ପିସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ କୃଷ୍ଣଚନ୍ଦ୍ର ସଗରିଆ

୨୦୧୯ ନିର୍ବାଚନ ପାଇଁ କଂଗ୍ରେସର ବରିଷ୍ଠ ନେତା ଏକାଠି ହୋଇ ମନ୍ଥନ କରୁଥିବା ବେଳେ ଦଳକୁ ଆଜି ଝଟ୍‌କା ଦେଇଛନ୍ତି କୃଷ୍ଣଚନ୍ଦ୍ର ସଗରିଆ। ପିସିସି ସାଧାରଣ ସମ୍ପାଦକ ପଦରୁ ସଗରିଆ ଇସ୍ତଫା ଦେଇ କଂଗ୍ରେସ ଶିବିରକୁ ହଲ୍‌ଚଲ୍ କରିଛନ୍ତି।ସଗରିଆ ଘଡ଼ିସନ୍ଧି ମୁହୂର୍ତ୍ତରେ ପିସିସି ସାଧାରଣ ସମ୍ପାଦକ ପଦବୀ ଛାଡ଼ିଛନ୍ତି। ଯେଉଁ ସମୟରେ ନିରଞ୍ଜନଙ୍କ ଟିମ୍ ୪୪ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରୁଥିଲେ ସେହି ସମୟରେ ସଗରିଆ ଇସ୍ତଫା ଦେଇଥିବା ଖବର ଆସି କଂଗ୍ରେସ ଭବନରେ ପହଞ୍ଚିଥିଲା।କଂଗ୍ରେସରୁ କନ୍ଦଳ ଦୂର କରି ନିର୍ବାଚନ ଲଢ଼ିବାକୁ ନିରଞ୍ଜନଙ୍କ ଟିମ୍‌ ପ୍ରସ୍ତୁତ ହେଉଥିବା ବେଳେ ସଗରିଆଙ୍କ ଇସ୍ତଫା ସ୍ପଷ୍ଟ କରୁଛି ଯେ ଦଳରେ କିଛି ଭଲ ଚାଲିନି।“ମୁଁ ପିସିସି ସାଧାରଣ ସମ୍ପାଦକ ପଦବୀରୁ ଇସ୍ତଫା ଦେଉଛି। କିନ୍ତୁ କଂଗ୍ରେସ ଛାଡ଼ିନି। ମୁଁ ଏବେ ବି କଂଗ୍ରେସରେ ଅଛି ଏବଂ ରହିବି। କଂଗ୍ରେସ ଟିକେଟରେ ହିଁ ନିର୍ବାଚନ ଲଢ଼ିବି”, କହିଛନ୍ତି କୃଷ୍ଣଚନ୍ଦ୍ର ସଗରିଆ।ସଗରିଆ କଂଗ୍ରେସ ଏସ୍‌ସି ସେଲ୍‌ର ଅଧ୍ୟକ୍ଷ ରହିଥିଲେ। ଗତ ଦୁଇ ଦିନ ତଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିର୍ଦ୍ଦେଶରେ ସଗରିଆଙ୍କୁ ଏସ୍‌ସି ସେଲ୍ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା। ତାଙ୍କ ଜାଗାରେ ଜଗତ୍‌ସିଂହପୁରର ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇଙ୍କୁ ନିଯୁକ୍ତି ଦିଆଯାଇଥିଲା।ସଗରିଆଙ୍କୁ ପିସିସି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଥିଲେ ରାହୁଲ। ନିଯୁକ୍ତିର ଗୋଟିଏ ଦିନ ପରେ ସଗରିଆ ସାଧାରଣ ସମ୍ପାଦକ ପଦ ଛାଡ଼ିଛନ୍ତି। ଏହି ପଦବୀକୁ ନେଇ ସେ ଅସନ୍ତୁଷ୍ଟ ରହିଥିବା ପରୋକ୍ଷରେ ସୂଚାଇ ଦେଇଛନ୍ତି।