ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସାହା’ ତରଫରୁ ପୁରୁଣା ବ୍ରହ୍ମପୁର ଅଞ୍ଚଳ ଅନ୍ତର୍ଗତ ଖାସପା ସାହି ନିକଟ ବାଉରୀ ସାହି ମଣ୍ଡପ ଠାରେ ସ୍ଥାନୀୟ ବସ୍ତିର ଯୁବତୀ ଓ ମହିଳାମାନଙ୍କ ମଧ୍ୟରେ ବିଶ୍ୱ ମହିଳା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଜାତୀୟ ଭାରଉତ୍ତୋଳନରେ ସୁନାମ ଅର୍ଜନ କରିଥିବା ବସ୍ତିର ଯୁବ ପ୍ରତିଭା ମିନତୀ ଦାସଙ୍କୁ ଅନୁଷ୍ଠାନ ଦ୍ୱାରା ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡିଏସପି ସଦର ଥାନା ଶାନ୍ତା ନୂତନ ସାମୋଦ ଯୋଗଦେଇ ନାରୀର ଅନ୍ୟନାମ ଶକ୍ତି ବୋଲି ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ସବୁକ୍ଷେତ୍ରରେ ନାରୀମାନଙ୍କୁ ପଛଘୁଞ୍ଚା ନହୋଇ ଆଗେଇ ଆସିବାକୁ ଉତ୍ସାହିତ କରିଥିଲେ । ଅନ୍ୟ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ତଥା ବିଶିଷ୍ଟ ଲେଖିକା ଦେବୀ ପ୍ରଭାରଥ, ଅଧ୍ୟାପିକା(ଡୁରାକଲେଜ) ଉଷାରାଣୀ ବ୍ରହ୍ମା, ସାହାର ବରିଷ୍ଠ ସଦସ୍ୟା ନିଶାମଣି ନାୟକ ଉପସ୍ଥିତ ରହି ମହିଳାମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟର ସଚେତନ ଏବଂ ସଶକ୍ତିକରଣରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ . ଅନୁଷ୍ଠାନର ସମ୍ପାଦିକା ତଥା ନିର୍ଦ୍ଦେଶିକା ସଭାଟିକୁ ପରିଚାଳନା କରିବା ସଙ୍ଗେ ସଙ୍ଗେ ନାରୀମାନଙ୍କ ସମାନତା ଅଧିକାର, ଆତ୍ମନିର୍ଭରଶିଳତା, ଆତ୍ମ ସୁରକ୍ଷା ଉପରେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳାମାନଙ୍କ ମଧ୍ୟରୁ ଅନେକ ଯୁବତୀ ଓ ମାଁ ମାନେ ଅନୁଷ୍ଠାନର ଏହି କାର୍ଯ୍ୟ ନିମନ୍ତେ ପ୍ରଶଂସା କରି ଆଗାମୀ ଦିନରେ ମଧ୍ୟ ଏପରି ନାରୀ ସଶକ୍ତିମୂଳକ କାମ କରିବାକୁ ଅନୁରୋଧ କରିଥିଲେ । ସ୍ଥାନୀୟ ବାସିନ୍ଦା ରିତା କୁମାରୀ ଦାଶ ଅତି ଆନନ୍ଦର ସହ କହିଥିଲେ ଯେ, ‘ପ୍ରଥମ ଥର ନିମନ୍ତେ ସେମାନେ ମହିଳା ଦିବସ କଣ ଜାଣିପାରିଛନ୍ତି ଏବଂ ପ୍ରଥମ ଥର ପାଇଁ ଏହା ଆମ ଅଞ୍ଚଳରେ ପାଳିତ କରାଯାଇଛି ବୋଲି ମତ ପ୍ରକାଶ କରିଥିଲେ । ମହିଳା ଦିବସ ଏପରି ଏକ ଅବହେଳିତ ବସ୍ତିରେ ପାଳନ କରିବା ଏକ ଗୌରବର ବିଷୟ ବୋଲି ମିନତୀ ଦାସଙ୍କ ଭଉଣୀ ସୁପ୍ରଭା ଦାସ (ଓକିଲ) ନିଜର ମତ ରଖିଥିଲେ । ପ୍ରଥମ ଥର ନିମନ୍ତେ ଏପରି ସଭାରେ ବସ୍ତିର ବୋହୁମାନେ ମଧ୍ୟ ଯୋଗ ଦେଇଥିବାରୁ ଯୁବ ପ୍ରତିଭା ମିନତୀ ଦାସଙ୍କର ପିତା ଓ ମାତା ସମସ୍ତ ଅତିଥିଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଅନୁଷ୍ଠାନର ମଙ୍ଗଳକାମନା କରିଥିଲେ । ଶେଷରେ ଉପସ୍ଥିତ ଛୋଟ ବାଳିକା ଓ ମା ମାନଙ୍କ ମଧ୍ୟରେ କିଛି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ଏବଂ ପୁରସ୍କାର ମଧ୍ୟ ବିତରଣ କରାଯାଇଥିଲା । ଶେଷରେ ଅନୁଷ୍ଠାନର ସଦସ୍ୟ କାହ୍ନୁ ଚରଣ ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା