

ଛତ୍ରପୁର (ସମୃଦ୍ଧ ଓଡିଶା) ସାମୁଦ୍ରିକ ଝଡ଼ ଫନି ବାତ୍ୟାରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବହୁ କ୍ଷୟକ୍ଷତି ଘଟିଥିବାରୁ ଏହାର ପୁନରୁଦ୍ଧାର ନିମନ୍ତେ ବିଭିନ୍ନ ସଂସ୍ଥା ସରକାରୀ କର୍ମଚାରୀ, ସମାଜସେବୀ, ବିଭିନ୍ନ ସଂଘ ଏବଂ ପରଉପକାରୀ ବ୍ୟକ୍ତିମାନେ ସହାୟତା ରାଶି ସହିତ ବିଭିନ୍ନ ରିଲିଫ୍ ସାମଗ୍ରୀ ବାତ୍ୟା ବିପନ୍ନ ଅଂଚଳକୁ ପଠାଉଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନଏସି ଅନ୍ତର୍ଗତ ୧୧ ନଂ ୱାର୍ଡ଼ର ଗିଲଟିପେଟା ସାହି ଯୁବକ ସଂଘ ପକ୍ଷରୁ କେ. ହରିନାଥଙ୍କ ନେତୃତ୍ୱରେ ପୁରୀ ଜିଲ୍ଲାକୁ ଗସ୍ତ କରି ପୁରୀ ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ପୋଲାଙ୍ଗ ଗ୍ରାମରେ ୧୫ଶହ ପରିବାରଙ୍କୁ ରନ୍ଧା ଖାଦ୍ୟର ଯୋଗାଇବା ସହ ବିଭିନ୍ନ ସାମଗ୍ରୀ ବଣ୍ଟନ କରିଛନ୍ତି । ସେହିପରି ପୁରୀ ଜିଲ୍ଲାର ସାତପଡ଼ା ପଂଚାୟତର ବାଘମୁଣ୍ଡା ଗ୍ରାମର ସମସ୍ତ ପରିବାରଙ୍କୁ ଶାଢି, ଲୁଙ୍ଗି, ଗ୍ରୋସରୀ ସାମଗ୍ରୀ, ଷ୍ଟିଲ୍ ଥାଳି, ଷ୍ଟିଲ୍ ଗ୍ଲାସ୍, ଷ୍ଟିଲ ଗିନା, ଛୋଟ ଶିଶୁମାନଙ୍କ ପାଇଁ ବିସ୍କୁଟ, ଖେଳନା, ପିଲାଙ୍କ ପାଠ ପଢିବା ନିମନ୍ତେ ପେନସିଲ୍ , ରମ୍ବର, ବହି ଆଦି ରିଲିଫ୍ ସାମଗ୍ରୀ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ଖେଳାଳି ତଥା ଯୁବ ସମାଜସେବୀ ଭି. ରମେଶ ରାଓ, ସୁଶାନ୍ତ ବେହେରା, ନଳଳୀକାନ୍ତ ନାୟକ, ସୁକାନ୍ତ ଗୌଡ଼, ମୁକେଶ, ବି. ମନୋଜ, ମୁରଲି ଦାଶ, କାଳିଆ ପଣ୍ଡା, ନାରାୟଣ ମହାରଣା, ସତ୍ୟନାରାୟଣ ବେହେରାଙ୍କ ସମେତ ବହୁ ଯୁବକ ସଂଘ ଓ ଗଣେଶ ପୂଜା କମିଟିର ସମସ୍ତ ସଭ୍ୟ ସଭ୍ୟାମାନେ ଡ଼ଙ୍ଗା ମାଧ୍ୟମରେ ସାତପଡ଼ା ଦେଇ ବାଘମୁଣ୍ଡା ଗ୍ରାମରେ ଯାଇ ପହଁଞ୍ଚିଥିଲେ । ଏନେଇ ଛତ୍ରପୁର ସମେତ ଜିଲ୍ଲାର ବିଭିନ୍ନ ମହଲରୁ ଯୁବକ ସଂଘର ସମସ୍ତ ସଭ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା










