ପାରିବାରିକ ଏବଂ ସାମାଜିକ ସଦ୍ଭାବନାର ସମ୍ମୁଚ଼ିତ ମାର୍ଗ – ବନ୍ଧୁମିଳନ

ଆସିକା(ସମୃଦ୍ଧଓଡିଶା) ତା୧୭/୭: ଗଞ୍ଜାମର  ପ୍ରସିଦ୍ଧ ଦେବୀ ପୀଠ ଭେଟନଇ ଗ୍ରାମ ନିକଟସ୍ଥ  ମାଁ କଙ୍କଣଦେବୀଙ୍କ ମନ୍ଦିରରେ, ବୁଗୁଡ଼ା ସନ୍ନିକଟ ବି.କରଡାବାଡ଼ି ସର୍ଦ୍ଧାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠର ୧୯୮୬ ମସିହା ଦଶମ ଶ୍ରେଣୀ ସହପାଠୀଙ୍କର ପ୍ରଥମଥର ପାଇଁ ଏକ ପାରିବାରିକ ଓ ସାମାଜିକ ବନ୍ଧୁମିଳନର କାର୍ଯ୍ୟକ୍ରମ ସୁଚାରୁରୂପେ ଅନୁଷ୍ଠିତ ହୋଇଯାଇଛି। ଏହିପରି ସାମାଜିକ କାର୍ଯ୍ୟକ୍ରମକୁ ସମସ୍ତେ ଉପଲବ୍ଧି କରିବା ସହିତ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ କିପରି ସୁଦୃଢ଼ ହୋଇପାରିବ, ସେଥି ପ୍ରତି ସମସ୍ତେ ସଙ୍କଳ୍ପ ନେଇଥିଲେ। ପ୍ରତ୍ୟେକ ପରିବାର ନିଜର ସନ୍ତାନ ସନ୍ତତିଙ୍କୁ ଧରି ଏଠାରେ ଏକତ୍ରିତ ହୋଇଥିଲେ। ଦେବୀ ପୀଠରେ ୧୯୮୬ ମସିହା ଦଶମ ଶ୍ରେଣୀର ପ୍ରାୟ ୩୦ ପରିବାରର ସମସ୍ତ ପରିବାର ବର୍ଗ ଏକତ୍ରିକରଣର ଦୃଶ୍ୟ ସମସ୍ତଙ୍କୁ ଭାବପ୍ରବଣ କରିଥିଲା।  ବନ୍ଧୁ ମିଳନର ସମସ୍ତ ସଦସ୍ୟ ଅନେକ ବର୍ତ୍ତମାନର ଏବଂ ଦିବଙ୍ଗତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ପଠନୀୟ ଏବଂ ନୈତିକ ପ୍ରେରଣାରେ କିପରି ଜଣେ ଜଣେ ଭାରତର ସୁନାଗରିକ ହେବା ସହ ସମାଜର ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ହାସଲ କରିପାରିଛନ୍ତି ତାହାର ଅନୁମେୟ କରିଥିଲେ। ସେହି ଛାତ୍ରଛାତ୍ରୀ ବୟସର ଅଭୁଲା ସ୍ମୃତିକୁ ସଭିଏଁ ସାଉଁଟି ନେଇଥିଲେ ଏବଂ ଦେବୀମାଁଙ୍କ ଅପାର କୃପା ଲାଭ କରିଥିଲେ। ଦେବୀ ପୀଠର ପ୍ରାକୃତିକ ରମ୍ୟରାଜୀରେ ସମସ୍ତେ କିଛି ସମୟ ନିଜକୁ ହଜାଇ ଦେଇଥିଲେ ଏବଂ ଦେବୀମାଁ’ଙ୍କ ଅପାର କରୁଣା ଓ ଆଶୀର୍ବାଦ ଗ୍ରହଣ କରିଥିଲେ। ସେହି ପୀଠ ଆଧ୍ୟାତ୍ମିକ ପରିବେଶରେ ନିଜର ଦୈନିକ ଲୌକିକ ଜୀବନକୁ ଭୁଲି ଯାଇଥିଲେ। ବନ୍ଧୁ ମିଳନ ପାରିବାରିକ ଏବଂ ସାମାଜିକ ସଦ୍ଭାବନାର ସମ୍ମୁଚ଼ିତ ମାର୍ଗ ବୋଲି ସମସ୍ତ ସଦସ୍ୟ ଯୁକ୍ତି ବାଢ଼ିଥିଲେ। ଏହି ସାମାଜିକ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ବି.କରଡ଼ାବାଡ଼ୀ ଗ୍ରାମର ସମାଜସେବୀ ଦିଲ୍ଲୀପ କୁମାର ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ଭେଟନଇ ଗ୍ରାମର ଯୋଗିନ୍ଦ୍ର ନାୟକ, ଶିବାଜୀ ଦୋରା, ବସନ୍ତ ସାହୁ ଏବଂ ବଡ଼ଖୋଲି ଗ୍ରାମର ଅଜୟ ପାଢ଼ୀ ସଞ୍ଚାଳନ କରିଥିଲେ ଏବଂ ଅନ୍ୟ ସମସ୍ତେ ତନ ମନ ଧନ ଏବଂ କାୟବାକ୍ୟରେ ଆଗାମୀ ଭବିଷ୍ୟତରେ କିପରି ସୃଦୃଢ଼ ହୋଇପାରିବ ସେଥିପ୍ରତି ଦୃଢ଼ ସଙ୍କଳ୍ପ ନେଇଥିଲେ।

ରିପୋର୍ଟ: ଆଶୁତୋଷ ପଟ୍ଟନାୟକ