ପୁରୀରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ନିନ୍ଦା, ଜିଲ୍ଲା ଜଜଙ୍କ ଦ୍ୱାରା ତଦନ୍ତ କରିବାକୁ ଦାବି : ସମାଜବାଦୀ ପାର୍ଟି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପୁରୀର ଖୁଣ୍ଟିଆ ପେଟ୍ରୋଲ୍ ପମ୍ପରେ ଅପମିଶି୍ରତ ତେଲ ଓ କମ୍ ତେଲ ଦେଉଥିବା ଅଭିଯୋଗରେ ସାଧାରଣ ଜନତା ପ୍ରତିବାଦ କରିବା ବେଳେ ପେଟ୍ରୋଲ ଟାଙ୍କିର ଭଡ଼ାଟିଆ ଗୁଣ୍ଡା ଓ କର୍ମଚାରୀମାନେ ସାଧାରଣ ଲୋକଙ୍କୁ ଗତକାଲି ରାତିରେ ଧକ୍କା ମାରିବା ଫଳରେ ସେଠାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ଟାଙ୍କିରେ ତେଲ ପକାଉଥିବା ଅନ୍ୟ ଗ୍ରାହକମାନେ ଏକାଠି ହୋଇ ଏହାର ପ୍ରତିବାଦ କରିବା ସହିତ ପେଟ୍ରୋଲ୍ ପମ୍ପରେ ଭଙ୍ଗାରୁଜା କରିଥିଲେ । ଏହି ଘଟଣାର ସଠିକ୍ ଖବର ସଂଗ୍ରହ କରିବା ପାଇଁ ଘଟଣାସ୍ଥଳକୁ ଯାଇଥିବା ସାମ୍ବାଦିକମାନଙ୍କୁ ପୁରୀ ପୋଲିସ୍ ଅତି ଅମାନୁସିକ ଭାବରେ ଲାଠିଚାର୍ଜ କରିଥିଲେ। ଲାଠିଚାର୍ଜ ଫଳରେ୧୫ ରୁ ଊର୍ଦ୍ଧ୍ୱ ସାମ୍ବାଦିକ ଓ ୧୫ ରୁ ୨୦ଜଣ ସାଧାରଣ ଲୋକ ଗୁରୁତର ଆହତ ହେଲେ । ସାମ୍ବାଦିକମାନେ ନିଜର ପରିଚୟପତ୍ର ଦେଖାଇଥିଲେ ହେଁ ଲାଠିମାଡରୁ ବର୍ତ୍ତି ପାରିନାହାଁନ୍ତି । ଦୁଇଜଣ ଅତ୍ୟନ୍ତ ଗୁରୁତ୍ୱର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ସାମ୍ବାଦିକ ଓ ଅପମିଶ୍ରିତ ତେଲ ଓ ମାଓ ଓଜନର ଠକେଇର ପ୍ରତିବାଦ କରୁଥିବା ସାଧାରଣ ଖାଉଟିଙ୍କ ଉପରେ ପୁରୀ ପୋଲିସ୍ ର ଅମାନୁଷିକ ଲାଠିଚାର୍ଜକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିବୃତ୍ତି ଜରିଆରେ ତୀବ୍ର ନିନ୍ଦା କରିଛନ୍ତି । ଏହା ବ୍ୟତୀତ ପେଟ୍ରୋଲ୍ ର ମହଙ୍ଗା ବଜାର ଦର ସମୟରେ ଅପମିଶ୍ରଣ ଓ ଠକେଇରେ ସମ୍ପୃକ୍ତ ଖୁଣ୍ଟିଆ ପେଟ୍ରୋଲ୍ ପମ୍ପ ବିରୁଦ୍ଧରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହିତ ରାଜ୍ୟର ଅନ୍ୟାନ୍ୟ ପେଟ୍ରୋଲ୍ ପମ୍ପକୁ ମଧ୍ୟ ଯାଞ୍ଚ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ଆହତମାନଙ୍କୁ ରାଜ୍ୟ ସରକାର ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ସେ ଦାବି କରିବା ସହିତ ଲୋକଙ୍କୁ ଠକୁଥିବା ଓ ତେଲରେ ଅପମିଶ୍ରଣ କରୁଥିବା ଖୁଣ୍ଟିଆ ପେଟ୍ରୋଲ୍ ପମ୍ପ ମାଲିକଙ୍କୁ ତୁରନ୍ତ ଗିରଫ କରିବା, ଆକ୍ରମଣରେ ସମ୍ପୃକ୍ତ ତେଲ ଟାଙ୍କିର କର୍ମଚାରୀ ଓ ଭଡ଼ାଟିଆ ଗୁଣ୍ଡାମାନଙ୍କୁ ଗିରଫ କରିବା ସହିତ ପୁରୀ ଜିଲ୍ଲା ଜଜଙ୍କ ଦ୍ୱାରା ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ଲାଠି ଚାର୍ଜ କରିଥିବା ପୋଲିସ୍ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାର ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସମାଜବାଦୀ ପାର୍ଟି ପକ୍ଷରୁ ଏହି ପ୍ରେସ୍ ବିବୃତ୍ତି ଜରିଆରେ ଦାବି କରାଯାଇଛି।

ରିପୋର୍ଟ : ଆକାଶ ମିଶ୍ର