ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ପୁଣି ଥରେ ପ୍ରଶାସନ ପକ୍ଷରୁ ହିଞ୍ଜିଳି ପୌରାଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି । ସାରା ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣ ଆତଙ୍କ ଖେଳାଇ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଏହାର ପ୍ରଭାବ ଦୃତ ଗତିରେ ବଢି ଚାଲି ଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ ଡାଉନ୍ ଓ ସଟ୍ ଡାଉନ କଟକଣା ଜାରି ରଖାଯାଇଛି । ସ୍ଥାନୀୟ ହିଞ୍ଜିଳିକାଟୁ ଅଞ୍ଚଳରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଥମେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । କଣ୍ଟେନମେଣ୍ଟ ଜୋନ୍ ଉଠିବା ପୂର୍ବରୁ ପୁଣି ସଟ୍ ଡାଉନ୍ ଘୋଷଣା କରାଯାଇଛି । ନୂଆ ନିୟମ ଅନୁସାରେ ଆସନ୍ତାକାଲି ଠାରୁ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ପୁଣି ହିଞ୍ଜିଳିକାଟୁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ କଟକଣା ମଧ୍ୟରେ ରହିବ । କେବଳ ମେଡ଼ିସିନ୍ ଷ୍ଟୋର ଖୋଲା ରହିବ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ପୌର ପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଛି । ଏତିକି ବେଳେ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗତ ମାର୍ଚ୍ଚ ୨୨ ତାରିଖ ଠାରୁ ସାରା ବିଶ୍ୱରେ ଲକଡାଉନ ଜାରି କରାଯାଇଥିବା ବେଳେ ବହୁ ଲୋକ ବହୁ ଅସୁବିଧାରେ ସମ୍ମୁଖୀନ ହୋଇ ନିଜ ପରିବାରକୁ ହରାଇବା ସହ ନିଜ ଜୀବନକୁ ମଧ୍ୟ ହରାଇ ସାରିଲେଣି । ବର୍ତ୍ତମାନ ଗରିବ, ମଧ୍ୟବିତ ପରିବାର ମାନେ ନିଜ ପରିବାରକୁ ଚଳାଇବାରେ କଷ୍ଟ ସାଧ୍ୟ ହେଉଥିବା ନେଇ ଦୁଃଖ ପ୍ରକାଶ କରୁଛନ୍ତି । ତେଣୁ କିଛି ଲୋକ ନିଜ ପରିବାର ପାଇଁ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଯେଉଁ ସବୁ କଟକଣା ଜାରି କରାଯାଉଛି ତାକୁ ପାଳନ ନ କରି ଘର ବାହାରକୁ ବାହାରି ଆସୁଛନ୍ତି । ସେଥିପାଇଁ ପୌରାଞ୍ଚଳରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନେକ ବ୍ୟକ୍ତିଙ୍କ ପାଖରେ ଲକ୍ଷଣ ପ୍ରକାଶ ପାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ବହୁ ସଂଖ୍ୟାରେ ସ୍ୱାବ ଟେଷ୍ଟ କରିବା ଆବଶ୍ୟକ ରହିଛି ବୋଲି ମତ ପ୍ରକାଶ ପାଉଛି । ଜୁନ ୨୮ ମଧ୍ୟରାତ୍ରୀରୁ ହିଞ୍ଜିଳିକାଟୁ ପୌରଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ସେହିଦିନ ଠାରୁ ଦୀର୍ଘ ୨୨ଦିନ ଧରି ସମ୍ପୂର୍ଣ ସହର କଣ୍ଟେନମେଣ୍ଟ ଜୋନ୍ ସଟ୍ ଡାଉନ୍ କଟକଣାରେ ରହିବ ଏହା ସ୍ୱାଗତ ଯୋଗ୍ୟ । କିନ୍ତୁ ସହରରେ ଅଧିକରୁ ଅଧିକ ସ୍ୱାସ୍ଥ୍ୟ ପରୀକ୍ଷା ଆବଶ୍ୟକ ରହିଥିବା ବେଳେ ଖାଲି ଥର୍ମାସ୍କେନିରେ ତାପମାତ୍ରା ପରୀକ୍ଷା କରି କାମ ସାରିଦେଉ ଥିବା ଅଭିଯୋଗ ହୋଇଛି । ଏଭଳି ପରିସ୍ଥିତି ଆଗକୁ ଲାଗି ରହିଲେ କେତେ କଟକଣା ନୀତି ଆପଣାଇଲେ ମଧ୍ୟ ସହରରେ ସଂକ୍ରମିତଙ୍କ ସଂଖ୍ୟା କମିବ ନାହିଁ ବୋଲି ସଚେତନ ନାଗରିକମାନେ ମତ ପ୍ରକାଶ କରିଛନ୍ତି । ତେଣୁ ଘରେ ଘରେ ସଠିକ୍ ସ୍ୱାସ୍ଥ୍ୟ ଯାଞ୍ଚ୍ କରି ଲକ୍ଷଣ ଥିବା ବ୍ୟକ୍ତିଙ୍କ କରୋନା ଟେଷ୍ଟ କରିବା ଆବଶ୍ୟକ ରହିଛି ବୋଲି କୁହାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା