ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧ ତାରିଖରେ ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବ ବିଜେଡି

ଭୁବନେଶ୍ୱର : ଆସନ୍ତା ୧ ତାରିଖରେ ରାଜଭବନ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ବିକ୍ଷୋଭ କରିବ। ରାଜ୍ୟରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ପୁଣି ଥରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ବିଜୁ ଜନତା ଦଳ।  ଏହି ଆନ୍ଦୋଳନରେ ବିଜେଡିର ଛାତ୍ର, ଯୁବକ ଓ ମହିଳା କର୍ମୀମାନେ ସାମିଲ ହେବେ ବୋଲି ଆଜି ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ଅରୁଣ ସାହୁ। ସେହିପରି ବିଜେଡି ବିଧାୟକ ସଂଜୟ ଦାସବର୍ମା ରାଜ୍ୟରେ ତୈଳ ଦର ବୃଦ୍ଧି ନେଇ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ୨୦୧୪ ତୁଳନାରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଏକସାଇଜ ଡ୍ୟୁଟୀ ୧୧୧ ପ୍ରତିଶତ ବଢାଇଛନ୍ତି । ତେଲ ଦର କମାଇବାକୁ କେନ୍ଦ୍ର ସରକାରଙ୍କ ଆନ୍ତରିକତା ନାହିଁ । ପୂର୍ବରୁ ମଧ୍ୟ ବିଜେଡି ପକ୍ଷରୁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ ଆନ୍ଦୋଳନ କରାଯାଇଥିଲା।