ସମ୍ବଲପୁର: ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ଦୁଇ ଦିନ ଯାଇନି ହୀରାକୁଦ ଜଳଭଣ୍ଡାରରେ ଜଳ ସଂକଟ ଦେଖାଦେଲାଣି । ଛତିଶଗଡ ସରକାର ପୁଣି ତାଙ୍କ ମନମାନି ଆରମ୍ଭ କରିଦେଇଛନ୍ତି । ବ୍ୟାରେଜ୍ର ସମସ୍ତ ଗେଟ୍କୁ ବନ୍ଦ କରିଦେଇଥିବାରୁ ହୀରାକୁଦକୁ ଜଳପ୍ରବାହ ବହୁମାତ୍ରାରେ ହ୍ରାସ ପାଇଛି । ହୀରାକୁଦ ଡ୍ୟାମ୍ର ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ଯେ ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧୨ ହଜାର ଘନଫୁଟ୍ ଜଳ ପ୍ରବେଶ କରୁଥିବାବେଳେ ୧୬ ହଜାର ଘନଫୁଟ୍ ଜଳ ନିଷ୍କାସିତ ହେଉଛି । ବିଦୁ୍ୟତ୍ ଉତ୍ପାଦନ ଓ ଜଳସେଚନ ପାଇଁ ଏହି ଜଳ ଛଡାଯାଉଛି । ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନର ଜଳସ୍ତର ୬୨୯.୩୯ ଫୁଟ୍ ରହିଛି ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ଛତିଶଗଡ ସରକାରଙ୍କୁ ଜଣାଇ ଦିଆଯାଇଛି ଓ ଗେଟ୍ ଖୋଲା ରଖିବା ପାଇଁ ଅନୁରୋଧ କରାଯାଇଛି ।ମୌସୁମୀ ପରେ ପରେ ଯଦି ଏଭଳି ଅବସ୍ଥା ଲାଗି ରହେ ଅଣମୌସୁମୀ ଋତୁରେ ପରିସ୍ଥିତି ସଂଗୀନ ହେବ । ସୂଚନା ଅନୁଯାୟୀ, କଲମା ବ୍ୟାରେଜ୍ର ୧୮ ଗେଟ୍ ବନ୍ଦ ରହିଛି । ସେହିଭଳି ମିରୁନି ବ୍ୟାରେଜ୍ର ୮୧ ଗେଟ୍ ମଧ୍ୟରୁ ୮ ଗେଟ୍ ଖୋଲା ରହିଛି । ବସନ୍ତପୁର ବ୍ୟାରେଜ୍ର ୮ ଗେଟ୍ ଖୋଲା ରହିଥିବାବେଳେ ବାକିସବୁ ବନ୍ଦ ରହିଛି । ସାମଡା ବ୍ୟାରେଜ୍ର ୪୫ ଗେଟ୍କୁ ବନ୍ଦ କରିଦିଆଯାଇଛି । ଓଡିଶା ଉପରେ ଛତିଶଗଡର ଏହି ମନମୁଖୀ କାରବାର ଆଜି ନୂଆ ନୁହେଁ । ମହାନଦୀର ତଳମୁଣ୍ଡରେ ଓଡିଶା ଥିବାରୁ ଛତିଶଗଡ ସରକାର ଏଭଳି ମନମୁଖୀ କାର୍ଯ୍ୟ କରୁଛନ୍ତି ବୋଲି ବହୁବାର ଅଭିଯୋଗ ହୋଇଛି । ଏହି ସମୟରେ ହୀରାକୁଦକୁ ପ୍ରତି ସେକେଣ୍ଡରେ ୩୯ ହଜାର ଘନଫୁଟ ଜଳ ପ୍ରବେଶ କରିଥାଏ । ମାତ୍ର ଏବର୍ଷ ଏହା ହ୍ରାସ ପାଇଛି । ସେପ୍ଟେମ୍ବର ୨୭ରେ ଲଘୁଚାପ ହୋଇ ପ୍ରବଳ ବର୍ଷା ସମ୍ଭାବନା ସୃଷ୍ଟି ହୋଇଥିଲା । ମାତ୍ର ତାହା ହେଲାନାହିଁ । ପୂର୍ବରୁ ଛତିଶଗଡ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ବ୍ୟାରେଜ୍ର କୌଣସି ଗେଟ୍ ବନ୍ଦ ନକରିବା ପାଇଁ କୁହାଯାଇଥିଲା । ମାତ୍ର ସେମାନେ ଏ ଦିଗରେ କିଛି ପଦକ୍ଷେପ ନେଲେ ନାହିଁ । ଆମେ ପୁନର୍ବାର ଏ ବିଷୟରେ ଆଲୋଚନା କରିବୁ ବୋଲି ଶ୍ରୀ ରଥ କହିଛନ୍ତି ।
ତେବେ ଏହି ସମସ୍ୟା ଆଗକୁ ଉକ୍ରଟ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଥିବାବେଳେ ଛତିଶଗଡ ଜଳସମ୍ପଦ ମନ୍ତ୍ରୀ ବ୍ରିଜ୍ମୋହନ ଅଗ୍ରୱାଲା ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଏଥର ମୌସୁମୀରେ ଭଲ ବର୍ଷା ହୋଇଥିବାରୁ ଆମ ଜଳଭଣ୍ଡାରଗୁଡିକରେ ପର୍ଯ୍ୟାପ୍ତ ପରିମାଣର ଜଳ ରହିଛି । ତେଣୁ ପାଣି ମହଜୁଦ୍ କରି ରଖିବାର ପ୍ରଶ୍ନ ଉଠୁନାହିଁ ।