ପରିବା ବୋଝେଇ ଡାଲା ଅଟୋରୁ ୧୫ କେଜି ଗଞ୍ଜେଇ ଜବତ, ଚାଳକ ଫେରାର୍…

ଦିଗପହଣ୍ଡିି (ସମୃଦ୍ଧ ଓଡିଶା) ଗଜପତିରୁ ଭାୟା ଡେଙ୍ଗାଓସ୍ତା ଓ ଦିଗପହଣ୍ଡି ଦେଇ ଦୈନିକ ରେଶମ ସହର ବ୍ରହ୍ମପୁର କିମ୍ବା ଅନ୍ୟାନ୍ୟ ସହରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଯାହା ଚର୍ଚ୍ଚା ଜୋର୍ ଧରିଥିଲା ତାହାର ଏକ ଉଦାହରଣ ଗୁରୁବାର ଦେଖିବାକୁ ମିଳିଛି । ୩୨୬ନଂ ଜାତୀୟ ରାଜପଥର ଡେଙ୍ଗାଓସ୍ତା ଠାରେ ଗୁରୁବାର ଭୋର୍ ସକାଳେ ଏକ ନମ୍ବର ବିହୀନ ପରିବା ବୋଝେଇ ଡାଲା ଅଟୋ କୌଣସି ଏକ ସ୍ଥାନରେ ଦୂର୍ଘଟଣା ଘଟାଇ ଡେଙ୍ଗାଓସ୍ତା ନିକଟରେ ଛାଡିଦେଇ ଚାଲିଯାଇଥିଲା । ପରିବା ବୋଝେଇ ଡାଲା ଅଟୋଟିରେ ପନିପରିବା ଆଦୌ ନଥିବା ବେଳେ କେବଳ ଖାଲି ବାସ୍କେଟ୍ ସବୁ ଭର୍ତ୍ତି ହୋଇ ରହିଥିଲା । ସେଥି ମଧ୍ୟରେ କିଛି ପ୍ୟାକେଟିଂ ହୋଇ ରହିଥିବା ବସ୍ତୁ ବିଶେଷକୁ ଦେଖି ବାସିନ୍ଦା ଦିଗପହଣ୍ଡି ଥାନା ପୋଲିସକୁ ଖବର କରିଥିଲେ । ଖବର ପାଇ ଦିଗପହଣ୍ଡି ଆଇଆଇସି ଗୌରାଙ୍ଗ ସାହୁ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଥିବା ବେଳେ ଗଞ୍ଜେଇ ବାସ୍ନା ହୋଇଥିଲା । ଗଞ୍ଜେଇର ଗନ୍ଧକୁ ବାରି ଥାନା ପୋଲିସ ତହସିଲଦାରଙ୍କୁ ଖବର ଦେଇଥିଲେ । ପରେ ଦିଗପହଣ୍ଡି ତହସିଲର ଅତିରିକ୍ତ ତହସିଲଦାର ମନୋଜ ପ୍ରଭାକର କୁଜୁର୍ଙ୍କ ଉପସ୍ଥିତିରେ ଉକ୍ତ ପ୍ୟାକେଟିଂ ସବୁ ଜବତ କରି ତାହାକୁ ଓଜନ କରାଯାଇଥିଲା । ସେଥିରେ ୧୫ କେଜି ଗଞ୍ଜେଇ ରହିଥିବା ସ୍ପଷ୍ଟ ହେବା ପରେ ତାହାକୁ ଜବତ କରାଯାଇଥିଲା । ଏନେଇ ଦିଗପହଣ୍ଡି ଥାନାରେ କେସନଂ ୧୨୮ା୧୯ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଫେରାର୍ ହୋଇଯାଇଥିବା ଚାଳକଙ୍କୁ ଗିରଫ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି ବୋଲି ଆଇଆଇସି ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା