ପଶ୍ଚିମ ମେଦିନୀପୁର ଜିଲ୍ଲା କରୋନାରେ ରେଡ ଜୋନ୍ ଘୋଷିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏବେ ସମଗ୍ର ବିଶ୍ୱ କରୋନା ଆତଙ୍କରେ ଭୟଭିତ ଥିବା ବେଳେ ଅଦ୍ୟାବଧି ଗ୍ରୀନ ଜୋନ୍‌ରେ ଥିବା ଜଳେଶ୍ୱର ବ୍ଲକର ସୀମାରେ ଅନ୍ୟ ରେଡ ଜୋନ୍ ଏବଂ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଲାଗି ରହିଥିବାରୁ ଜଳେଶ୍ୱର ବାସୀ ନିଜକୁ ନିରାପଦ ମଣୁ ନାହାନ୍ତି । ସଂଗରୋଧ ସୃଷ୍ଟି ଲାଗି ସଚେତନତା ଆବଶ୍ୟକ ବୋଲି ବହୁ ବିଦ୍ଧିଜିବୀ ମତବ୍ୟକ୍ତ କରିଛନ୍ତି । ଏବେ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଗ୍ରୀନ ଜୋନଭାବେ ପରିଗଣିତ । ଜଳେଶ୍ୱର ବ୍ଲକର ଜନସଂଖ୍ୟା ପ୍ରାୟ ୨ଲକ୍ଷ ୧୯ହଜାର ହୋଇଥିବା ବେଳେ ୨୫ହଜାରରୁ ଅଧିକ ଲୋକ ବାହାର ରାଜ୍ୟ ଓ ଜିଲାରେ ବସବାସ କରି ଆସୁଛନ୍ତି ବୋଲି ସରକାରୀ ତଥ୍ୟରୁ ପ୍ରକାଶ । ଅଦ୍ୟାବଧି ପ୍ରାୟ ୫ହଜାର ଘର ବାହୁଡା ହୋଇଥିବା ବେଳେ ୪୨୩ଜଣ ବିଭିନ୍ନ ଟିଏମ୍‌ସିରେ ଅବସ୍ଥାନ କରୁଛନ୍ତି । ଜଳେଶ୍ୱର ବ୍ଲକରେ ଅଦ୍ୟାବଧି କରୋନା ପଜେଟିଭ ଚିହ୍ନଟ ହୋଇନଥିବା ବେଳେ ୪୧୫ଜଣ ବ୍ୟକ୍ତିଙ୍କ ସ୍ୱା ଟେଷ୍ଟ କରାଯାଇଛି । କିନ୍ତୁ ଏହି ବ୍ଲକର ପୂର୍ବରେ ଥିବା ଭୋଗରାଇ, ଦକ୍ଷିଣରେ ଥିବା ବସ୍ତା, ପଶ୍ଚିମରେ ଥିବା ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଜିଲା ଥିବା ବେଳେ ସେ ସବୁ ବ୍ଲକରୁ କରୋନା ପଜେଟିଭ୍ ବାହାରିଛି । ଉଦ୍‌ବେଗ ଜନକ ଅବସ୍ଥାରେ ରହିଛି ଜଳେଶ୍ୱର ଉତ୍ତରରେ ଥିବା ପଶ୍ଚିମ ମେଦିନୀପୁର ଜିଲାର ଦାନ୍ତୁନ ଓ ନୟାଗ୍ରାମ ଜିଲା । ସେଠାରୁ ବହୁ କରୋନା ପଜେଟିଭ୍ ବାହାରିଥିବାରୁ କେନ୍ଦ୍ର ସରକାର ରେଡ ଜୋନ୍ ଘୋଷଣା କରିଛନ୍ତି । ସ୍ୱାବ ଟେଷ୍ଟର ବିଶେଷ ବ୍ୟବସ୍ଥା କରାଯାଉନଥିବାରୁ ସେ ସବୁ ଅଞ୍ଚଳରୁ ପ୍ରକୃତ ତଥ୍ୟ ଆସି ପାରୁ ନାହିଁ । ଲକ୍‌ଡାଉନର ବିଶେଷ ପ୍ରଭାବ ବେଳେ ସେସବୁ ଅଞ୍ଚଳରେ ପଡିନଥିବା ବେଳେ ସାମାଜିକ ଦୂରତା ପ୍ରତି ଜନସାଧାରଣ ଗୁରୁତ୍ୱ ଦେଇ ନାହାନ୍ତି । ତେଣୁ ପଶ୍ଚିମବଙ୍ଗକୁ ଲାଗି ରହିଥିବା ଜଳେଶ୍ୱର ବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ନାଁକୁ ମାତ୍ର ସୀମା ସିଲ କୁହାଯାଉଥିବା ବେଳେ ୬୦ନଂ ଜାତୀୟ ରାଜପଥକୁ ବାଦ ଦେଲେ ଅନ୍ୟ କୌଣସି ଠାରେ ସୀମା ସିଲ ବିଶେଷ କାର୍ଯ୍ୟ କରୁନଥିବା ପ୍ରକାଶ । ଏପରିସ୍ଥଳେ ପଶ୍ଚିମ ମେଦିନୀପୁର ଜିଲାର ୫୫ ଗ୍ରାମ ସହିତ ଜଳେଶ୍ୱର ୧୧ଟି ପଞ୍ଚାୟତର ୫୦ଟି ଗ୍ରାମ ଅଙ୍ଗାଙ୍ଗୀଭାବେ ଜଡିତ କହିଲେ ଅତ୍ୟୁକ୍ତି ହେବନାହିଁ । ରାତି ପାହିଲେ ପଡୋଶୀ ପଶ୍ଚିମବଙ୍ଗ ଗ୍ରାମବାସୀ ଜମିକୁ ଆସିବା, ବନ୍ଧୁ ବର୍ଗଙ୍କୁ ସାକ୍ଷାତ କରିବା, ଖାଦ୍ୟ ପାନୀୟର ବ୍ୟବସ୍ଥା ହେବା, ବଜାର ହାଟରୋ ସମ୍ମିଳିତ ହେବା ଭଳି ଘଟଣା ମାନ ଦେଖିବାକୁ ମିଳୁଛି । ଓଲମରା ପଂଚାୟତର ୪ଟି ଗ୍ରାମ, ମାକିଡିଆର ୨ଟି ଗାଁ, କ୍ଷୁଦିଆ ମାଝିସାହିର ୪ଟି ଗାଁ, ସର୍ଦ୍ଦାରବନ୍ଧର ୧୪ଟି ଗାଁ (୪ଟି ବେଛପରି), ଗୋବରଘଟ୍ଟାର ୫ଟି ଗାଁ, ନଛିମପୁରର ୫ଟି ଗାଁ, ଶ୍ୟାମନଗରର ୪ଟି ଗାଁ, ଖୁଆଡର ୪ଟି ଗାଁ, ଦକ୍ଷିଣ ପ୍ରହରାଜର ୩ଟି ଗାଁ, ସୁଗୋର ୪ଟି ଗାଁ ଓ ନେତୁଆର ୫ଟି ଗାଁ ପଶ୍ଚିମ ମେଦିନୀପୁର ଜିଲାର ଦାନ୍ତୁନ ଓ ନୟାଗ୍ରାମ ଥାନା ଅଧିନସ୍ତ ଗାଁକୁ ଲାଗି ରହିଛି । ତେଣୁ ଏ ସବୁରୁ ସଂଗରୋଧ କରିବାଲାଗି ସଚେତନତା ଓ ପ୍ରଶାସନୀକ ସ୍ତରରେ ଦୃଢ ପଦକ୍ଷେପ ନେବା ଉଚିତ ବୋଲି ମତପ୍ରକାଶ ପାଉଛି । ସେହିପରି ପୂର୍ବ ମେଦିନୀପୁର ଜିଲାର ସୀମାରେ ଥିବା ମହନପୁର, ଦିଘା, କାନ୍ଥି, ଏଗ୍ରା ଓ ରାମ ନଗରକୁ ଲାଗି ରହିଥିବା ୧୩ଟି ପଞ୍ଚାୟତର ୩୨ଟି ଗାଁ ଲାଗି ରହିଥିବାରୁ ସେସବୁ ସ୍ଥାନରେ ପ୍ରଶାସନୀକ ତତ୍ପରତ ଆବଶ୍ୟକ ବୋଲି ମତପ୍ରକାଶ ପାଇଚି ।

ରିପୋର୍ଟ : ଭୂପତି କୁମାର ପରିଡା