



ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ଆସନ୍ତା ପୌରପରିଷଦ ନିର୍ବାଚନରେ ‘ଆମ୍ ଆଦମୀ ପାର୍ଟି ‘ପ୍ରାର୍ଥୀ ଦେବା ନେଇ ଘୋଷଣା କରାଯାଇଛି । ଗଜପତି ଜିଲ୍ଲାର ଉଭୟ ପାରଳାଖେମୁଣ୍ଡି ପୈାରପରିଷଦ ଏବଂ କାଶିନଗର ବିଜ୍ଞପିତ ଅଞ୍ଚଳ ପରିଷଦ ନିର୍ବାଚନରେ ପ୍ରାର୍ଥୀ ଦିଆଯାଉଥିବା ପାର୍ଟି ପକ୍ଷରୁ ଖବର ମିଳିଛି । ଏଥିପାଇଁ ଦଳପକ୍ଷରୁ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ଶନିବାର ଦିନ ଓମ୍ ଶାନ୍ତି କଲୋନ ସ୍ଥିତ ଆପ୍ ଜିଲ୍ଲା ଆବାହକ ଶିଶିର ଭଞ୍ଜ ସାମନ୍ତଙ୍କ ବାସଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି । ଦୁର୍ନୀତି ବିରୋଧରେ ଲଢେଇ କରିବା ପାଇଁ ଦଳର ଯେଉଁ ଆଭିମୁଖ୍ୟ ରହିଛି ତାହାକୁ ଆଧାର କରି ହିଁ ଦଳ ଏହି ନିର୍ବାଚନ ଲଢିବ ବୋଲି ଜିଲ୍ଲା ଆବାହକ ଶିଶିର ଭଞ୍ଜ ସାମନ୍ତ ଘୋଷଣା କରିଛନ୍ତି। ଏହାସହ ରାଷ୍ଟ୍ରୀୟ ନିର୍ମାଣ ପାଇଁ ତୃଣମୂଳ ସ୍ତରରୁ ସଦସ୍ୟତା ସଂଗ୍ରହ ଅଭିଯାନ ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ଅନେକ ବର୍ତ୍ତମାନ ସଦସ୍ୟତା ଗ୍ରହଣ କଲେଣି ଏବଂ ଏହି ପ୍ରକ୍ରିୟା ଆସନ୍ତା ୨୩ ପର୍ଯ୍ୟନ୍ତ ଚାଲିବ ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆପ୍ ନେତା ପ୍ରଶାନ୍ତ ମିଶ୍ର, ଶୈଳବାଳା ପଣ୍ଡା, ଦେବେନ୍ଦ୍ରନାଥ ଜମିଦାର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଟି. କ୍ରୀଷ୍ଣା, ସାଗର କଳିଙ୍ଗ ଓ ଲୋକନାଥ ଭୁକ୍ତା ପ୍ରମୁଖ ଦଳରେ ସାମିଲ ହୋଇଥିଲେ।
ରିପୋର୍ଟ : କୃଷ୍ଣ କୁମାର ବେହେରା
