ବରଷା ରାତିରେ ଯେ ଯାହାର ଘରେ
ଶୁଅନ୍ତି ସମସ୍ତେ ଯାଇଁ,
କେଉଁଠାରେ କିଏ ଗୀତ ଗାଉଥାଏ
ପିଲା ଶୁଆଇବା ପାଇଁ ।
ପହିଲି ଆଷାଢ଼େ ବରଷଇ ମେଘ
ଆଣ୍ଠୁଆଣି ହୁଏ ପାଣି,
ପାଣିରେ ଡିଅଁନ୍ତି ଫକର ଫକର
ବେଙ୍ଗ ଆଉ ବେଙ୍ଗରାଣୀ ।
ଗହନେ ବାଜଇ ଯୋଡ଼ି ମହୁରୀ ଲୋ
ଘନ ଘନ ରାବେ କାକ,
ବୋହୂ ବାପଘରୁ ଭାର ଆସୁଛି ହୋ
ଶୁଭଇ ଉଠିଆ ଡାକ ।
ଆକାଶରେ ଚାଲେ କଳା ବଉଦ ଲୋ
ସୁଲୁ ସୁଲୁ ବହେ ବାଆ,
ବସା ଗଛ ଆଡ଼େ ଉଡ଼ିଯାଏ କାଉ
ରାବ ଦେଇ କାଆ କାଆ ।
ଜୁଳୁ ଜୁଳୁ ଜଳେ ଜୁଳୁଜୁଳିଆ ଗୋ
ଶାଶୁଘରେ ଗଲେ ତରା,
ମାଆ ଯାଇଛନ୍ତି ମାମୁଁ ଘରକୁ ଗୋ
ତୁରିତେ ଆସିବେ ପରା ।
ହୁଙ୍କା ଚାରିପିଠି ଫୁଟିଛି ଛତୁ ଗୋ
କିଏ ସେ ଛତୁ ତୋଳିଲା,
ଦୁଇକୂଳ ଖାଇ ପର୍ବତ ପ୍ରମାଣେ
ନଈ ତ ମାଡ଼ି ଆସିଲା ।
ଅକାତ ପାଣିରେ ଶାଶୁ ନଣନ୍ଦଙ୍କ
ଗଞ୍ଜଣା ସହି ନ ପାରି,
ବିସର୍ଜନ ଦେଲା ସୁବର୍ଣ୍ଣ ପ୍ରତିମା
କାହାର ଏ ନବନାରୀ ?
ଶ୍ରାବଣର ଧାରା ଶୋକପସରା ଗୋ
ବାଟ ଚାଲେ ବଳଦିଆ,
କେଣେ ଯାଉଛ ରେ ବଳଦିଆ ଭାଇ
ମେଘ ତ କଳାହାଣ୍ଡିଆ ।
ଗାଆଁ ତଳ ବିଲେ ମଇଁଷି ପଲ ଗୋ
କୁହାଟେ ମଇଁଷିଆଳ,
ମଇଁଷି ଦୁଧକୁ ବାସ ଚାଉଳ ଗୋ
ଜାଳିବାକୁ ଘଷି ଫାଳ ।
ପୋଖରୀ ହୁଡ଼ାରେ ଘୁଷୁରୀ ପଲ ଗୋ
କିଏ ସେ କଣ୍ଟା ମାଡ଼ିଲା,
ଗହୀର ବିଲରେ ଗୀତ ଗାଏ ଚଷା
ପବନ ଖରେ ବହିଲା ।
ନଈ ସେପାରିରେ ଘୋର ଅନ୍ଧାର ଗୋ
କିଏ ସେ ଗୀତ ଗାଉଛି,
ରହ ରହ ଆହେ ବିଦେଶୀ ବାଟୋଇ
ମେଘ ତ ମାଡ଼ି ଆସୁଛି ।
ଶ୍ରାବଣ ମାସରେ ଘୋର ବରଷା ହୋ
ଶୁଭେ ଘନ ଗରଜନ,
ପର୍ବତ ନାସୀର ମହାବଳ ବାଘ
କ୍ଷେପି ବୁଲେ ଗ୍ରାମ ବନ ।
ଗିରି ଗହନରେ ଝରଇ ଝରଣା
ମୟୂର ରାବ ଦିଅଇ,
ପର୍ବତ କୋଳକୁ ତେଜି ଯାଏ ନଈ
ଦୂର ସିନ୍ଧୁ ପାଶେ ବହି ।
ପଶୁ ପକ୍ଷୀ ନର ଗଛ ଘରଦ୍ବାର
ଭାସିଯାଏ ଜଳ ସଙ୍ଗେ,
ଜଳମୟ ଦିଶେ ଚଉଦିଗ ଯାକ
ପିଲା ଗୀତ ଗାନ୍ତି ରଙ୍ଗେ ।
ମେଘ ବରଷିଲା ଟପର ଟପର
କେଶୁର ମାଇଲା ଗଜା,
କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା ।।
ଲେଖକ : ଉଦ୍ଧାର-ମନୋଜ କୁମାର ପଣ୍ଡା