ଭୁବନେଶ୍ୱର(ସମୃଦ୍ଧଓଡିଶା) ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶବାଦୀ ରାଜନେତା ଓ ସାଲିସ୍ବିହୀନ ବ୍ୟକ୍ତିତ୍ୱ । ଜମିଦାରୀ ପ୍ରଥା ଉଚ୍ଛେଦ, ଓଡ଼ିଶା ଭାଗଚାଷ ଆଇନ, ଭୂସଂସ୍କାର ପାଇଁ ପ୍ରାଥମିକ ବ୍ୟବସ୍ଥା ଆଦି ଜନକଲ୍ୟାଣକାରୀ ନିୟମ ଆଣି ନବକୃଷ୍ଣ ଚୌଧୁରୀ ଓଡ଼ିଶାର ଧନୀ-ଦରିଦ୍ର ମଧ୍ୟରେ ତାରତମ୍ୟକୁ ହ୍ରାସ କରିବା ଦିଗରେ ତାଙ୍କର ନିଷ୍ଠା ପ୍ରମାଣ କରିଥିଲେ । ସେ ସବୁବେଳେ ଓଡ଼ିଆଙ୍କ ସ୍ୱାଭିମାନ, ଉନ୍ନତି ବିଷୟରେ ଚିନ୍ତା କରୁଥିଲେ । ଜଣେ ନିଷ୍ଠାପର ଜନନାୟକ ଏବଂ ବିପ୍ଳବୀର ସମସ୍ତ ଗୁଣ ତାଙ୍କଠାରେ ପରିପୂର୍ଣ୍ଣ ଥିଲା ବୋଲି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରକାଶ କରିଛନ୍ତି । ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଜଣେ ବିପ୍ଳବୀ ଜନନାୟକ, ସାମ୍ୟବାଦୀ ଦର୍ଶନର ରୂପକାର, କୃଷକ, ଖଟିଖିଆ ଓ ମେହନତି ମଣିଷର ସୁଖଦୁଃଖର ସାଥୀ, ସରଳ, ନିରାଡ଼ମ୍ବର ଓ ସର୍ବୋପରି ଜଣେ ସଚ୍ଚା ଦେଶସେବକ ଭାବେ ନବକୃଷ୍ଣ ଚୌଧୁରୀ ଓଡ଼ିଶାବାସୀଙ୍କ ହୃଦୟରେ ଚିରଅମର ହୋଇ ରହିବେ । ଗାନ୍ଧିଜୀଙ୍କ ଆହ୍ୱାନରେ ପାଠପଢ଼ା ଛାଡ଼ି ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ । ଉଭୟ ବ୍ୟକ୍ତିଗତ ଓ ସାମାଜିକ କ୍ଷେତ୍ରରେ ସାଧୁତା, ନୈତିକତା, ସରଳତା, ପରୋପକାର ଓ ସତ୍ୟବାଦିତା ଦୃଷ୍ଟିରୁ ସେ ସମଗ୍ର ଦେଶରେ ଏକ ବିରଳ ରାଜନେତା ଥିଲେ । ମୂଲ୍ୟବୋଧଭିତ୍ତିକ ରାଜନୀତି ପାଇଁ ନବକୃଷ୍ଣ ଚୌଧୁରୀ ସବୁଦିନ ପାଇଁ ମନେ ରହିବେ ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଗାନ୍ଧୀବାଦୀ ଲେଖକ ଓ ସ୍ତମ୍ଭକାର ଶ୍ରୀ ପ୍ରହଲ୍ଲାଦ କୁମାର ସିଂହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଜଣେ ସରଳ, ପରୋପକାରୀ, ସତ୍ୟବାନ ରାଜନେତା ଭାବେ ବର୍ଣ୍ଣନା କରି ତାଙ୍କ ସମୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ବୁର୍ଲା ଯାନ୍ତ୍ରିକ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ହୀରାକୁଦ ବନ୍ଧ ନିର୍ମାଣ କାର୍ଯ୍ୟ ତାଙ୍କ ସମୟରେ ଚାଲିଥିଲା । ମହାଜନୀ କାରବାର ବିରୁଦ୍ଧରେ ସେ ସ୍ୱର ଉତ୍ତୋଳନ କରିଥିଲେ । ତାଙ୍କର ନିଷ୍ଠା, ଆଦର୍ଶ, ତ୍ୟାଗପୂତ ଜୀବନ ଓଡ଼ିଶାବାସୀଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବ ବୋଲି ସେ କହିଥିଲେ । ବିଶିଷ୍ଟ ଶିକ୍ଷାବତ୍ ତଥା ସମାଜସେବୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ପ୍ରତିକୂଳତାକୁ ଭ୍ରୁକ୍ଷେପ ନକରି, କ୍ଷମତା ଓ ବସ୍ତୁବାଦୀ ଲୋଭରେ ଅବିଚଳିତ ରହି, ପ୍ରଲୋଭନକୁ ପଦାନତ କରି ନବକୃଷ୍ଣ ଚୌଧୁରୀ ଏକ ନୂତନ ଆଦର୍ଶ ସୃଷ୍ଟି କରିଥିଲେ ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଇ.ଆଇ.ଟି., ଭୁବନେଶ୍ୱରର ସଦସ୍ୟ ଶ୍ରୀ ସତ୍ୟବ୍ରତ ପଣ୍ଡା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୀବନାଦର୍ଶ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରି କହିଥିଲେ ଯେ ଚାଷୀମୂଲିଆଙ୍କ ସମସ୍ୟା ପ୍ରତି ନବକୃଷ୍ଣ ଚୌଧୁରୀ ଥିଲେ ଅତ୍ୟନ୍ତ ଭାବପ୍ରବଣ । ନବକୃଷ୍ଣ ଚୌଧୁରୀ ଓଡ଼ିଶାର ଗ୍ରାମାଞ୍ଚଳର ବିକାଶ, ସମାଜର ନିମ୍ନସ୍ରୋତରେ ଥିବା ମଣିଷଙ୍କ ଉନ୍ନତି, ଭାଷାଗତ ଓ ସାଂସ୍କୃତିକ ବିକାଶ ସାଙ୍ଗକୁ ସବୁବେଳେ ଦୂରଦୃଷ୍ଟି ନେଇ ସମାଜର ଉତ୍ତରଣ କଥା ଚିନ୍ତା କରୁଥିଲେ । ତାଙ୍କ ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରିପାରିଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ଅତିଥିମାନଙ୍କୁ ସ୍ୱାଗତ କରିବା ଅବସରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କୁ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ନିଃସ୍ୱାର୍ଥପର ଜନସେବକ, ବିଶିଷ୍ଟ ରାଜନୀତିଜ୍ଞ ବୋଲି ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।
ରିପୋର୍ଟ : ରଜତ ମହାପାତ୍ର ଓ ସଚ୍ଚିଦାନନ୍ଦ ବେହେରା,ସୂଚନା ଅଧିକାରୀ