ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଚାରିଦିନିଆ ବନ୍ୟାଞ୍ଚଳ ଗସ୍ତରେ ବାହାରିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତୃତୀୟ ଦିନରେ ଗଜପତି ଜିଲ୍ଲାର ବିଭିନ୍ନ ବନ୍ୟା ବିପନ୍ନ ଅଞ୍ଚଳ ଗସ୍ତ କରି ବିପନ୍ନଙ୍କ ଅବସ୍ଥା ଦେଖି ମ୍ରିୟମାଣ ହୋଇ ପଡିଛନ୍ତି । ପିସିସି ସଭପତି ନିରଂଜନ ପଟ୍ଟନାୟକ ମଙ୍ଗଳବାର ଗଜପତି ଜିଲ୍ଲା ଗସ୍ତ କରିଥିଲେ । ଜିଲ୍ଲାର ଗୋଷାଣି ବ୍ଲକର ବିଭିନ୍ନ ଅଂଚଳ ଗସ୍ତ କରିବା ସହ ରାୟଗଡ଼ ବ୍ଲକ୍ର ଗଙ୍ଗାବାଡ଼, କଇଁପୁର,ଲକ୍ଷ୍ମୀପୁର, ଧୁସୁକୁଡ଼ି,ମାଛମରା, ଗାରବନ୍ଧ, ମେହନା ଆଦି ଅଂଚଳ ପରିଦର୍ଶନ କରି ବାତ୍ୟା ଓ ବନ୍ୟା ପ୍ରଭିବିତ ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ସଂପର୍କରେ ବୁଝିଥିଲେ । ଏହି ଅବସରରେ ପିସିସି ସଭାପତି ରାଜ୍ୟ ସରକାରଙ୍କୁ ବିପନ୍ନଙ୍କୁ ଥଇଥାନ ଦିଗରେ ଅହେତୁକ ଅବହେଳା ଦେଖି ଗଭୀର ଦୁଃଖ ପ୍ରକାଶ କରିବା ସହ ତୀବ୍ର ସମାଲୋଚନା କରିଥିଲେ । ଲୋକଙ୍କୁ ସଠିକ୍ ଭାବେ ସଚେତନ କରାଯାଇନଥିବାରୁ ଏଭଳି ବହୁ ଲୋକଙ୍କ ଧନ ଜୀବନ ନଷ୍ଟ ହୋଇଛି ବୋଲି ସେ କହିଥିଲେ । ଶ୍ରୀ ପଟ୍ଟନାୟକଙ୍କ ଏହି ଗସ୍ତ ସମୟରେ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବରିଷ୍ଠ କଂଗ୍ରେସ ନେତା ତଥା ପାରଳା ସ୍ୱାଭିମାନ ମଂଚର ଆବାହକ ଡ଼.ତିରୁପତି ପାଣିଗ୍ରାହୀ,ଜିଲ୍ଲା କଂଗ୍ରେସ ସଭାପତି ବିଭୂତି ଭୂଷଣ ପାତ୍ର, କାର୍ଯ୍ୟକାରୀ ସଭାପତି ଜି.ତିରୁପତି ରାଓଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ସାମିଲ୍ ଥିଲେ । କ୍ଷତିଗ୍ରସ୍ତ ମାନଙ୍କୁ ସରକାରୀ ସହାୟତା ନେଇ ସରକାରଙ୍କୁ ଜଣାଇବେ ଏବଂ ନିଜ ଅନୁଦାନରୁ କିଛି ସହାୟତା ପ୍ରଦାନ କରିବେ ବୋଲି ଡ଼.ତିରୁପତି ପାଣିଗ୍ରାହୀ ପ୍ରତିଶ୍ରୁତି ଦେଇଥିଲେ । ସେହିଭଳି ତୁରନ୍ତ ଏକ ଟିମ୍ ଆସି ସହାୟତା ପ୍ରଦାନ କରିବେ ବୋଲି କହିଥିଲେ ।ଗଜପତି ଜିଲ୍ଲା ଗଙ୍ଗବାଡ଼ ଆଜି ପରିଦର୍ଶନ କରିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ବରିଷ୍ଠ କଂଗ୍ରେସ ନେତା ତିରୂପତି ପାଣିଗ୍ରାହୀ କଂଗ୍ରେସ ନେତା ଦାଶରଥି ଗମାଙ୍ଗ ତିତିଲିରେ ମୃତ୍ୟବରଣ କରିଥିବା ପରିବାର ସହିତ ମିଶି ସେମାନଂକ ସମସ୍ୟା ବୁଝିଥିଲେ ତାଙ୍କ ଥଇଥାନ ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗଜପତି ଜିଲ୍ଲା ଗଙ୍ଗବାଡ଼ ଠାରୁମୋହନା ପର୍ଯନ୍ତ ଗସ୍ତ କରିଥିଲେ।