ଜଳେଶ୍ୱର (ସମୃଦ୍ଧ ଓଡିଶା) ସରକାର ସବୁ ଲୋକଙ୍କ ଲାଗି ବିଶୁଦ୍ଧ ପିଇବାପାଣି ଯୋଗାଇବାର ବ୍ୟବସ୍ଥା କରିବାକୁ ପ୍ରୟାସ ଜାରି ରଖିଥିବା ବେଳେ କେତେକ ସ୍ଥାନରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଅକାମୀ ହେଉଛି ତ ପୁଣି କେଉଁଠି ବାଟମାରଣା ହେଉଛି । ଜଳେଶ୍ୱର ବ୍ଲକର ଆଦିବାସୀ ଅଧ୍ୟୁସୀତ ଖୁଆଡ ଗ୍ରାମରେ ଥିବା ପାଣିପ୍ରକଳ୍ପ-୨ର ପାଇପ୍ ଫାଟି ପ୍ରାୟ ୧ ମାସରୁ ଉର୍ଦ୍ଧ୍ୱ ହେବ ପାଣି ଝରୁଛି । ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରେ ରାସ୍ତା ପାଶ୍ୱର୍ ଦେଇ ଯାଇଥିବା ପାଣି ପାଇପ୍ଟି ଫାଟି ଯାଇଛି । ଫଳରେ ପ୍ରତ୍ୟେହ ସେଥିାରୁ ପାଣି ବାହାରି ରାସ୍ତା କାଦୁଅ ହେବା ସହିତ ସେଥିରେ ମଇଳା ଦୁଷିତ ପାଣି ପଶୁଛି । ସେହି ଦୁଷିତ କାଦୁଆ ପାଣିକୁ ଗ୍ରାମର ଶହ ଶହ ଲୋକେ ପିଇବା ଓ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀମାନେ ପକଳ୍ପର ଏସିଏମ୍, ଆର୍ଡବ୍ଲୁ ଏସ୍ଏସ୍ କନିଷ୍ଠଯନ୍ତ୍ରୀ ଓ ବସୁଧା ହେଲ୍ପଲାଇନ୍କୁ ବାରମ୍ବାର ଜଣାଇଲେ ମଧ୍ୟ ତାହାର କୌଣସି ପ୍ରତିକାର ହେଉନାହିଁ । ଫଳରେ ଦୁଷିତ ପାଣି ପିଇବାଯୋଗୁଁ ଗାଁରେ ହଇଜା ବ୍ୟାପିବାର ସମ୍ଭାବନା ଥିବା ଗ୍ରାମର ଅଶ୍ରୁ ମୋଚନ ଘୋଷ, ତପନ ସାହୁ, ବ୍ରଜକିଶୋର ଗିରି, ପ୍ରବୀର ଦାସ, ରାଜେନ୍ଦ୍ର ସାହୁ ପ୍ରମୁଖ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅବିଳମ୍ବେ ଏହାକୁ ମରାମତି କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ପର୍କସ୍ଥାପନ ହୋଇ ପାରିନଥିଲା ।
ରିପୋର୍ଟ : ଭୂପତି ପରିଡା