ପାଟପୁର ଥାନା ୫୪୩ଜଣଙ୍କୁ ଜାରି କରିଛି ୧୦୭ ନୋଟିସ୍…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଆସନ୍ତା ୧୮ ତାରିଖ ଦିନ ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳୀରେ ରହିଥିବା ସମସ୍ତ ବିଧାନସଭା ଆସନରେ ଉଭୟ ଲୋକସଭା ସାଂସଦ ଏବଂ ବିଧାନସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ମତଦାନ ଗ୍ରହଣ ପାଇଁ ଦିନଧାର୍ଯ୍ୟ ରହିଛି । ଗଞ୍ଜାମ ଜିଲାର ଏକ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ଭାବେ ସର୍ବଦା ସମସ୍ତଙ୍କ ନଜରରେ ରହିଆସିଛି । ପ୍ରତ୍ୟେକ ନିର୍ବାଚନ ସମୟରେ ଏଠାରେ ଜନତା ଦନାର୍ଦ୍ଦନ ନିଜର ନେତା ପରିବର୍ତ୍ତନ କରିଥିବାର ପୂର୍ବରୁ ନଜିର୍ ରହିଆସିଛି । ତେବେ ନିର୍ବାଚନକୁ ଅବାଧ ଏବଂ ନିରପେକ୍ଷ କରିବା ପାଇଁ ଉଭୟ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ କରାଯାଇଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ସମ୍ପାଦନ କରିବା ପାଇଁ ବିଶୃଙ୍ଖଳାକାରୀ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ନୋଟିସ୍ ପଠାଯାଇଛି । କୌଣସି ପ୍ରକାର ବିଶୃଙ୍ଖଳା ଯେପରି ସୃଷ୍ଟି ନକରନ୍ତି ସେଥିନେଇ କଡା ତାଗିଦ୍ କରାଯିବା ସହିତ ସେମାନଙ୍କ ଉପରେ ଉଭୟ ପୋଲିସ ଓ ଗୋଇନ୍ଦା ସଂସ୍ଥା ପକ୍ଷରୁ ତୀକ୍ଷ୍ମ ନଜିର୍ ରଖାଯାଇଥିବା ଜଣାପଡିଛି । ଏଯାବତ୍ ପାଟପୁର ଥାନାଞ୍ଚଳର ବିଭିନ୍ନ ଅଞ୍ଚଳର ୫୪୩ ଜଣଙ୍କୁ ବିଶୃଙ୍ଖଳାକାରୀ ଭାବେ ଚିହ୍ନଟ କରାଯାଇ ସେମାନଙ୍କୁ ୧୦୭ ଦଫା ନୋଟିସ୍ ପଠାଯାଇଛି । ସେଥିମଧ୍ୟରୁ ୩୪୭ ଜଣ ଏକଜ୍ୟୁକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର ହୋଇ ବ୍ୟକ୍ତିଗତ ମୁଚାଲିକାରେ ଫେରିଥିବା ଜଣାପଡିଛି । ବିଜେଡି, କଂଗ୍ରେସ, ବିଜେପି ସମେତ ବାମପନ୍ଥୀ ନେତା ଓ କର୍ମୀ ମାନଙ୍କ ବିରୋଧରେ ମଧ୍ୟ ଏହି ୧୦୭ ନୋଟିସ୍ ରହିଥିବା ଜଣାପଡିଛି । ସୋମବାର ବିଳମ୍ବିତ ରାତ୍ର ଯାଏଁ ପାଟପୁର ଥାନାରେ ବ୍ରହ୍ମପୁର ପୋଲିସ ଜିଲା ଏସପି ପିନାକ ମିଶ୍ର, ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ଉପସ୍ଥିତ ରହି ଆଇନ ଶୃଙ୍ଖଳା ପରିସ୍ଥିତି ନିରୀକ୍ଷଣ କରି ଫେରିଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରୁ ସମସ୍ତ ସ୍ଥାନରେ ବ୍ଳକିଂ କରାଯିବ ବୋଲି ଜଣାପଡିଛି । ସେହିପରି କୌଣସି ପ୍ରକାର ଅପ୍ରିତୀକର ପରିସ୍ଥିତି ଉପୁଜିଲେ ଅପରାଧି ମାନଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା, ସମୀରାକାନ୍ତ ତ୍ରିପାଠୀ