ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିର ବିଭିନ୍ନ ୱାର୍ଡରୁ ଜଳନିଷ୍କାସନ ହୋଇପାରୁନଥିବାରୁ ୱାଡମାନଙ୍କରେ ଥିବା ଘରମାନଙ୍କରେ ବର୍ଷା ଓ ନର୍ଦ୍ଦମାପାଣି ପଶୁଛି । ଏ ସଂପର୍କରେ ସ୍ଥାନୀୟ ଓ ଜିଲା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେମଧ୍ୟ ସମାଧାରନ ହେଉନଥିବାରୁ ଆସନ୍ତା ୨୦ରେ ପୌର କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ହେବ ବୋଲି ବହୁ ବ୍ୟକ୍ତି ଲିଖିତଭାବେ ଜଣାଇଛନ୍ତି । ଘଟଣାରୁ ପ୍ରକାଶ ଜଳେଶ୍ୱର ପୌରପରିଷଦର ୬, ୯, ୧୦, ୧୧ ନଂ ୱାର୍ଡରୁ ଜଳନିଷ୍କାସନର ବିଶେଷ ବ୍ୟବସ୍ଥା ନାହିଁ । ପଶ୍ଚିମବଂଗ ଅଂଚଳରୁ ବର୍ଷାପାଣି ଆସି ପୌରପରିଷଦ ଅଂଚଳରେ ପ୍ରବେଶ କରୁଥିବା ଓ ଜଳନାଳି ଗୁଡିକ ଜବରଦଖଲ କିମ୍ବା ସଂକୁଚିତ ହେଉଥିବା ଯୋଗୁଁ ଜଳନିଷ୍କାସନ ହୋଇନବାରିବା ଦୃଷ୍ଟିରୁ ଘରେ ପାଣି ପଶୁଥିବା ଜଣାଯାଇଛି । ପୌରପରିଷଦରେ ବିଶୃଙ୍ଖଳିତ ନିର୍ମାଣକାର୍ଯ୍ୟଯୋଗୁଁ ଜଳନିଷ୍କାସନ ବାଧାପ୍ରାପ୍ତ ହୋଇଥିବା କୁହାଯାଇଛି । ଗତ ୨୧-୮-୨୦୧୮ରେ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ହୋଇଥିବା ଯୋଗୁଁ ତତକାଳିନ ସ୍ଥାନୀ ପ୍ରଶାସନ ଅସ୍ଥାୟୀଭାବେ ଜଳନିଷ୍କାସନର ବ୍ୟବସ୍ଥା କରିଥିଲେ । ଚଳିତବର୍ଷ ୧୯-୮-୨୦୧୯ରେ ଅନୁରୂପଭାବେ ଜଳନିଷ୍କାସନ ହୋଇନପାରିବାରୁ ଜନସାଧାରଣଙ୍କ ଅଭିଯୋଗକ୍ରମେ ଅସ୍ଥାୟୀଭାବରେ ଜଳନିଷ୍କାସନ କରାଇଥିଲେ । କିନ୍ତୁ ମ୍ୟୁନିସିପାଲଟିର ବହୁସ୍ଥାନ ବର୍ଷାପାଣିରେ ବୁଡିଥିବାରୁ ବ୍ୟାପକ କ୍ଷତି ଘଟିଥିଲା । ୩ନଂ ୱାର୍ଡର ତନ୍ତିସାହି ଅବସ୍ଥା ଅବର୍ଣ୍ଣନୀୟ ହୋଇଥିଲା । ଏଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଉନଥିବାରୁ ଜନଅସନ୍ତୋଷ ଦେଖା ଦେଉଛି । ଗତ ୧୦ ତାରିଖରେ ଜିଲାପାଳଙ୍କ ଜନଶୁଣାଣିରେ ୪୩୪୮ ଅଭିଯୋଗ ମୂଳେ ଜଳନିଷ୍କାସନ ଲାଗି ନିବେଦନ କରାଯାଇଥିଲା । ଉପଜିଲାପାଳ ନିଲୁ ମହାପାତ୍ର ପୌରପରିଷଦର ସହକାରୀ ଯନ୍ତ୍ରୀଙ୍କୁ ଜଳନିଷ୍କାସନ ଲାଗି ତୁରନ୍ତ ପଦକ୍ଷେପ ନେବାକୁ ତାଗିଦ୍ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ । ଏବେବି ଉପରୋକ୍ତ ୱାର୍ଡ ଗୁଡିକର ରାସ୍ତାଗୁଡିକରେ ପାଣିର ସୁଅ ଛୁଟୁଛି । ପାଣି ବୁଡି ରହୁଥିବାରୁ ସେସବୁ ଅଂଚଳରେ ବିଭିନ୍ନ ପ୍ରକାର ଜ୍ୱର ଓ ଅନ୍ୟାନ ରୋଗ ବ୍ୟାପୁଛି । ଆସନ୍ତା ୨୦ତାରିଖ ସୁଦ୍ଧା ଜଳନିଷ୍କାସନଲାଗି ବ୍ୟବସ୍ଥା ନ ହେଲେ ପୌରପରିଷଦ ସମ୍ମୁଖରେ ଆମରଣ ଅନସନ ହେବ ବୋଲି ସେ ଅଂଚଳର ଯଜେ୍ଞଶ୍ୱର ପାତ୍ର, ଭବାନୀ ଶଂକର ପାତ୍ର, ପୂର୍ଣ୍ଣେନ୍ଦୁ ନନ୍ଦୀ, କବିତା ମହାପାତ୍ର, ଗୋପାଳ ଚନ୍ଦ୍ର ସାହୁ, ଗିରିଶ ଚରଣ ମହାନ୍ତି, ପରେଶ କରଣ, ଅନୀଲ ସାହୁ, ଗିରିଜା ରଣା ଲକ୍ଷ୍ମିନାରାଣ ଜେନା, ଲକ୍ଷ୍କିକାନ୍ତ ସାହୁ, ସତ୍ୟନାରାୟଣ ସାହୁ, ଅକ୍ଷୟ ଜେନା, ସୁନିଲ ଜେନା, ଅର୍ଦ୍ଧଂଶୁ ଜେନା ପ୍ରଦୀପ ଜେନା, ଅର୍ଚ୍ଚନା ଘୋଷ, ପ୍ରତୀମା ଦାସ ମହାପାତ୍ର, ଶୈଳେ ଆଚାର୍ଯ୍ୟ, ଚନ୍ଦନ ଦାସ, ରାମଶଂକର ଦତ୍ତ, ମୂରଲି ଜେନା, ସଂଯୁକ୍ତା ଜେନା ପ୍ରମୁଖ ବହୁ ବ୍ୟକ୍ତି ପୌରଅଧିକାରୀ, ତହସିଲଦାର, ବିଡିଓ, ଆଇଆଇସି, ଉପଜିଲାପାଳ, ଜିଲାପାଳ, ଜଳେଶ୍ୱର ବିଧାୟକ ଓ ବାଲେଶ୍ୱର ଲୋକସଭା ସଦସ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା