ଭୁବନେଶ୍ୱର(ସମୃଦ୍ଧଓଡିଶା) ଜୁଲାଇ ୧୮/ ଓଡ଼ିଶା ଜ୍ଞାନ ଆଧାରିତ ସମାଜ ଏବଂ ଏଥିରେ ଅନେକ ତତ୍ତ୍ୱ ଅଛି । ଏହାକୁ ସମୟ ଅନୁସାରେ ବାହାରକୁ ଆଣିବା ପାଇଁ ପଡିବ । ୨୦୩୬ ସୁଦ୍ଧା ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରୁଥିବା ବେଳେ ପୁରାତନ ଓ ପ୍ରାସଙ୍ଗିକ ଓଡ଼ିଆ ସାହିତ୍ୟ ଓ ପୁସ୍ତକ ଗୁଡିକୁ ଏଆଇ, ଡିଜିଟାଇଜେସନ ଓ ଟେକ୍ନୋଲୋଜି ମାଧ୍ୟମରେ ବିଶ୍ୱରେ ଲୋକାଦୃତ କରିବା ପାଇଁ ହେବ । ଏକ ସକରାତ୍ମକ ସମାଜ ଗଠନ କରିବା ପାଇଁ ସାମୂହିକ ଦାୟିତ୍ୱ ନେବାକୁ ହେବ ବୋଲି ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୁରୁବାର ଭୁବନେଶ୍ୱର ଠାରେ କବିସୂର୍ଯ୍ୟ ବଳଦେବ ରଥଙ୍କ ଦ୍ୱାରା ରଚିତ “କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଇଂରାଜୀ ଅନୁବାଦ ପୁସ୍ତକ” ଉନ୍ମୋଚନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ସନ୍ଥ କବି ଭୀମ ଭୋଇଙ୍କ ଦ୍ୱାରା ରଚିତ ଜଣାଣ ଗ୍ରନ୍ଥ ସ୍ତୁତିଚିନ୍ତାମଣି ଅନନ୍ୟ । ନିଜ ଲେଖା ମାଧ୍ୟମରେ ସେ ପ୍ରକୃତ ମାନବତାର ବାର୍ତ୍ତା ଦେଇଛନ୍ତି । ବଳରାମ ଦାସ ଲକ୍ଷ୍ମୀ ପୁରାଣ ମାଧ୍ୟମରେ ଶ୍ରୀୟା ଚଣ୍ଡାଳୁଣୀର କଥା ଚରିତ୍ରକୁ ବର୍ଣ୍ଣନା କରି ଜାତିପ୍ରଥା ବିରୋଧର କଥା କହିଛନ୍ତି । ସାରଳା ଦାସ ଓଡ଼ିଆ ମହାଭାରତ ରଚନା କରିଥିଲେ । ଏଭଳି ଓଡ଼ିଆ ଓଡ଼ିଆ ଭାଷା ଓ ସାହିତ୍ୟକୁ ସମଗ୍ର ଦେଶ ତଥା ବିଶ୍ଵରେ ଲୋକପ୍ରିୟ କରିବାର ସଂକଳ୍ପ କରିବାକୁ ହେବ । ବର୍ତ୍ତମାନ ସମୟରେ ଲୋଲମାନଙ୍କ ମଧ୍ୟରେ ମାନବିକତା ଓ ସଂସ୍କାର ଦେଖିବାକୁ ମିଳୁନଥିବା ବେଳେ ସେ ସମୟରେ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ ଓ ଶହୀଦ ବାଜି ରାଉତ ଦେଶକୁ ସ୍ୱାଧୀନତା ଦେବା ପାଇଁ ପଛାଇ ନଥିଲେ । ସେହିପରି ମହାପ୍ରଭୁଙ୍କ ସୁନାବେଶ ନେଇ ଲୋକଚରିତ୍ର କଣ ରହିଛି, ତାହା ସବୁ ଗବେଷଣାର ବିଷୟ ।ପୁସ୍ତକ ବିଷୟରେ ଟିପ୍ପଣୀ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଆ ସାହିତ୍ୟ ଜୀବନର ମହାନୁଭବଙ୍କ ଉପସ୍ଥିତିରେ ଏହି ପୁସ୍ତକ ଉନ୍ମୋଚନ କରି ଆନନ୍ଦିତ । ଦୁଃଖ, କଷ୍ଟ ଓ ସମାଜିକ ଚରିତ୍ରକୁ ବର୍ଣ୍ଣନା କରିବାର ନାଁ ହେଲା ସାହିତ୍ୟ । ଏଭଳି ଏକ ମହାନ ରଚନାର ଇଂରାଜୀ ଅନୁବାଦ ଫଳରେ ଏଣିକି ସମଗ୍ର ବିଶ୍ଵର ପାଠକ-ପାଠିକା ଓ ସାହିତ୍ୟିକଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ ପ୍ରତି ଆଗ୍ରହ ଓ ରୁଚି ବହୁଗୁଣିତ ହେବ । ଓଡ଼ିଆ ସାହିତ୍ୟ ଏହି ଦୁର୍ମୂଲ୍ୟ କାବ୍ୟର ଇଂରାଜୀ ଅନୁବାଦ ପାଇଁ ଆମେରିକୀୟ ଗବେଷକ ଡେଭିଡ୍ ଡେନିନ ତଥା ରାଜ୍ୟ ସଂଗ୍ରହାଳୟ ଏବଂ ପ୍ରକାଶକ ବିଦ୍ୟାପୁରୀକୁ ଧନ୍ୟବାଦ ଜଣାଉଛି । ଏହି ଅବସରରେ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ପୁସ୍ତକକୁ ସମସ୍ତ ଭାରତୀୟ ଭାଷାରେ ଅନୁବାଦ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମସ୍ତ ଭାରତୀୟ ଭାଷାକୁ ପ୍ରାଧାନ୍ୟ ଦିଆଯାଉଛି । ଭାରତ ସରକାର ବୃହତ ଭାଷାକୋଷ ଉପରେ ଗୁରୁତ୍ୱ ଦେଉଛନ୍ତି । ଭାରତୀୟ ଭାଷାକୁ ଯୋର୍ ଦିଆଗଲେ ଆମ ସମାଜ ଭିତରେ ସ୍ପଷ୍ଟତା ବଢିବ । କ୍ରିଟିକାଲ ଥିଙ୍କିଂ ମୂଳ ଭାଷାରେ ପରିପ୍ରକାଶ ହେଲେ ଆଉଟପୁଟ୍ ଅଧିକ ହେବ । ଭାଷା ଅର୍ଥନୈତିକ ସଶକ୍ତିକରଣ ଉପକରଣ । ସ୍ୱାଭିମାନ ବଢାଇବା ସହ ଦାରିଦ୍ର୍ୟରୁ ସମ୍ପନ୍ନତାକୁ ନେବାର ମାଧ୍ୟମ ବୋଲି ସେ କହିଛନ୍ତି ।