

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଦିବାସୀ ବହୁଳ ଦୁର୍ଗମ ଗଜପତି ଜିଲ୍ଲାରେ ଗତ ଏକ ମାସ ମଧ୍ୟରେ ପ୍ରାୟ ଶହେ କୋଟି ଟଙ୍କାର ଚୋରା ଗଞ୍ଜେଇ ଚାଷକୁ ଜବତ କରି ପୋଡି ଦିଆଯାଇଛି । ବାରମ୍ବାର ଜିଲ୍ଲାର ଭିନ୍ନଭିନ୍ନ ଅଞ୍ଚଳରେ ପ୍ରଶାସନ ଦ୍ୱାରା ଗଞ୍ଜେଇ ଚୋରା କାରବାର ଓ ଚାଷକୁ ନିର୍ମୁଳ କରିବା ପାଇଁ ଚଢାଉ ଜାରି ରହିଛି । ଗତ ମଙ୍ଗଳବାର ଦିନ ଗଜପତିର ମୋହନା ବ୍ଲକରେ ପୁଣି ୭୨ଏକର ସରକାରୀ ପାହାଡିଆ ଜମିରୁ ୧୪କୋଟି ଟଙ୍କାର ଗଞ୍ଜେଇ ଗଛକୁ ପୋଡି ଦିଆଯାଇଛି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରୋମଦ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ କେଶରୀଗୁଡା ଗ୍ରାମଠାରେ ଅବକାରୀ ବିଭାଗ ଓ ପୋଲିସ ବିଭାଗର ଏକ ମିଳିତ ଚଢାଉ କରାଯାଇ ସେଠାରେ ପ୍ରାୟ ୭୨ ଏକର ଜମିରେ କରାଯାଇଥିବା ପ୍ରାୟ ୧ଲକ୍ଷ ୪୪ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । ଏହି ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ୧୪କୋଟି ୪୪ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ଏହି ଅପରେଶନରେ ଆର୍.ଉଦୟଗିରି ପୋଲିସ ଏବଂ ପାରଳାଖେମୁଣ୍ଡି ଅବକାରୀ ବିଭାଗ, ଆର୍.ଉଦୟଗିରି ଅବକାରୀ ବିଭାଗର ମିଳିତ ଚଢାଉ କରାଯାଇଥିଲା । ଏହି ଚଢାଉ କାର୍ଯ୍ୟକ୍ରମରେ ମାଜିଷ୍ଟ୍ରେଟ ଦାୟିତ୍ୱରେଥିବା କଲ୍ୟାଣୀ ସଂଘମିତ୍ରାଦେବୀ ସମ୍ପୂର୍ଣ୍ଣ ଭାବେ ଏହି ମିଳିତ ଚଢାଉ ବେଳେ ଉପସ୍ଥିତ ଥିଲେ । ଗତ କିଛି ଦିନ ମଧ୍ୟରେ ବାରମ୍ବାର ଗଞ୍ଜେଇ ଚାଷ ଉପରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ ଚାଲୁ ରହିଛି । ଏହି ଚଢାଉରେ ପାରଳାଖେମୁଣ୍ଡି ଅବକାରୀ ବିଭାଗର ଇନ୍ସିପେକ୍ଟର ପଦ୍ମଚରଣ ସାହୁ, ଏ.ଏସ୍.ଆଇ. ସୁବାଷ ମହାଙ୍କୁଡ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ଅବକାରୀ କର୍ମଚାରୀ ଓ ପୋଲିସ କର୍ମଚାରୀ ଓ ରାଜସ୍ୱ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା