ପୁରୁଷୋତ୍ତମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲାରେ ମହାମାରୀ କରୋନା ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଥିବା ବେଳେ ପୁରୁଷୋତ୍ତମପୁର ଅଞ୍ଚଳରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡିଛି । ସୂଚନା ଅନୁଯାୟୀ ଶୁକ୍ରବାର ଏନ୍ଏସିର ବିଭିନ୍ନ ୱାର୍ଡରୁ ୨୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୮ଜଣ ମହିଳା ଥିବାବେଳେ ୧୭ ପୁରୁଷ ରହିଛନ୍ତି । ତେବେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୧୨୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୪୮ଜଣ ମହିଳା ରହିଥିବା ବେଳେ ୭୩ ପୁରୁଷ ରହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ଏନ୍ଏସି ଓ ବ୍ଲକ ଅଞ୍ଚଳରୁ ୧୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୦୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୪ ଜଣ ଚିକିତ୍ସାଧିନ ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାବ ଟେଷ୍ଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ହୃଷିକେଶ ମହନ୍ତ ଓ ଭାଟକୁମରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ବି କ୍ରିଷ୍ଣା, ବିପିଏମ୍ ରାଧାକୃଷ୍ଟ ସାବତ, ଡାକ୍ତର ଅସ୍ମିତା ପାତ୍ରଙ୍କ ତତ୍ତ୍ୱାବଧାନ ୧୦ ଜଣିଆ ଟିମ୍ ଉପସ୍ଥିତ ରହି ସ୍ୱାବ ସଂଗ୍ରହ କରିବାରେ ଲାଗିଛନ୍ତି । ପ୍ରଥମ ଦିନରେ ୧୨ ଜଣ ନାମ ପଞ୍ଜୀକରଣ କରିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜଣାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା