ଭୁବନେଶ୍ୱର(ସମୃଦ୍ଧଓଡିଶା)ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପିନେତା ସମୀର ଦେ’ଙ୍କ ବିୟୋଗରେ ରାଜ୍ୟ ମର୍ମାହତ ହୋଇଛି । ଜଣେ ଲୋକପ୍ରିୟ ରାଜନେତା ଭାବେ ସୁଖ୍ୟାତି ଅର୍ଜନ କରିଥିଲେ । ସେ ଉଚ୍ଚ ଶିକ୍ଷା ଓ ନଗର ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ I ଜଣେ ଦୃଢ଼ ସଂଗଠକ, ମିଷ୍ଠଭାଷୀ, ସମାଜସେବୀ ତଥା ପରୋପକାରୀ ଭାବେ ସେ ଚିରପରିଚିତ ଥିଲେ I ତାଙ୍କ ବିୟୋଗ ସମଗ୍ର ରାଜନୀତି ଜଗତ ତଥା ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି ସମୃଦ୍ଧଓଡିଶା ପରିବାର। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ପରଲୋକରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗୀୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଭୀର ଶୋକ ପ୍ରକାଶ କରିଛନ୍ତି । ରାଜନୀତିକୁ ନେଇ ତାଙ୍କ ଅଙ୍ଗୀକାରବଦ୍ଧତା ଏବଂ ବିଭିନ୍ନ ବିଭାଗରେ ତାଙ୍କର କାର୍ଯ୍ୟ ଦକ୍ଷତା ସର୍ବଦା ଚିର ସ୍ମରଣୀୟ ହୋଇ ରହିବ । ସେ ଜଣେ ଦକ୍ଷ ସାଙ୍ଗଠନିକ ନେତା ଥିଲେ । ୨୦୦୦ ମସିହାରୁ ୨୦୦୪ ଯାଏଁ ସେ ନଗର ଉନ୍ନୟନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ବେଳେ ୨୦୦୪ ମସିହାରୁ ୨୦୦୯ ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ ଭାବେ ସେ କାର୍ଯ୍ୟରତ ଥିଲେ । ରାଜ୍ୟ ରାଜନୀତିରେ ସମୀର ଦେଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି କହିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ରାଜନେତା ସମୀର ଦେ’ଙ୍କ ବିୟୋଗରେ ପଂଚାୟତିରାଜ ଏବଂ ପାନୀୟଜଳ, ଗ୍ରାମ୍ଯଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ବର୍ଗତ ଦେଂକ ରାଜନୈତିକ ଜୀବନକୁ ଜନସେବାର ଏକ ପ୍ରାମାଣିକ ଆଦର୍ଶ ଉଦାହରଣରୂପେ ବର୍ଣ୍ଣନାକରି ମାନ୍ଯବର ମନ୍ତ୍ରୀ ଶ୍ରୀ ନାଏକ ଅମରଆତ୍ମାଂକ ପ୍ରତି ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି । ଏହା ସହ ଉଚ୍ଚ ଶିକ୍ଷା ଓ ନଗର ଉନ୍ନୟନ ଭଳି ବିଭାଗର ମନ୍ତ୍ରୀ, କଟକର ଲୋକପ୍ରିୟ ବିଧାୟକ ଭାବେ ସ୍ବର୍ଗତ ଦେଂକ ଲୋକାଭିମୁଖୀ କାର୍ଯ୍ଯ ତାଂକୁ ଚିରଦିନ ପାଇଁ ଅମରକରି ରଖିବ ବୋଲି ପ୍ରକାଶ କରିବା ସହ ତାଙ୍କ ବିୟୋଗ ସମଗ୍ର ରାଜ୍ୟ ତଥା ରାଜନୀତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ନାଏକ କହିଛନ୍ତି । ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ’ ଙ୍କ ବିୟୋଗରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ଡ଼ଃ ମହାଲିଙ୍ଗ କହିଛନ୍ତି ଯେ, “ସ୍ବର୍ଗତ ଦେଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ l ତିନି ଦଶନ୍ଧିରୁ ଅଧିକ ସମୟ ଧରି ଉଭୟ କଟକ ତଥା ରାଜ୍ୟବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କ ଜୀବନ ସମର୍ପିତ ଥିଲା। ଗୃହ ଓ ନଗର ଉନ୍ନୟନ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଥିବା ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ଯାହାର ସୁଫଳ ଆଜି ମଧ୍ୟ ଓଡିଶାବାସୀ ପାଉଛନ୍ତି। ଏଭଳି ଜଣେ ଉତ୍ସର୍ଗୀକୃତ ଜନନେତାଙ୍କୁ ରାଜ୍ୟବାସୀ ସବୁଦିନ ପାଇଁ ସ୍ମରଣ କରିବେ l ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି l ମନ୍ତ୍ରୀ ଡ଼ଃ ମହାଲିଙ୍ଗ ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୁଁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।