ଛତ୍ରପୁର (ସମୃଦ୍ଧ ଓଡିଶା) କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ଶିକ୍ଷିତ କରି ସମାଜରେ ପରିଚୟ ସୃଷ୍ଟି କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ । ଯେଉଁ ଘରେ କନ୍ୟା ଜନ୍ମ ହେବ ସେହି ଘରେ ପ୍ରଶାସନ କନ୍ୟା ଜନ୍ମ ଉତ୍ସବ ପାଳନ କରିବ । ପରିବାର ସଦସ୍ୟମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବା ସହ ଜନ୍ମ ଗ୍ରହଣ କରିଥିବା କନ୍ୟାର ପିତାମାତାଙ୍କୁ ଜିଲ୍ଲା ପ୍ରଶାସନ ପ୍ରଂଶସା ପତ୍ର ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହି ପରିପ୍ରେକ୍ଷୀରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ‘ମୋ ଗେହ୍ଲା ଝିଅ’ ଜିଲ୍ଲାସ୍ତରୀୟ ମହୋତ୍ସବ ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଛତ୍ରପୁର ବ୍ଲକ ସୁନ୍ଦରପୁର ଗ୍ରାମର ନବଜାତ ଶିଶୁ କନ୍ୟାର ମାତା ନନ୍ଦନୀ ସାହୁ କେକ୍ କାଟି ଏହି ଜିଲ୍ଲାସ୍ତରୀୟ ମହୋତ୍ସବକୁ ଉଦଘାଟନ କରିଥିଲେ । ପରେ ମୋ ଗେହ୍ଲା ଝିଅ ଲୋଗକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ଉଦଘାଟିତ କରାଯାଇଥିଲା । ‘ମୋ ଗେହ୍ଲା ଝିଅ’ ଜିଲ୍ଲାସ୍ତରୀୟ ମହୋତ୍ସବ ଶୁଭାରମ୍ଭ ଅବସରରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିଜର ଅଭିଭାଷଣରେ ଝିଅ ହେଉଛି ଲକ୍ଷ୍ମୀ ପ୍ରତିମା ବୋଲି କହିଛନ୍ତି । ମୋର ଗୋଟିଏ ଝିଅ ଥିବାରୁ ମୁଁ ନିଜକରୁ ଧନ୍ୟ ମନେ କରୁଛି । ଏଣୁ ଦୟାକରି ପୁଅ ଓ ଝିଅ ମଧ୍ୟରେ କୌଣସି ଭେଦଭାବ ରଖନ୍ତୁ ନାହିଁ । ଝିଅ ନ ଥିଲେ ଏ ଦୁନିଆ ରହିବ ନାହିଁ । ମୁଁ ଆଜି ଏଠାରେ ଉପସ୍ଥିତ ରହିଛି କେବେଳ ମୋ ମାଆ ପାଇଁ, ସେ ମଧ୍ୟ ତାଙ୍କରି ମାଆ ପାଇଁ ଦୁନିଆ ଦେଖିଛି । ଦୁନିଆ ରହିବାକୁ ହେଲେ ଝିଅ ଆବଶ୍ୟକ । ସେମାନଙ୍କୁ ଉଚିତ୍ ଶିକ୍ଷା, ମୌଳିକ ସୁବିଧା ଯୋଗାଇବା ଦେବା ସହ ସେମାନଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ରହିଛି । ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନାର ପଦକ୍ଷେପ ନେଉଛନ୍ତି । ସେହି ପ୍ଲାଟ୍ଫର୍ମକୁ ସଫଳ କରିବାକୁ ହେଲେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମକୁ ତ୍ୱାରାନ୍ୱିତ କରିବାକୁ ପ୍ରୟାସ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି । ସେହିପରି ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୋ ଗେହ୍ଲା ଝିଅ ଯୋଜନା ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିବାରୁ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିବା ସହ ତାଙ୍କରି ମଧ୍ୟ ଗୋଟିଏ ଝିଅ ଥିବାରୁ ସେ ନିଜକୁ ଧନ୍ୟମନେ କରିଥିଲେ । ପୁଅ ମାନଙ୍କ ଠାରୁ ଅଧିକା ବାପାମାଆ ମାନଙ୍କ ଝିଅ ଯତ୍ନ ନେଇଥାନ୍ତି ବୋଲି କହିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା ନାରୀମାନଙ୍କୁ ସମ୍ମାନ ସହ ସ୍ୱାବଲମ୍ବୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ତାହାର ଏକ ଅଂଶ ବିଶେଷ ମୋ ଗେହ୍ଲା ଝିଅ ଯୋଜନା ଜିଲ୍ଲା ପାଇଁ ଆହୁରୀ ସଫଳତା ଆଣିବ ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାଦନନ୍ଦ ମିଶ୍ର, ଜିଲ୍ଲା ସମାଜ ଓ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ପ୍ରମୁଖ ଆଜିର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ମତବ୍ୟକ୍ତ ରଖିଥିଲେ । ବିଜୁ କନ୍ୟାରତ୍ନ ଯୋଜନାର ଜିଲ୍ଲା ସଂଯୋଜକ ଶରତ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଡିପିଏମ୍ ଶ୍ୟାମସୁନ୍ଦର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଏକଶହରୁ ଅଧିକା ନବଜାତ କନ୍ୟା ଶିଶୁ ଜନ୍ମ କରିଥିବା ମାତାମାନଙ୍କୁ ଜିଲ୍ଲା ପ୍ରଶାସନ ପୁଷ୍ପଗୁଚ୍ଛ ସହ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ମିଳିତ ଭାବେ ପରିଚାଳନା କରିଥିବା ବେଳଏ ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ ଓ ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ଅରୁଣ କୁମାର ନାୟକ, ଡିସିପିଓ କାର୍ଯ୍ୟାଳୟର ସୁଦାମ ପାଣିଗ୍ରାହୀ, ଶିବ ପ୍ରସାଦ ରଥ ଏବଂ ସମସ୍ତ ଅଙ୍ଗନବାଡି, ସୁପରଭାଇଜର ଓ ଆଶାକର୍ମୀମାନେ ସହଯୋଗ କରିଥିଲେ । ଏହି ଅବସରରେ ଛତ୍ରପୁର ବ୍ଲକ ବଡମାଧପୁର ଗ୍ରାମର କନ୍ୟା ଜନ୍ମ କରିଥିବା ଜଣେ ମାଆ ଡି.ଲକ୍ଷ୍ମୀ ରେଡ୍ଡି ଓ ଲକ୍ଷ୍ମୀପୁର ପଞ୍ଚାୟତ ଅନନ୍ତପୁର ଗ୍ରାମର ସୀମା ବେହେରା ଜିଲ୍ଲାସ୍ତରୀୟ ମହୋତ୍ସବରେ ସେମାନେ ଶିଶୁ ଜନ୍ମ କରିଥିବାର ଆଜି ନିଜକୁ ଗୌରବ ଅନୁଭବ କରୁଛନ୍ତି । ଏଣୁ ଝିଅ ଜନମ ପରିବାର ପାଇଁ ଲକ୍ଷ୍ମୀ ପ୍ରତିମା ଭଳି । ଏଭଳି ବାର୍ତା ଜିଲ୍ଲା ତଥା ରାଜ୍ୟ ଏବଂ ଦେଶରେ ପହଞ୍ଚାଇବା ପାଇଁ ଉଭୟ ମାଆ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କାର୍ଯ୍ୟାଳୟ ପରିସରର ଠାରୁ ଏକ ସଚେତନତା ରାଲି କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରାଲି ରେ କନ୍ୟା ମାନେ ଯୋଗଦେଇ ଥିଲେ । ସେପଟେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଜିଲ୍ଲାବାସୀ । ତେବେ ଝିଅ ମାନଙ୍କୁ ସମସ୍ତ କ୍ଷେତ୍ରରେ ଅଗ୍ରାଧିକାର ପୂର୍ବରୁ ଦିଆଯାଉଥିବା ବେଳେ ଆଜିର ଏହି ଏହି ଗେହ୍ଲା ଝିଅ କାର୍ଯ୍ୟକ୍ରମ ବେଶ୍ ପ୍ରଶଂସନୀୟ ବୋଲି କହିଛନ୍ତି ଅଭିଯାନରେ ଅଂଶ ଗ୍ରହଣ କରିଥିବା ମା ଏବଂ ପରିବାର ବର୍ଗ ମାନେ । ଏଭଳି ସଚେତନତା କାର୍ଯ୍ୟକ୍ରମ କରାଯିବା ଦ୍ୱାରା ନିଶ୍ଚିତ ଭାବେ ସମାଜରେ କନ୍ୟାଭ୍ରୃଣ ହତ୍ୟା କମିବା ସହିତ କନ୍ୟା ପ୍ରତି ହେଉଥିବା ଅତ୍ୟାଚାର ମଧ୍ୟ କମିବ ବୋଲି ସେମାନେ ପ୍ରକାଶ କରିଛନ୍ତି । ଏହା ଛଡା ଏହି ଅଭିଯାନ କିଭଳି ଭାବେ ସଫଳତା ହାସଲ ସେ ନେଇ ପ୍ରଶାସନ ମଧ୍ୟ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି । ପୂର୍ବରୁ ରାଜ୍ୟ ସରକାର କନ୍ୟାଭ୍ରୃଣ ହତ୍ୟାକୁ ରୋକିବା ନିମନ୍ତେ ବିଜୁ କନ୍ୟା ରତ୍ନ ଯୋଜନା ବେଶ ମାତ୍ରାରେ ସଫଳତା ହାସଲ ପାଇବା ପରେ ଜିଲ୍ଲାରେ ଏହି ଯୋଜନା ଶୁଭାରମ୍ଭ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା