ପରୀକ୍ଷା ଓ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ ସହ ସଠିକ ତଦନ୍ତ କରି ପଦକ୍ଷେପ ନେବା ପାଇଁ ମହିଳା ମହାସଂଘର ଦାବୀ…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ଗ୍ରାମାଞ୍ଚଳରେ ଗଠିତ ହୋଇଥିବା ମହିଳା ଗୋଷ୍ଠିଙ୍କ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବା ସହ ଅଧିକରୁ ଅଧିକମାତ୍ରାରେ ମହିଳା ଗୋଷ୍ଠିଙ୍କ ସାମାଜିକ ଅର୍ଥନୈତିକ ବିକାଶ ପାଇଁ ସରକାରୀ ସ୍ତରରେ ଗୁରୁତ୍ୱ ଦିଆଯାଇଛି । ଗ୍ରାମାଞ୍ଚଳର ମହିଳାଗୋଷ୍ଠିଙ୍କୁ ପଞ୍ଚାୟତସ୍ତରରେ ଏକତ୍ରିତ କରି ମହିଳା ମହାସଂଘ ଗଠନ ସହ ମହାସଂଘକୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ପଞ୍ଚାୟତସ୍ତରରେ ମହିଳା ମହାସଂଘ ଗଠନ ସହ ସଂଘର ସୁପରିଚାଳନା ଓ ସରକାରୀ ଯୋଜନାର ହିସାବ ନିକାଶ ଆର୍ଥିକ କାରବାର ଆୟ ବ୍ୟୟ ତଦାରଖ ସମେତ ବିଭିନ୍ନ କାର୍ଯ୍ୟ ପରିଚାଳନା ପାଇଁ ପଞ୍ଚାୟତସ୍ତରରେ ଦକ୍ଷ ନଥିପତ୍ର ପରିଚାଳିକା (ଏମବିକେ) ଓ ବ୍ୟାଙ୍କମିତ୍ର ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ନିର୍ଦ୍ଧିଷ୍ଟ ଯୋଗ୍ୟତା ମେଧା ଅଭିଜ୍ଞତା ଭିତ୍ତିରେ ବ୍ଲକସ୍ତରରେ ଏହି ପଦବୀ ପାଇଁ ପ୍ରାର୍ଥୀନୀ ମାନଙ୍କ ଠାରୁ ଆବେଦନ ଆହ୍ୱାନ କରାଯିବା ସହ ଲିଖିତ ଓ ମୌଖିକ ପରୀକ୍ଷାର ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ସାନଖେମୁଣ୍ଡି ବ୍ଲକ ପରିସରରେ ଗତ ୭ ତାରିଖରେ ଅନୁଷ୍ଠିତ ହୋଇଥିବା ଏମବିକେ ଓ ବ୍ୟାଙ୍କ ମିତ୍ର ପାଇଁ ଲିଖିତ ମୌଖିକ ପରୀକ୍ଷାରେ ଘୋର ଚଞ୍ଚକତା ସହ ଅନିୟମିତତା ହୋଇଥିବା ନେଇ ଆବେଦନ କରି ପରୀକ୍ଷା ଦେଇଥିବା ପ୍ରାର୍ଥୀନୀ ଓ ମହିଳା ମହାସଂଘର କର୍ମକର୍ତ୍ତା ଓ ସଭ୍ୟାମାନେ ଆପତ୍ତି ଅଭିଯୋଗ କରିଛନ୍ତି । ସାନଖେମୁଣ୍ଡିବ୍ଲକ ଟିଗୋବିନ୍ଦପୁର ପଞ୍ଚାୟତ ମହିଳା ମହାସଂଘର ଶତାଧିକ ମହିଳା ଗତକାଲି ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କୁ ପରୀକ୍ଷା ଓ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସମ୍ପର୍କରେ ଅଭିଯୋଗ ଦେବାସହ ସଠିକ ତଦନ୍ତକରି ପଦକ୍ଷେପ ନେବା ପାଇଁ ଦାବୀ କରିଛନ୍ତି । ମହାସଂଘର ଦକ୍ଷ ନଥିପତ୍ର ପରିଚାଳିକା ପାଇଁ ଲିଖିତ ଓ ମୌଖିକ ପରୀକ୍ଷାରେ କମ୍ପ୍ୟୁଟର ଜ୍ଞାନକୌଶଳ ଓ ଡିଗ୍ରୀ ଡିପ୍ଲୋମା ଗ୍ରାଜୁଏଟ ଅଭିଜ୍ଞତାସମ୍ପନ୍ନ ପ୍ରାର୍ଥୀନୀଙ୍କୁ ଉପେକ୍ଷା କରାଯିବା ସହ ମହାସଂଘର ସମ୍ପାଦିକାଙ୍କୁ ଶିକ୍ଷା ଓ ଯୋଗ୍ୟତାର କୌଣସି ମାନଦଣ୍ଡ ନଥାଇ ମନୋନୀତ କରାଯାଇଥିବା ଅଭିଯୋଗ କରିଛନ୍ତି । ଆଦୌ ଇଁରାଜୀ ଜଣାନଥିବା ଦେଖିଲେଖା ଶୃତଲିଖନ ଜାଣିନଥିବା ଜଣେ ମହିଳାଙ୍କୁ ଚୟନମଣ୍ଡଳି ଓ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ କିଭଳି ପରୀକ୍ଷାରେ ଉତ୍ତୀର୍ଣ୍ଣ କରି ମନୋନୀତ କଲେ ତାହା ପଞ୍ଚାୟତର ସମସ୍ତ ମହିଳାଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଦୁଇଟି ପଦବୀ ପାଇଁ ଦୁଇଟି ପୃଥକ ପରୀକ୍ଷା ବ୍ୟବସ୍ଥା ଥିବାବେଳେ ଗୋଟିଏ ପଦବୀ ପାଇଁ ପରୀକ୍ଷା ଦେଇଥିବା ପ୍ରାର୍ଥୀନୀଙ୍କ ମାର୍କକୁ ଦୁଇ ଭାଗରେ ବିଭକ୍ତ ବେଆଇନ ଭାବେ କରାଯାଇଥିବା ସଙ୍ଗୀନ ଅଭିଯୋଗ କରାଯାଇଛି । ମେଧାବୀ ଯୋଗ୍ୟତା ସମ୍ପନ୍ନ ପ୍ରାର୍ଥୀନୀ ପଦବୀରୁ ବଞ୍ଚିତ ହୋଇ ଥିବାବେଳେ ମହାସଂଘର ନିଷ୍ପତ୍ତି ଓ ସୁପାରିଶରେ ମନୋନୀତ କରାଯାଇଥିବା ନେଇ ବିପିଏମ କହୁଥିବା ନେଇ ବିଡ଼ିଓଙ୍କୁ ମହିଳାମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ବେଆଇନଭାବେ ଅନିୟମିତତା କରି ହୋଇଥିବା ପଞ୍ଚାୟତ ମହିଳା ମହାସଂଘର ଏମବିକେ ପଦବୀ ଚୟନକୁ ରଦ୍ଦ କରିବା ସହ ମହାସଂଘ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପଞ୍ଚାୟତ କାର୍ଯ୍ୟାଳୟରେ ପୁନଃ ପରୀକ୍ଷା କରି ପୁନଃପଦବୀ ଚୟନ ପାଇଁ ମହିଳା ଗୋଷ୍ଠି ଦାବୀ କରିବା ସହ ୭ ଦିନ ମଧ୍ୟରେ ପଦକ୍ଷେପ ନହେଲେ ସଂଘରୁ ମହିଳାମାନେ ସମୂହ ଇସ୍ତଫା ଦେଇ ଆନ୍ଦୋଳନ କରିବେ ବୋଲି ମହାସଂଘର ସଭାପତି ସୁଦେଷ୍ନା ପାତ୍ର, କିଶ୍ୱରୀ ପ୍ରଧାନ, ସଜନୀ ବିଷୋୟୀ, ଶର୍ମିଷ୍ଠା ନାୟକ, ପାର୍ବତୀ ଗୌଡ଼, ଲିଲି ନାୟକ, ଭାଗ୍ୟ ବିଶୋଇ, ମେଳା ନାୟକ, ଚନ୍ଦ୍ରମା ନାୟକ, ରୀନା ଦଳେଇ, ବାସିନୀ ବିଶୋଇ, ସେବତୀ ନାୟକ, ଅତୁସି ପାତ୍ର, କବିତା ପରିଛା, ପୁଷ୍ପାଞ୍ଜଳି ନାୟକ, ଭାଗ୍ୟଲତା ପ୍ରଧାନଙ୍କ ସମେତ ଶତାଧିକ ମହିଳା ପ୍ରକାଶ କରିଛନ୍ତି । ବିଭାଗୀୟ ଜିଲ୍ଲା ଅଧିକାରୀଙ୍କ ସହ ଯୋଗାଯୋଗ କରି ପଦକ୍ଷେପ ନିଆଯିବ ବୋଲି ବିଡ଼ିଓ ନାୟକ ମହିଳା ଗୋଷ୍ଠିଙ୍କୁ ପ୍ରତିଶୃତି ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା