରେ ଧାରଣାରେ ବସିଛନ୍ତି I ସେ ବର୍ତ୍ତମାନ ୯ ମାସର ଗର୍ଭବତୀ। ଏଭଳି ଘଟଣା କନ୍ଧମାଳ ଜିଲ୍ଲା କୋଟଗଡ ଥାନାରେ ଦେଖିବାକୁ ମିଳିଛି। ଧାରଣା ଦେଇଥିବା ଗର୍ଭବତୀ ଜଣକ ହେଉଛନ୍ତି ବୁଡାଗୁଡା ଗାଁର ପ୍ରିୟଙ୍କା ସିଂ। ସ୍ୱାମୀ ଉତ୍ତମ ସିଂଙ୍କ ବିରୋଧରେ ଅଭିଯୋଗ ଆଣି ଧାରଣା ଦେଇଛନ୍ତି ପ୍ରିୟାଙ୍କା। ପ୍ରିୟଙ୍କାଙ୍କ ସ୍ୱାମୀ ହେଉଛନ୍ତି ଉତ୍ତମ ଉଠାଣ ସିଂ। ସେ ଜଣେ ସରକାରୀ ଗ୍ରାମ ରୋଜଗାର ସେବକ। ପତ୍ନୀ ଥାଉଁ ଥାଉଁ ଉତ୍ତମ ଆଉ ଜଣଙ୍କୁ ବିବାହ କରିଛନ୍ତି। ଆଉ ପ୍ରଥମ ପତ୍ନୀ ପ୍ରିୟଙ୍କାଙ୍କୁ ସେ ନିର୍ଯ୍ୟାତନା ଦେଉଛନ୍ତି। ଏବେ ପ୍ରିୟଙ୍କା ୯ ମାସର ଗର୍ଭବତୀ ଥିବା ବେଳେ ଉତ୍ତମଙ୍କ ନିର୍ଯାତନା ଅସହ୍ୟ ହେଉଛି ଓ ଗଭସ୍ଥ ପିଲା ପାଇଁ ବିପଦ ସୃଷ୍ଟି ହେଉଛି। ତେଣୁ ପ୍ରିୟଙ୍କା ଏନେଇ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦୁଇ ଦୁଇ ଥର ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ନ୍ୟାୟ ମିଳି ନ ଥିଲା। ଶେଷରେ କିଛି ଉପାୟ ନ ପାଇ ଡାକରେ ଅଭିଯୋଗପତ୍ର ଥାନାକୁ ପଠାଇଥିଲେ। ଏହା ସତ୍ତ୍ୱେ ତାଙ୍କୁ ନ୍ୟାୟ ମିଳି ନ ଥିଲା। ବରଂ ନିର୍ଯାତନା ବଢ଼ୁଛି ବୋଲି ପ୍ରିୟାଙ୍କା କହିଛନ୍ତି। ସ୍ୱାମୀ ଉତ୍ତମ ଓ ତାଙ୍କ ଦ୍ୱିତୀୟ ପତ୍ନୀ ନିର୍ଯାତନା ଦେଉଛନ୍ତି। ତା ସ୍ୱାମୀ ମାରଧର କରୁଥିବା ପ୍ରିୟଙ୍କା ଅଭିଯୋଗ କରି କହିଛନ୍ତି। ସବୁଆଡୁ ନିରାଶ ହେବା ପରେ ପ୍ରିୟଙ୍କା ଥାନା ଆଗରେ ଧାରଣାରେ ବସିଛନ୍ତି। ନ୍ୟାୟ ନ ମିଳିବା ଯାଏଁ ଥାନା ଆଗରୁ ଉଠିବି ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି। ପ୍ରିୟଙ୍କା କହିଛନ୍ତି, ମୁଁ ଜଣେ ଗର୍ଭବତୀ। ନ୍ୟାୟ ପାଇଁ ବାରମ୍ୱାର ଥାନାକୁ ଆସିଛି। ମୋତେ ନ୍ୟାୟ ମିଳୁନି। ନ୍ୟାୟ ନମିଳିବା ଯାଏଁ ଧାରଣା ସ୍ଥଳରୁ ଉଠିବି ନାହିଁ। ମରିଯିବି ପଛେ ଉଠିବି ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି।
ରିପୋର୍ଟ : ପ୍ରଭାତ କୁମାର ବେହେରା