ପୁରୀରେ ନକଲି ମହାପ୍ରସାଦ ବିକ୍ରି ଅଭିଯୋଗ : ଭକ୍ତଙ୍କ ବିଶ୍ୱାସ ଉପରେ କୁଠାର ଘାତ

ପୁରୀ(ସମୃଦ୍ଧ ଓଡିଶା)ଜଗନ୍ନାଥ ଭକ୍ତଙ୍କ ବିଶ୍ୱାସ ଉପରେ କୁଠାର ଘାତ । ଜଗନ୍ନାଥ ମହାପ୍ରଭୁଙ୍କ ଅବଢ଼ା ନାଁରେ ଲୁଚାଛପାରେ ପ୍ରସ୍ତୁତ ଓ ବିକ୍ରି ହେଉଛି ନକଲି ଅବଢ଼ା। ଶ୍ରୀମନ୍ଦିରରେ ଯେପରି କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା ପ୍ରସ୍ତୁତ ହୁଏ ଏହାର ଅବିକଳ ନକଲ କରାଯାଇ ବିକ୍ରି ହେଉଥିବା ଅଭିଯୋଗ ମିଳିଛି । ଆଜି ରୋଷେଇ ହୋଇ ବିକ୍ରି କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିବା ଏହି ନକଲି ମହାପ୍ରସାଦ ଧରାପଡ଼ିଛି। ପୁରୀ ଲୋକନାଥରୋଡ୍‌ ଅନ୍ତର୍ଗତ ପାଇକ ସାହିରେ ଏହି ଘଟଣା ଦେଖିବାକୁ ମିଳିଥିଲା । ଦୀର୍ଘଦିନ ଧରି ଏହି ରାକେଟ ଚାଲିଥିବା ଅନୁମାନ କରାଯାଉଛି।ସାହିରେ ଥିବା ସାପୁଆ ମଠ ନାମକ ସ୍ଥାନରେ ରୋଷେଇ ନିମନ୍ତେ ସମସ୍ତ ସାମଗ୍ରୀ ଜମା ହୋଇ ଥିଲା। ଏହି ମଠ ନିକଟ ଏକ ଅସ୍ଥାୟୀ ଟେଣ୍ଟରେ ଅନ୍ନ, ଡାଲି, ବେସର, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି କରାଯାଇଥିଲା ବୋଲି ଅଭିଯୋଗ ମିଳିଛି । ଖୁବ୍ ଅପରିଷ୍କାର ପରିବେଶରେ ଏହି ରୋଷେଇ ଚାଲିଥିଲା। କିଛି ଗଣମାଧ୍ୟମ ସେଠାରେ ପହଞ୍ଚିବା ବେଳକୁ ବହୁ ସଂଖ୍ୟକ କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା ପ୍ରଭୃତି ପ୍ରସ୍ତୁତ ହୋଇ ସାରିଥିବା ବେଳେ ଆହୁରି ଅନେକ କୁଡ଼ୁଆରେ ଭାତ, ଡାଲି, ସାଦାବେସର, ମହୁର ପ୍ରଭୁତି ପ୍ରସ୍ତୁତ କରିବାକୁ ରୋଷେୟା ଓ ଯୋଗାଣିଆ କାମରେ ଲାଗିଥିଲେ। ଟପ୍‌ ଓ କରେଇରେ ରୋଷେଇ କରାଯିବା ପରେ ଏହାକୁ କୁଡୁଆରେ ପ୍ୟାକ୍‌ କରାଯାଉଥିଲା। ପରେ କୁଡ଼ୁଆକୁ କୋଇଲା ଆଞ୍ଚ ଉପରେ ରଖାଯାଇ ଏହାକୁ ଅସଲି ରୂପ ଦେବାକୁ ସବୁ ପ୍ରୟାଶ କରାଯାଉଥିଲା। ଯେପରି ଲୋକଙ୍କୁ ଲାଗିବ ଏହା ସତ ମହାପ୍ରସାଦ। ଏହି ମଠରେ ବହୁ ସଂଖ୍ୟକ କୁଡ଼ୁଆ, ନଡ଼ିଆ, ଚାଉଳ, ପନିପରିବା ପ୍ରଭୃତି ମହଜୁଦ୍ ଥିବା ଦେଖିବାକୁ ମିଳୁଥିବାରୁ ଏହି ସ୍ଥାନକୁ ଏକ ନକଲି ମହାପ୍ରସାଦ ବିକ୍ରି ଓ ଯୋଗାଣ ଆଡ୍ଡାରେ ପରିଣତ କରାଯାଇଥିବା ଜଳଜଳ ଦିଶୁଛି। ଅବିକଳ ମହାପ୍ରସାଦ ଭଳି ଏହାକୁ କାହିଁକି କୁଡ଼ୁଆରେ ରଖାଯାଉଛି ଓ କେଉଁ ଉଦ୍ଦେଶ୍ୟରେ, କାହାକୁ ପଠାଯାଉଛି ବୋଲି ପ୍ରଶ୍ନ କରିବାରୁ ରୋଷେୟା, ଯୋଗାଣିଆ ସମେତ କାମ କରୁଥିବା ଲୋକମାନେ ଘଟଣାସ୍ଥଳରୁ ଛୁ ମାରିଥିଲେ ବୋଲି ଜଣା ପଡିଛି I ଯଦି ଏକଥା ସତ୍ୟ ତାହାହେଲେ ବଡ ସାଙ୍ଘାତିକ I ଏହାର ଉଚ୍ଚସ୍ତରିୟ ତଦନ୍ତ ହେବା ଆବଶ୍ୟକ I ନହେଲେ ଭକ୍ତଙ୍କ ପାଇଁ ବିଶ୍ୱାସ ଘାତକତା ହେବ I