ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ଠାରେ ସରକାରଙ୍କ ନୂତନ ସଡ଼କ ସୁରକ୍ଷା ଓ ଯାନବାହାନ ଚଳାଚଳ ଆଇନ-୨୦୧୯ ସମ୍ବନ୍ଧୀୟ ଏକ ବିରାଟ ସଚେତନତା କାର୍ଯ୍ୟକ୍ରମ ”ରକ୍ଷକ” ପୌର ପରିଷଦ କାର୍ଯ୍ୟାଳୟ ଓ ବିଜୁ ଯୁବ ବାହିନୀର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ବିରାଟ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭଯାତ୍ରାକୁ ଜିଲ୍ଲାପାଳ ଅନୁପମ ଶାହା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସଚେତନତା ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟାପକ ଅଧ୍ୟାପିକା, ପୌର ପରିଷଦ ଯନ୍ତ୍ରୀ ଓ କର୍ମଚାରୀ ଏବଂ ଜିଲ୍ଲା ବିଜୁ ଯୁବ ବାହିନୀର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ । ଛାତ୍ରାଛାତ୍ରି ମାନେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ସଚେତନତା ମୂଳକ ପ୍ଲା-କାର୍ଡ ମାନ ଧରି ଓ ଶ୍ଳୋଗାନ ଦେଇ ସମଗ୍ର ସହର ପରିକ୍ରମା କରିଥିଲେ ଏବଂ ସଡ଼କ ସୁରକ୍ଷା, ନୂତନ ମୋଟର ଯାନ ଚଳାଚଳ ସମ୍ପର୍କିତ ନୀତିନିୟମ ଉପରେ ଥିବା ସଚେତନତା ପାମ୍ପ୍ଲେଟ୍ୱ ସବୁ ଲୋକ ମାନଙ୍କୁ ବଣ୍ଟନ କରିଥିଲେ । ସହରର ପ୍ୟାଲେସ୍ ସାମନା ଛକରେ ପଥପ୍ରାନ୍ତ ସଚେତନତା ସଭା କରିଥିଲେ । ମୁଖ୍ୟତଃ ଯାନବାହାନ ଚଳାଚଳ କରିବା ବେଳେ ସେମାନଙ୍କ ପାଖରେ ଗାଡ଼ିର ପଞ୍ଜିକରଣ ପ୍ରମାଣପତ୍ର, ବୀମା ପ୍ରମାଣପତ୍ର, ପ୍ରଦୂଷଣ ପ୍ରମାଣପତ୍ର ଓ ଚାଳକ ପ୍ରମାଣପତ୍ର ପ୍ରଭୃତି ରହିବା ଆବଶ୍ୟକ । ଅନ୍ୟ ପକ୍ଷରେ ଯାନବାହାନ ଚଳାଚଳ କରିବା ବେଳେ କୌଣସି ବ୍ୟକ୍ତି ଯଦି ଏହି ସବୁ ନୀତିନିୟମର ଅବମାନନା ତଥା ଖିଲାପ କରନ୍ତି ବା ଉପରୋକ୍ତ ପ୍ରମାଣପତ୍ର ଓ ଅନ୍ୟାନ୍ୟ ସବୁ ନ ରଖିଥାନ୍ତି ତା ହେଲେ ସେମାନେ ନୂତନ ମୋଟରଯାନ ଆଇନ ଅନୁସାରେ କେଉଁ ପରିମାଣର ଏବଂ କେତେ ପରିମାଣର ଦଣ୍ଡିତ ହେବେ ସେ ସମ୍ପର୍କରେ କହି ଜନସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌର-ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ, ଏଡିଏମଓ ଡାଃ ଭି.ଲୋକନାଥ ରାଜୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ, ପ୍ରମୁଖ ପଥପ୍ରାନ୍ତ ସଭାରେ ଉଦବୋଧନ ଦେଇ ଜନସଚେତନତା କରାଇଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା