ଛତ୍ରପୁର(ସମୃଦ୍ଧ ଓଡିଶା) ଆଇନ ଶୃଙ୍ଖଲା ପରିସ୍ଥିତି ସମ୍ପର୍କରେ ସଚେତନ ପାଇଁ ଛାତ୍ର ଜୀବନରୁ ସଜାଗ ହେବା ନିମନ୍ତେ ପୋଲିସ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ଶୃଙ୍ଖଳା, ଉତ୍ତମ ଚରିତ୍ର ଗଠନ ଓ ସୁନାଗରିକ ହେବା ପାଇଁ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ନେଇ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଆଜି ଷ୍ଟୁଡ଼େଂଟ୍ ପୋଲିସ କ୍ୟାଡ଼େଟ୍ ସ୍କିମ୍ ଉଦଘାଟିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪୦ ଟି ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ତାଲିମ ପ୍ରଦାନ କରା ଯାଉଛି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପ୍ରତି ସ୍କୁଲରୁ ୪୪ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରି ତାଲିମ ଦିଆଯିବ । ରାଜ୍ୟର ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟ କ୍ରମର ଆଜି ଶୁଭାରମ୍ଭ ହୋଇଥିବା ବେଳେ ଗଞ୍ଜାମ ପୋଲିସ ପକ୍ଷରୁ ଛତ୍ରପୁରର ପୁରାତନ ଶିକ୍ଷାନୁଷ୍ଠାନ ଅନସ୍ଲୋ ହାଇସ୍କୁଲଠାରେ ଷ୍ଟୁଡ଼େଂଟ୍ ପୋଲିସ କ୍ୟାଡ଼େଟ୍ ସ୍କିମ୍ ର ଶୁଭାରମ୍ଭ ହୋଇଯାଇଛି । ଏଥିରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଯୋଗଦେଇ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ସ୍କିମ୍ ଛାତ୍ରଛାତ୍ରୀମାନଙ୍କ ମନୋବଳ ବୃଦ୍ଧି କରିବା ସାଙ୍ଗକୁ ଭବିଷ୍ୟତରେ ଶୃଙ୍ଖଳିତ ହେବା ସହ ନିଜକୁ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ କରିପାରିବେ ବୋଲି କହିଥିଲେ । ଏଥିପାଇଁ ଉଭୟ ପୋଲିସ ବିଭାଗ, ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସାମିଲ ହୋଇଥିବା ଛାତ୍ରଛାତ୍ରୀ ବେଶ ଉତ୍ସାହିତ ଥିଲେ । ପୋଲିସ ବିଭାଗର କର୍ତ୍ତବ୍ୟ ସଂପର୍କରେ ଅବଗତ ହେବା, ସାଧାରଣ ଲୋକଙ୍କ ବନ୍ଧୁ ଭାବେ ପୋଲିସ ପ୍ରତି ବିଶ୍ୱାସ ଜନ୍ମାଇବା, ପୋଲିସ ପ୍ରତି ଛାତ୍ରଛାତ୍ରୀଙ୍କ ଭୟକୁ ଦୂରେଇବା ସମାଜ ପ୍ରତି କର୍ତ୍ତବ୍ୟ ବୋଧ ରହିବା,ଅସମାଜିକ କାର୍ଯ୍ୟରୁ ଦୂରେଇ ରହିବାକୁ ସଚେତନ ଭଳି କିଛି ମହତ୍ତ୍ୱ ଉଦ୍ଦେଶ୍ୟ ନେଇ ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ୍ ସ୍କିମ୍ ଆଜି ଶୁଭାରମ୍ଭ ହୋଇଛି ବୋଲି ଏସପି ରାଏ ସୂଚାଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ ଯୋଗ ଦେଇ ଷ୍ଟୁଡ଼େଂଟ୍ ପୋଲିସ କ୍ୟାଡ଼େଟ୍ ଗଠନର ମୁଳ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ ।ସମାଜରସବୁବର୍ଗରଲୋକମାନଙ୍କୁ ତଥା ବରିଷ୍ଠ ନାଗରିକ ଠାରୁ ଆରମ୍ଭ ଛାତ୍ରଛାତ୍ରୀ ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସହଯୋଗ କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି କହିଥିଲେ । ଏଭଳି ଛାତ୍ରଛାତ୍ରୀମାନେ ୨ବର୍ଷ ଧରିତାଲିମ ପାଇବା ପରେ ସାର୍ଟିଫିକେଟ୍ ପ୍ରଦାନ କରାଯିବ ଓ ଏମାନେ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କୁ ସଠିକ୍ ରାସ୍ତାରେ ଯିବା ପାଇଁ ପ୍ରବର୍ତ୍ତାଇବେ ବୋଲି କହିଥିଲେ । ଅନ୍ୟତମ ଅତିଥି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତାକୁଲାଙ୍ଗେ ଯୋଗଦେଇ ”ଏସପିସି”ରେ ସାମିଲ୍ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସମାଜରେ ଦାୟିତ୍ୱ ଉପରେ ବୁଝାଇ ଥିଲେ ଓ ଶୃଙ୍ଖଳାରେ ବଞ୍ଚିବାକୁ ହେଲେ ଲୋକେ ସଠିକ ରାସ୍ତାରେ କିପରି ଯାଇ ପାରିବେ ସେନେଇ ସେମାନଙ୍କ ଭୂମିକା ସମ୍ପର୍କରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼ିଆରଡ଼ିଏ ପିଡ଼ି ଇଂ. ସିଦ୍ଧାର୍ଥ ଶଙ୍କରସ୍ୱାଇଁ, ଡ଼ୁରା ନ୍ୟାସନାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଆର. ରାଓ, ଅନସ୍ଲୋ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ନାୟକ, ହେଡକ୍ୱାର୍ଡ଼ର ଡ଼ିଏସପି ଦିଲ୍ଲିପ କୁମାର ଦାଶ, ଡ଼ିଆଇବି ଡ଼ିଏସପି ଅଶ୍ୱିନି କୁମାର ସାହୁ, ରିଜର୍ବ ପୋଲିସ ଇନିସପେକ୍ଟର ସୁବଳସୁରେନ୍ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ କହିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅନସ୍ଲୋ ହାଇସ୍କୁଲର ସମସ୍ତ ଶିକ୍ଷକ / ଶିକ୍ଷୟିତ୍ରୀ ଓ ଗଞ୍ଜାମ ପୋଲିସ ଜିଲ୍ଲାର ବହୁ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଅଷ୍ଟମଶ୍ରେଣୀରେ ପଢୁଥିବା ଅନସ୍ଲୋ ହାଇସ୍କୁଲର ୪୪ଜଣ ଛାତ୍ରଛାତ୍ରୀମାନଙ୍କୁ ଚୟନ କରାଯାଇ ପ୍ରଥମେ ଏହି କାର୍ଯ୍ୟକ୍ରମ ”ଏସପିସି” ସାମିଲ୍ କରାଯାଇଥିଲା ।
ରିପୋର୍ଟ : ଜିଲ୍ଳା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା