

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାରେ ପୁଣି ୧୪କୋଟି ଟଙ୍କାରୁ ଉର୍ଦ୍ଧ ଚୋରାରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ପୋଡି ଦିଆଯାଇଥିବା ସୁଚନା ମିଳିଛି । ଏହି ଜିଲ୍ଲାର ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଗୁଣ୍ଡୁରିପଙ୍କା ଗ୍ରାମ ଠାରେ ଅବକାରୀ ବିଭାଗ ଓ ପୋଲିସ ବିଭାଗର ଏକ ମିଳିତ ଚଢାଉ କରାଯାଇ ସେଠାରେ ପ୍ରାୟ ୭୧ ଏକର ଜମିରେ କରାଯାଇଥିବା ପ୍ରାୟ ୧ଲକ୍ଷ ୪୨ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । ଏହି ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ୧୪କୋଟି ୨୦ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ଏହି ଚଢାଉ ଆର୍.ଉଦୟଗିରି ପୋଲିସ ଏବଂ ପାରଳାଖେମୁଣ୍ଡି ଅବକାରୀ ବିଭାଗ, ଆର୍.ଉଦୟଗିରି ଅବକାରୀ ବିଭାଗର ମିଳିତରେ କରାଯାଇଥିଲା । ଏହି ଚଢାଉ କାର୍ଯ୍ୟକ୍ରମରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା କଲ୍ୟାଣୀ ସଂଘମିତ୍ରାଦେବୀ, ପାରଳାଖେମୁଣ୍ଡି ଅବକାରୀ ବିଭାଗର ଇନ୍ସିପେକ୍ଟର ପଦ୍ମଚରଣ ସାହୁ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ଅବକାରୀ କର୍ମଚାରୀ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ଏଠାରେ ଇଲ୍ଲେଖଯୋଗ୍ୟ ଯେ, ଗତ୧୦ଦିନ ମଧ୍ୟରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏପରି ଭାବେ ଚଢାଉ କରାଯାଇ ଏହି ଚଢାଉକୁ ମିଶାଇ ୩ଗୋଟି ଅଞ୍ଚଳରୁ ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ ଗଞ୍ଜେଇ ଗଛକୁ ପୋଡି ଦିଆଯାଇଛି । ଏହି ଗଞ୍ଜେଇ ଗଛଗୁଡିକର ଆନୁମାନିକ ମୁଲ୍ୟ ପ୍ରାୟ ୫୦କୋଟି ଟଙ୍କାରୁ ଉର୍ଦ୍ଧ ହେବ । ଗଜପତି ଜିଲ୍ଲାର ଦୁର୍ଗମ ବନ ପାହାଡ ଘେରା ବନ ଓ ରାଜସ୍ୱ ବିଭାଗ ପାହାଡିଆ ସରକାରୀ ଜମିରେ ଏହି ଚୋରା ଗଞ୍ଜେଇ ଚାଷ କରାଯାଉଛି । ଏହି ଚାଷରେ ସଂପୃକ୍ତ ଅଞ୍ଚଳର ଲୋକଙ୍କୁ ନାମକୁ ମାତ୍ର ପାରିଶ୍ରମିକରେ ବିନିଯୋଗ କରାଯାଉଛି । ଏକ ଶକ୍ତିସାଳି ମାଫିଆ ଧରଣର ବ୍ୟବସାୟୀମାନଙ୍କ ଦ୍ୱାରା ଏହି ଚୋରା ଗଞ୍ଜେଇ ଚାଷ କରାଯାଉଥିବା ବହୁ ଅଭିଯୋଗ ରହିଛି । ତେବେ ବିଭିନ୍ନ ଚଢାଉ ବେଳେ କେବଳ ଗଞ୍ଜେଇ ଗଛକୁ ପୋଡି ଦିଆଯାଉଛି । ଏଥିରେ ସଂପୃକ୍ତ ଜଣେ ହେଲେ ଚୋରା ବ୍ୟବସାୟୀଙ୍କୁ ଧରାଯାଇ ପାରିନାହିଁ । କେବଳ ଚୋରାରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ପୋଡି ଦେଲେ ଚୋରା ଗଞ୍ଜେଇ ଚାଷ ବନ୍ଦ ହୋଇଯିବ ନାହିଁ । ଏହି ଚାଷରେ ଯେଉଁ ମାନେ କୋଟି କୋଟି ଟଙ୍କା ଲାଭକରି ଶକ୍ତିଶାଳୀ ପାଲଟିଛନ୍ତି ସେମାନଙ୍କୁ ଜବତ କଲେ ଗଞ୍ଜେଇ ଚୋରା କାରବାରକୁ ରୋକା ଯାଇପାରିବ ବୋଲି ସାଧାରଣରେ ଦାବୀ ହେଉଥିବା ଜଣାପଡିଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା





