ପାଟକୁରା ଜମାଦାର ଲଢ଼େଇର ଅନ୍ତ : ବିଜୟ ଉପରେ ସମସ୍ତଙ୍କ ନଜର …

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବାକୁ ଯାଉଛି । ଏହି ଆସନକୁ ହାତେଇବା ପାଇଁ ବିଜେଡିର ମାଳମାଳ ମନ୍ତ୍ରୀ,ବିଧାୟକ ଓ ନେତା ପାଟକୁରାରେ ଡେରା ପକାଇ ପୁରା ଦମରେ ଲାଗିଥିବାବେଳେ ଗତକାଲି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଯାଇ ହାଇଟେକ୍ ବସରେ ରୋଡ୍ ଶୋ’ କରିଛନ୍ତି। ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରଚାର ଅଭିଯାନ ଜାରି ରଖିଥିଲେ ମଧ୍ୟ ବିଜେଡି ତୁଳନାରେ ଏହି ଦୁଇ ଦଳ ପ୍ରଚାର ଅଭିଯାନରେ ବହୁ ପଛରେ ପଡ଼ିଯାଇଥିବା ଦେଖିବାକୁ ମିଳିଛି। ବିଜୟଙ୍କୁ ହରାଇବା ପାଇଁ ସବୁପ୍ରକାର ଷଡ଼ଯନ୍ତ୍ର ଚାଲିଥିବା ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଦିଲ୍ଲୀପ ରାୟ ନିଜ ବନ୍ଧୁ ବିଜୟ ମହାପାତ୍ରଙ୍କ ପାଇଁ ପାଟକୁରାରେ ପ୍ରଚାର କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ସେ ଆସି ନ ଥିବାରୁ ରାଜନୈତିକ ମୋଡ ଦିଗହରା ହୋଇଯାଇଛି । ବିଜୟ ମହାପାତ୍ର ବିଜେପି ପ୍ରାର୍ଥୀ ହେବାପରେ ଏପ୍ରିଲ ୪ ତାରିଖରେ ଦିଲ୍ଲୀପ ରାୟ ଏନେଇ ଗଣମାଧ୍ୟମକୁ ସୂଚନା ଦେବା ସହ ଏପ୍ରିଲ ୧୭ତାରିଖରେ ପାଟକୁରା ଯାଇ ବିଜୟଙ୍କୁ ସାକ୍ଷାତଆଲୋଚନା କରିଥିଲେ। ବିଜୟଙ୍କ ଜିତିବା ପାଇଁ ଯାହା ତାଙ୍କ ଦ୍ୱାରା ଆବଶ୍ୟକ ପଡ଼ିବ ତାହା ସେ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ମାତ୍ର ସେତେବେଳେ ବିଜେଡି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ନିର୍ବାଚନ ସ୍ଥଗିତ ହୋଇଯାଇଥିଲା। ଇତି ମଧ୍ୟରେ ରାଜ୍ୟ ନିର୍ବାଚନ ଘୋଷଣା ହୋଇ ପୁଣି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଯିବାରୁ ଦିଲ୍ଲୀପ ରାୟ ଭୟଭୀତ ହୋଇ ଆସୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି ଅନ୍ୟପକ୍ଷରେ ଜୁଲାଇ ୪ତାରିଖରେ ପାଟକୁରା ନିର୍ବାଚନ ପାଇଁ ନିର୍ବାଚନ କମିଶନ କାର୍ଯ୍ୟସୂଚୀ ଘୋଷଣା କରିବା ପରଠୁ ଶ୍ରୀ ରାୟ ଗଣମାଧ୍ୟମରୁ ସମ୍ପୂର୍ଣ୍ଣ ଦୂରେଇ ରହିଛନ୍ତି। ଏପରିକି ଗତ କିଛିଦିନ ଧରି ପାଟକୁରାରେ ପ୍ରଚାର ଜୋରଦାର ହେଉଥିବାବେଳେ ଶ୍ରୀ ରାୟ ଭୁବନେଶ୍ୱରରେ ଥାଇ ମଧ୍ୟ ସେଠାକୁ ଯିବାକୁ ଉଚିତ୍ ମଣିନଥିଲେ। ଅବଶ୍ୟ ଶ୍ରୀ ରାୟ ଏବେ ଦିଲ୍ଲୀରେ ଥିବା ଜଣାପଡ଼ିଛି । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ରାୟଙ୍କୁ ପାଟକୁରା ନଯିବା ପାଇଁ ବିଜେଡି ପକ୍ଷରୁ ଚାପ ପଡ଼ିଥିବା ମଧ୍ୟ ଚର୍ଚ୍ଚା ହେଉଛି । ପାଟକୁରାରେ ବିଜେଡି ପ୍ରାର୍ଥୀଙ୍କ ଜିତିବା ନବୀନଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ବିଜୟଙ୍କ ନିମନ୍ତେ ପ୍ରଚାର ମଇଦାନକୁ ନ ଓହ୍ଲାଇବାକୁ ତାଙ୍କୁ ପ୍ରବର୍ତ୍ତା ଯାଇଥିବା କୁହାଯାଉଛି। ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ବିଜୟଙ୍କ ପରାଜୟ ସୁନିଶ୍ଚିତ କରିବା ପାଇଁ ନିଜର ସବୁ କଳବଳକୌଶଳ ଲଗାଇ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଖାସ୍ ଏହି କାରଣରୁ ପାଟକୁରାରେ ବିଜେପି ପ୍ରଭାବଶାଳୀ ଢଙ୍ଗରେ ନିର୍ବାଚନ ପ୍ରଚାର କରିବାରେ ସକ୍ଷମ ହୋଇପାରି ନାହିଁ ବୋଲି କୁହାଯାଉଛି । ବିଜେପୁର ଉପନିର୍ବାଚନକୁ ବିଜେପି ଯେଭଳି ଢଙ୍ଗରେ ଲଢ଼ିଥିଲା ପାଟକୁରାରେ ସେଭଳି ଜୋସ୍ ଦେଖିବାକୁ ମିଳିନି। ଯଦିଓ ବିଜେପିର ବରିଷ୍ଠ ନେତାମାନେ ପାଟକୁରା ଯାଇ ବିଜୟ ମହାପାତ୍ରଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଛନ୍ତି ତଥାପି ବିଜେଡିକୁ କଡ଼ା ଟକ୍କର ଦେଇ କର୍ମୀ ଓ ସାଧାରଣ ଭୋଟରଙ୍କ ମନୋବଳକୁ ଆକୃଷ୍ଠ କରିବା ନିମନ୍ତେ ସେଭଳି କିଛି କରିବା ଭଳି ଦେଖା ଯାଉନାହିଁ । ଦୀର୍ଘ ଦିନ ହେଲା ପଛରେ ରହିଯାଇଥିବା ଲୋକପ୍ରିୟ ଲୋକପ୍ରେମୀ ବରିଷ୍ଠ ନେତାଙ୍କ ଏହି ସୁଯୋଗରେ କଣ ଜଗନ୍ନାଥ କରିବେ ସେ ନେଇ ବିଜୟ ବିଜୟଙ୍କ କିଭଳି ହେବ ସାଧାରଣରେ ଆଲୋଚନା ହେଉଛି ।

ରିପୋର୍ଟ : ଭ୍ରାମ୍ୟମାଣ ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା