ଭୁବନେଶ୍ୱର(ସମୃଦ୍ଧଓଡିଶା) ପୂର୍ବତନ ମନ୍ତ୍ରୀ ସମୀର ଦେ’ ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ଦେ ଜଣେ ଲୋକପ୍ରିୟ ଜନ ନେତା ଓ ଦୃଢ଼ ସଂଗଠକ ଥିଲେ। ଉଚ୍ଚ ଶିକ୍ଷା ଓ ନଗର ଉନ୍ନୟନ ମନ୍ତ୍ରୀ ଭାବରେ ସେ ରାଜ୍ୟର ବିକାଶରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖି ଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କର ମିଷ୍ଟଭାଷୀ ବ୍ୟକ୍ତିତ୍ଵ ପାଇଁ ସେ ସବୁ ବର୍ଗର ଲୋକଙ୍କର ପ୍ରିୟପାତ୍ର ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କଟକ ସହର ସହିତ ସାରା ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସଂଗଠନକୁ ସୁଦୃଢ କରିବାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କର ଶେଷ କୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନୁଷ୍ଠିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ପରିବାର ବର୍ଗଙ୍କ ପ୍ରତି ସମ ବେଦନା ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଯେତେବେଳେ କଟକ ଗସ୍ତରେ ଯାଆନ୍ତି, ସେତେବେଳେ ସେ ଅସୁସ୍ଥ ସମୀର ଦେ ଙ୍କୁ ଭେଟି ଥାଆନ୍ତି। ନିକଟରେ ବାଲିଯାତ୍ରା ପାଇଁ କଟକ ଯାଇଥିବା ବେଳେ, ମୁଖ୍ୟମନ୍ତ୍ରୀ ସମୀର ଦେ ଙ୍କୁ ଏକ ଘରୋଇ ହସ୍ପିଟାଲରେ ଭେଟିଥିଲେ।
ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଗଭୀର ଶୋକ ପ୍ରକାଶ
ଏକ ଶୋକବାର୍ତ୍ତାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, “ପୂର୍ବତନ ନଗର ଉନ୍ନୟନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ଦିଗଜ୍ଜ ନେତା ସମୀର ଦେ ଙ୍କ ଦେହାନ୍ତ କଥା ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ l ମାତ୍ର ୬୭ ବର୍ଷ ବୟସରେ ତାଙ୍କ ପରଲୋକ ହେବା ନିଶ୍ଚିତ ରୂପେ ଦୁଃଖର ବିଷୟ l ସମୀର ମୋର ଜଣେ ଅନ୍ତରଙ୍ଗ ବନ୍ଧୁ ଥିଲେ । ବିଧାନସଭା ଅଧିବେଶନରେ ଆମେ ଦୁହେଁ ଗୋଟିଏ ବେଞ୍ଚରେ ଏକାଠି ବସୁଥିଲୁ । ତାଙ୍କ ସହ ମୋର ଅନେକ ସ୍ମୃତି ରହିଛି । ୨୦୦୦ ଓ ୨୦୦୪ ମସିହାରେ କଟକ ନିର୍ବାଚନ ମଣ୍ଡଳୀରୁ ସେ ଦୁଇ ଦୁଇ ଥର ନିର୍ବାଚିତ ହୋଇ ନଗର ଉନ୍ନୟନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଗୁରୁ ଦାୟିତ୍ଵ ତୁଲାଇଥିଲେ l ଭାରତୀୟ ଜନତା ଦଳକୁ ସୁଦୃଢ କରିବାରେ ତାଙ୍କ ଅବଦାନ ଅବିସ୍ମରଣୀୟ l ସେ ଜଣେ ମିଷ୍ଟଭାଷୀ, ମେଳାପୀ, ପରୋପକାରୀ ଏବଂ ସହୃଦୟ ବ୍ୟକ୍ତି ଥିଲେ l ତାଙ୍କର ଏହି ବିୟୋଗ ଓଡ଼ିଶାରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି l ଏହି ଦୁଃଖଦ ସମୟରେ ଭଗବାନ ଶ୍ରୀ ଜଗନ୍ନାଥ ତାଙ୍କ ପରିବାରକୁ ଅସୀମ ଶକ୍ତି ଓ ଧର୍ଯ୍ୟ ପ୍ରଦାନ କରନ୍ତୁ l” ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି l
ପୂର୍ବତନ ମନ୍ତ୍ରୀ ସମୀର ଦେ’ ଙ୍କ ବିୟୋଗରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଶୋକ
ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ରାଜନେତା ସମୀର ଦେ ଙ୍କ ବିୟୋଗରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ବୈଷୟକ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି। ନିଜ ଶୋକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଉଚ୍ଚ ଶିକ୍ଷା ଓ ନଗର ଉନ୍ନୟନ ଭଳି ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ସ୍ବର୍ଗତ ଦେ ଅନେକ କାର୍ଯ୍ୟ କରିଯାଇଥିଲେ I ଜଣେ ସମାଜସେବୀ, ଦୃଢ଼ ସଂଗଠକ, ପରୋପକାରୀ ତଥା କର୍ମଯୋଗୀ ମଣିଷ ଭାବେ ଭାବେ ସେ ସାରା ରାଜ୍ୟରେ ପରିଚିତ ଥିଲେ I କଟକ ଅଞ୍ଚଳର ବିଧାୟକ ଭାବେ ସେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଯାଇଛନ୍ତି I ତାଙ୍କ ବିୟୋଗ ସମଗ୍ର ରାଜ୍ୟ ତଥା ରାଜନୀତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି I ମନ୍ତ୍ରୀ ଶ୍ରୀ ପାତ୍ର ସ୍ବର୍ଗତ ଦେ ଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି I
ପୂର୍ବତନ ମନ୍ତ୍ରୀ ସମୀର ଦେ’ ଙ୍କ ବିୟୋଗରେ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଶୋକ
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ସମୀର ଦେ’ ଙ୍କ ବିୟୋଗରେ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜଣେ ଲୋକପ୍ରିୟ ରାଜନେତା ଭାବେ ସୁଖ୍ୟାତି ଅର୍ଜନ କରିଥିବା ସ୍ବର୍ଗତ ଦେ ଉଚ୍ଚ ଶିକ୍ଷା ଓ ନଗର ଉନ୍ନୟନ ଭଳି ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଯାଇଛନ୍ତି I ଜଣେ ଦୃଢ଼ ସଂଗଠକ, ମିଷ୍ଠଭାଷୀ, ସମାଜସେବୀ ତଥା ପରୋପକାରୀ ଭାବେ ସେ ଚିରପରିଚିତ ଥିଲେ I ତାଙ୍କ ବିୟୋଗ ସମଗ୍ର ରାଜନୀତି ଜଗତ ତଥା ରାଜ୍ୟପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ତାଙ୍କ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି । ଏଥି ସହ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ତାଙ୍କ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
ରିପୋର୍ଟ : ରଜତ ମହାପାତ୍ର