ପୁରୁଷୋତ୍ତମପୁର (ସମୃଦ୍ଧ ଓଡିଶା) ଭୁବନେଶ୍ୱରରେ ଆୟୋଜିତ ଏକ ସମାରୋହରେ ପୋଲିସ ମହାନିର୍ଦ୍ଦେଶକ ଡ଼. ରାଜେନ୍ଦ୍ର ପ୍ରସାଦ ଶର୍ମା ପୁରୁଷୋତ୍ତମପୁର ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କୁ ଶ୍ରେଷ୍ଠ ତଦନ୍ତ ଅଧିକାରୀ ପୁରସ୍କାର ପ୍ରଦାନ କରିଛନ୍ତି । ଇନସପେକ୍ଟର ଅଜୟ ପାଟପୁର ଥାନା ଅଧିକାରୀ ଥିବା ସମୟରେ ଏକ ହତ୍ୟା ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ କୋର୍ଟରେ ଆବଶ୍ୟକ ପ୍ରମାଣ ଦାଖଲ କରିଥିଲେ । ତାହାକୁ ଭିତ୍ତି କରି ଗତ ବର୍ଷ ଏପ୍ରିଲ ୨୬ ତାରିଖରେ ଅଭିଯୁକ୍ତ ଦୁଇ ଭାଇଙ୍କୁ ଜିଲ୍ଲା ଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ତାଙ୍କର ସଠିକ ତଦନ୍ତ ପାଇଁ ଦୋଷୀମାନେ ଉପଯୁକ୍ତ ଦଣ୍ଡ ପାଇଥିଲେ । ଏଥିପାଇଁ ଇନସପେକ୍ଟର ଅଜୟଙ୍କୁ ଶ୍ରେଷ୍ଠ ତଦନ୍ତ ଅଧିକାରୀ ପୁରସ୍କାର ପ୍ରଦାନ କରାଯାଇଛି । ଗତ ୨୦୧୫ ଜୁନ ମାସ ୨୮ ତାରିଖରେ ପାଟପୁର ଥାନା ଢ଼େପାଗୁଡା ଗ୍ରାମର ରୁନା ମଲ୍ଲିକ ଧାନ ବସ୍ତା ଧରି ଘର ଛାତରୁ ସିଡିରେ ଓହ୍ଲାଇ ଥିବାବେଳେ ଖସି ପଡ଼ିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ରୁନାଙ୍କ ଦୁଇ ଭାଇ ନୀଳାଞ୍ଚଳ ମଲ୍ଲିକ ଓ ଟୁନା ମଲ୍ଲିକ ନିକଟରେ ଛିଡା ହୋଇଥିବା ଗାଁର ପ୍ରକାଶ ମଲ୍ଲିକକୁ ଗଲି ଗୁଲଜ କରିଥିଲେ । ଗୁଣି ଗାରେଡି ଯୋଗୁଁ ଭାଇର ମୃତ୍ୟୁ ହେଲା ବୋଲି ଉଭୟେ ଅଭିଯୋଗ କରି ପ୍ରକାଶଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଏଥିରେ ପ୍ରକାଶଙ୍କ ମୃତ୍ୟୁ ଘଟିଥିବା ବେଳେ ରୁନାର ଜୁଇରେ ହିଁ ପ୍ରକାଶର ଶବ ପୋଡିବା ପାଇଁ ଉଦ୍ୟମ କରିଥିଲେ । ଏହି ଘଟଣାରେ ପାଟପୁର ଥାନା ପୋଲିସ ୨୦୧୫ ଜୁନ ୩୦ ତାରିଖରେ ହତ୍ୟା ମାମଲା ରୁଜୁ କରି ଦୁଇ ଭାଇ ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଜିଲ୍ଲାଜଜ ଦୁଇଭାଇ ନୀଳାଞ୍ଚଳ ଓ ଟୁନାକୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଅନ୍ୟ ୫ଜଣଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା