ପୋଖରୀ ଘାଟ ନିର୍ମାଣରେ ମହା ଘୋଟଲା ହୋଇଥିବା ଅଭିଯୋଗ : ଦୃଢ କାର୍ଯ୍ୟାନୁଷ୍ଠାନ କରିବା ସହ ହୋଇ ନ ଥିବା ଅନ୍ୟ ଏକ ଘାଟ ନିର୍ମାଣ କରିବାକୁ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ତାଡଡ଼ା ପଞ୍ଚାୟତରେ ପୋଖରୀ ଘାଟ ନିର୍ମାଣରେ ମହା ଘୋଟଲା ହୋଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ବାସୀଙ୍କ ଦ୍ୱାରା ମଗା ଯାଇଥିବା ଆର.ଟି.ଆଇ. ରିପୋର୍ଟ ଜରିଆରେ ଏହି ଦୁର୍ନୀତି ଲୋକ ଲୋଚନକୁ ଆସିଛି । ଗୋଟିଏ ପୋଖରୀରେ ୨ଟି ଗାଧୁଆ ଘାଟ ନିର୍ମାଣ ବାବଦକୁ ଟଙ୍କା ଉଠାଣ ହୋଇଥିବା ବେଳେ ମାତ୍ର ଗୋଟିଏ ଘାଟ ନିର୍ମାଣ କରି ସିଧା ସଳଖ ଦେଢ଼ଲକ୍ଷ ଟଙ୍କା ମାରଣ ହୋଇଥିବା ପଞ୍ଚାୟତ ବାସୀ ଅଭିଯୋଗ କରିଛନ୍ତି । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହ ନିର୍ମାଣ କାର୍ଯ୍ୟ ପରିଚଳନା କରୁଥିବା ଦିଲ୍ଲୀପ ଦତ୍ତ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ଆଦେକ ଓ ଭବେଷ ପାତ୍ରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଞ୍ଚାୟତ ବାସୀ ଜିଲ୍ଲାପାଳ ଓ ଉପରିସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ସୂଚନା ମୁତାବକ, ପଞ୍ଚାୟତର ଶାସନ ଗ୍ରାମ ସ୍ଥିତ ”ଦିକି” ପୋଖରୀରେ ଦୁଇଟି ପୃଥକ ପକ୍କା ଘାଟ ନିର୍ମାଣ ପାଇଁ ୨୦୧୬/୧୭ ଏବଂ ୨୦୧୭/୧୮ ଆର୍ଥିକ ବର୍ଷରେ ସମୁଦାୟ ୨ ଲକ୍ଷ ୭୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ୨୦୧୬/୧୭ରେ ଚତୁର୍ଦଶ ଅର୍ଥ କମିଶନ ଅନୁଦାନ ଅନୁଯାୟୀ ପ୍ରଥମ ପକ୍କା ଘାଟର ନିର୍ମାଣ ନିମନ୍ତେ ପ୍ରଦୀପ ଆଦେକଙ୍କ ନାମରେ କାର୍ଯ୍ୟନିର୍ବାହୀ ହୋଇ ୧ ଲକ୍ଷ ୨୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ସେହିପରି, ୨୦୧୭/୧୮ରେ ଚତୁର୍ଦଶ ଅର୍ଥ କମିଶନ ଅନୁଦାନ ଅନୁଯାୟୀ ସମାନ ପୋଖରୀରେ ଦ୍ୱିତୀୟ ପକ୍କା ଘାଟର ନିର୍ମାଣ ନିମନ୍ତେ ଭବେଷ ପାତ୍ରଙ୍କ ନାମରେ କାର୍ଯ୍ୟନିର୍ବାହୀ ହୋଇ ୧ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ମାତ୍ର ସେଥିମଧ୍ୟରୁ ମାତ୍ର ଗୋଟିଏ ଘାଟ ନିର୍ମାଣ ହୋଇଥିବା ବେଳେ ସିଧା ସଳଖ ଅନ୍ୟ ଏକ ଘାଟ ନିମନ୍ତେ ଆସିଥିବା ସରକାରୀ ଅର୍ଥକୁ ଲୁଟି ନିଆଯାଇଛି । ସବୁଠାରୁ ବଡ଼ କଥା ହେଉଛି ପଞ୍ଚାୟତ ବାସୀ ଦ୍ୱାରା ଆର.ଟି.ଆଇ. ରିପୋର୍ଟ ଦ୍ୱାରା ସତ୍ୟତା ଜାଣିବା ପରେ ସରକାର ଓ ସାଧାରଣ ଜନତାଙ୍କୁ ଭକୁଆ ବନେଇବା ପାଇଁ ଅର୍ଥ ଆତ୍ମସାତ କରିଥିବା ବ୍ୟକ୍ତିମାନେ ଜୋରଦାର ପ୍ରୟାସ କରିଛନ୍ତି । ସରକାରୀ ତଦନ୍ତକୁ ଲୁଚାଇବାକୁ ନିର୍ମିତ ହୋଇଥିବା କେବଳ ଗୋଟିଏ ଘାଟର ଦୁଇ ପାର୍ଶ୍ୱରେ ଦୁଇଟି ଫଳକ ତିଆରି କରିଛନ୍ତି । ଘାଟର ପୂର୍ବ ପାଖରେ ୧୦୧୭/୧୮ର ୧ଲକ୍ଷ ୫୦ ହଜାର ଟଙ୍କାର ଫଳକ ଓ ପଶ୍ଚିମ ପାଖରେ ୨୦୧୬/୧୭ର ୧ ଲକ୍ଷ ୨୦ ହଜାର ଟଙ୍କାର ଫଳକ ଲାଗିଛି, ଯାହାକି ଦେଢ଼ ଲକ୍ଷ ଟଙ୍କା ମାରଣ ହୋଇ ଥିବାର ସ୍ପଷ୍ଟ ଚିତ୍ର ବୟାନ କରୁଛି । ମହା ଘୋଟାଲା ନିମନ୍ତେ ପଞ୍ଚାୟତ ବାସୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ମାଣ କାମର ପରିଚାଳନା କରୁଥିବା ଦିଲ୍ଲୀପ ଦତ୍ତଙ୍କୁ ଦାୟୀ କରିଥିବା ବେଳେ ତାଙ୍କ ଇସାରାରେ ସମସ୍ତ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ କରିଛନ୍ତି । ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ, ଦୁର୍ନୀତି ଯୋଗୁଁ ତିଆରି ହୋଇ ପାରି ନ ଥିବା ଅନ୍ୟ ଏକ ଘାଟକୁ ନିର୍ମାଣ ନିମନ୍ତେ ଜିଲ୍ଲାପାଳ, ବିଡ଼ିଓ ଏବଂ ସମ୍ପୃକ୍ତ ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି । ସମସ୍ୟାର ସମାଧାନ ନ ହେଲେ ପଞ୍ଚାୟତ ବାସୀ ବ୍ଲକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବା ସହ ଆନ୍ଦୋଳନକୁ ଉହ୍ଲାଇବେ ବୋଲି କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା