ପୂର୍ଣ୍ଣାଙ୍ଗ ବିମାନ ବନ୍ଦର କରିବା ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଓଡିଶା ଡେଭଲପମେଣ୍ଟ ଫୋରମ ଦେଲା ଦାବିପତ୍ର…

ବ୍ରହ୍ମପୁର ଠାରେ ଏକ ସବୁଦିନିଆ ଗ୍ରୀନ-ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଦୀର୍ଘ ଦୁଇ ଦଶକ ଧରି ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଦାବି କରିବା ପରେ ଗତ ମାର୍ଚ୍ଚ ୫ ତାରିଖ ଠାରୁ ରଙ୍ଗେଈଲୁଣ୍ଡା ବିମାନ ବନ୍ଦରରୁ ଭୁବନେଶ୍ବର କୁ ଏକ ନନ ସେଡୁଲ ବିମାନ ସପ୍ତାହକୁ ଦୁଇ ଦିନ ପାଇଁ ଆରମ୍ଭ କରାଯାଇଛି। କିନ୍ତୁ ପ୍ରତିଦିନ ବିମାନ ସୁବିଧା ନଥିବା, ଅନଲାଇନ ଟିକେଟ ବୁକିଂ ବ୍ୟବସ୍ଥା ହୋଇନଥିବା ଓ ପ୍ରମୁଖ ମହାନଗର କୁ ସିଧା ବିମାନ ସଂଯୋଗ ହୋଇ ନଥିବା ଓ କମ ସେ କମ ୭୨ ସିଟ୍ ବିଶିଷ୍ଟ ବିମାନ ସେବା ଆରମ୍ଭ ହୋଇ ନଥିବା ଯୋଗୁଁ ଜନ ସାଧାରଣ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ପକ୍ଷରେ ବ୍ରହ୍ମପୁରରେ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ନିର୍ମାଣ ହେବା ପର୍ଯ୍ୟନ୍ତ ରଙ୍ଗେଈଲୁଣ୍ଡା ବିମାନ ବନ୍ଦର କୁ ସମ୍ପ୍ରସାରିତ କରି ଏଟିଆର – ୭୨ ବା ତାହାଠୁ ବଡ ବିମାନ ଚଲାଇବା ପାଇଁ ରାଜ୍ୟ ସରକାର ଯେଉଁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଉ ଥିଲା ତାହାର ପ୍ରଗତି ବି କିଛି ଆଖିଦୃଷ୍ଟିଆ ଦେଖା ଯାଉ ନାହିଁ। ତେଣୁ ଓଡିଶା ଡେଭଲପମେଣ୍ଟ ଫୋରମ ର ସଦସ୍ୟ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ସାକ୍ଷାତ କରି ଓ ଏହି ସବୁ ବିଷୟକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ବ୍ରହ୍ମପୁରରେ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ପଡୋଶୀ ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ରୁ ଲକ୍ଷାଧିକ ପର୍ଯ୍ୟଟକ ମା’ ତାରା ତାରିଣୀ ଶକ୍ତିପୀଠ, ଗୋପାଳପୁର ବେଳାଭୂମି, ତାମ୍ପରା, ଚିଲିକା, ଦାରିଙ୍ଗିବାଡି, ଜୀରାଙ୍ଗ କୁ ଆସୁଥିବା ବେଳେ; ବ୍ରହ୍ମପୁର ଓ ଦକ୍ଷିଣ ଓଡ଼ିଶାରୁ ହଜାର ହଜାର ବ୍ୟବସାୟୀ ଓ ସାଧାରଣ ଜନତା ପ୍ରତିଦିନ ବିଶାଖାପାଟଣା, କଲିକତା, ହାଇଦ୍ରାବାଦ ଉପରେ ନିର୍ଭରଶୀଳ ଥିବାରୁ ଏହି ଅଂଚଳ କୁ ଦୈନିକ ବିମାନ ସେବା ସଫଳ ହେବ। ତେଣୁ କେବଳ ବ୍ରହ୍ମପୁର ରୁ ଭୁବନେଶ୍ୱର କୁ ବିମାନ ନ ଚଲାଇ, ହାଇଦ୍ରାବାଦ, କୋଲକାତା, ବିଶାଖାପାଟଣା, ବାଙ୍ଗାଲୋର ପ୍ରଭୃତି ସହରକୁ ଯଥା ଶୀଘ୍ର ପ୍ରତିଦିନ ବିମାନ ସେବା ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇ ଥିଲା। ଆଲୋଚନା ସମୟରେ ଅନ୍ୟ ଦାବି ମଧ୍ୟରେ, ଅନଲାଇନ ଟିକେଟ ବିକ୍ରି ବ୍ୟବସ୍ଥା କରିବା, ବ୍ରହ୍ମପୁର ରୁ ଭୁବନେଶ୍ୱର କୁ ସେଡୁଲ ବିମାନ ଚଲାଇବା, ଭୁବନେଶ୍ବର ରୁ ବ୍ରହ୍ମପୁର ବିମାନ ରେ ଟିକେଟ ପାଇବା ପାଇଁ ଭିଡ଼ ଲାଗିଥିବା ଯୋଗୁଁ ବିମାନକୁ ପ୍ରତିଦିନ ଦୁଇ ଥର ଚଲାଇବା, ଟିକଟ ଦାମ ୨୫୦୦ ଟଙ୍କା ବଦଳରେ ପୁରୁଣା ୧୨୦୦ କରିବା ଓ ରଙ୍ଗେଈଲୁଣ୍ଡା ବିମାନ ବନ୍ଦର ରେ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇ ଥିଲା। ରଙ୍ଗେଈଲୁଣ୍ଡା ପାଖରେ ଭିତ୍ତିଭୂମି ର ବିକାଶ କରି ବିଶ୍ଵବିଦ୍ୟାଳୟ ର ସବୁ ଛାତ୍ରାବାସ କୁ ଗେଷ୍ଟ ହାଉସ ପାଖକୁ ନେଇ ଆଉ ୨୫ ଏକର ଜମି ଓ ତାହା ପଛକୁ ରହିଥିବା ୧୦୦ ଏକର ରୁ ଅଧିକ ସରକାରୀ, ଚାରଣ ଓ ବେସରକାରୀ ଜମି କୁ ବିମାନ ବନ୍ଦର ରେ ମିଶାଇ ୨୫୦୦ ମିଟର ର ଏକ ନୂଆଁ ରନ-ୱେ ପଶ୍ଚିମ ପଟକୁ ନିର୍ମାଣ କରି ଯାତ୍ରୀବାହୀ ଓ କାର୍ଗୋ ବିମାନ ବନ୍ଦର କେମିତି ଶିଘ୍ର ପ୍ରତିଷ୍ଠା କରାଯାଇ ପାରିବ ସେଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରାଯାଇ ଥିଲା। ଏହି ସବୁ ଦାବିକୁ ମାନନୀୟ ଜିଲ୍ଲାପାଳ ଓ ସରକାରଙ୍କ ପାଖକୁ ପଠାଇବା ସହ ବିମାନ ବନ୍ଦର ର ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ବିଭିନ୍ନ କାମ ବିଷୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ମହୋଦୟ ସୂଚନା ପ୍ରଦାନ କରିଥିଲେ। ପ୍ରଥମ ଚରଣ ରେ ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ରନୱେ ପ୍ରାୟ ୯୫୦ ମିଟର ପର୍ଯ୍ୟନ୍ତ ବଢିବା ଓ ଓସାର ୩୫ ମିଟର କରିବା ପାଇଁ ଜାଗା ମିଳି ସାରିଥିବାରୁ ଯଥାଶୀଘ୍ର ଏହି କାମ ଆରମ୍ଭ କରିବା ପାଇଁ ପଦକ୍ଷେପ ନିଆ ଯାଇଥିବା ସୂଚନା ଦେଇଥିଲେ। ଏହି ପ୍ରଥମ ଚରଣରେ ଟର୍ମିଲାନ କୋଠା, ଏଟିସି  ଟାୱାର, ପାର୍କିଂ ବ୍ୟବସ୍ଥା ର କାମ ସରିବ। ଏହି ଚରଣ ରେ ଆଉ ୫୦୦ ମିଟର ରନୱେ ବଢେଇବା ପାଇଁ ସରକାର ଙ୍କ କିଛି ଦିନ ତଳେ ନିର୍ଦ୍ଦେଶ ଆସିଥିବା ଯୋଗୁଁ ଏ ବର୍ଷ ଡିସେମ୍ବର ସୁଦ୍ଧା ଏହି ସବୁ କାମ ସାରି ୭୨ ସିଟ୍ ବିଶିଷ୍ଟ ବିମାନ ଉଡେଇବା ପାଇଁ ଚେଷ୍ଟା କରାଯାଉଛି ବୋଲି ଉପଜିଲ୍ଲାପାଳ ମହୋଦୟ ସୂଚନା ଦେଇଥିଲେ। ଏହି ଅବସରରେ ଓଡିଶା ଡେଭଲପମେଣ୍ଟ ଫୋରମ ସଚିବ ଭି ସୋମେଶ୍ୱର ରାଓ, ମାନସ ରଞ୍ଜନ ପାତ୍ର, ପ୍ରବୀଣ ପଟ୍ଟନାୟକ, କିରଣ କୁମାର ପଣ୍ଡା, ସନ୍ତୋଷ କୁମାର ସାହୁ, ଏନ. ନୀଳମାଧବ ପାତ୍ର ଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ରିପୋର୍ଟ : ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା