ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜଣେ ଯୁବକକୁ ଅତି ନିର୍ମମ ଭାବେ ଖଣ୍ଡାରେ ହାଣି ଫେରାର୍ ହୋଇଯାଇଥିବା ୩ ଅପରାଧୀ ପୋଲିସ ହାତରେ ଧରାପଡିଥିବା ସୂଚନା । ସୂଚନା ଅନୁଯାୟୀ, ବଡ଼ ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ଗୌଡ଼ ସାହିରେ ସୀତା ଢିମ୍ବିରା ସାହିର ଟୁଟୁ ହାତୀ ଗତ ଗୁରୁବାର ଦିନ ରାତ୍ରରେ ଘରକୁ ଫେରୁଥିବା ସମୟରେ ପୂର୍ବ ଯୋଜନା ମୁତାବକ ତିିନି ଦୁର୍ବୃତ ତାଙ୍କ ବାଇକକୁ ଅଟକାଇଥିଲେ ଏବଂ ଖଣ୍ଡାରେ ଟୁଟୁର ହାତ ସହ ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ । ଯାହା ଫଳରେ ଟୁଟୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିଲେ । ଘଟଣା ଘଟାଇ ଦୁର୍ବୃତମାନେ ଫେରାର୍ ହୋଇଯାଇଥିଲେ । ଏହାପରେ ଟୁଟୁକୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଛି । ଏହା ପରେ ଟୁଟୁଙ୍କ ସ୍ତ୍ରୀ ବଡ଼ ବଜାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନାରେ ଏକ ମାମଲା ରୁଜୁ କରି ବ୍ରହ୍ମପୁରକୁ ଚାରି ଆଡ଼େ ନାକାବନ୍ଦୀ କରି ରାତ୍ରୀକାଳୀନ ପେଟ୍ରୋଲିଂରେ ଘଟଣା ଘଟାଇଥିବା ତିନିଜଣ ଦୁର୍ବୃତଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଥିଲା । ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ବଜାର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ମାୟାଧର ସେଠୀ କହିଥିଲେ ଯେ ଟୁଟୁ ହାତୀ ଏବଂ ଅନ୍ୟ ତିନିଜଣଙ୍କ ମଧ୍ୟରେ ପୂର୍ବରୁ ବଚସା ହୋଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟାଇଛନ୍ତି ବୋଲି ପୋଲିସ ନିକଟରେ ସ୍ୱିକାର କରିଛନ୍ତି । ଅଭିଯୁକ୍ତମାନଙ୍କ ମଧ୍ୟରେ ଜଗା ଓରଫ୍ ବାୟା ହାତୀ, ଅମୂଲ୍ୟ ଘଡ଼େଇ ଏବଂ ଜଣେ ଜୁଭେନାଇଲ ରହିଛନ୍ତି ବୋଲି ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି କହିଛନ୍ତି । ସେମାନଙ୍କ ନିକଟରୁ ଦୁଇଟି ଖଣ୍ଡା ଜବତ କରାଯାଇଛି ଏବଂ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଥିଲେ । ଏଥିରେ ବଡ଼ ବଜାର ଥାନା ଅଧିକାରୀଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା