ପୌରପରିଷଦର ସଫେଇ ଘଟଣାକୁ କେନ୍ଦ୍ରକରି ଥାନାରେ ମାମଲା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପରିଷଦର ବିଭିନ୍ନ ୱାର୍ଡରେ ସଫେଇ କାର୍ଯ୍ୟ କରିବା ପାଇଁ ଏନ୍ଆଇପିଏସ୍ ଦ୍ୱାରା ପରିଚାଳିତ ଏକ ସଂସ୍ଥାକୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଉକ୍ତ ସଂସ୍ଥାେରେ ସୁଦୁର ପଶ୍ଚିମବଙ୍ଗ ଓ ରାଇବଣିଆରୁ ପ୍ରାୟ ୩୦ରୁ ୩୫ଜଣ ବ୍ୟକ୍ତି ବିଭିନ୍ନ ୱାର୍ଡରେ ସଫେଇ କାର୍ଯ୍ୟ ପ୍ରତିଦିନ କରିଥାନ୍ତି । କିଛିଦିନ ତଳେ ଜଳେଶ୍ୱର ଷ୍ଟେସନବଜାରର ଯୁବ ଆଇନଜୀବୀ ଗଣେଶ ଚନ୍ଦ୍ର ମାଇତି ଏହି ସଫେଇ କର୍ମଚାରୀଙ୍କ ମଧ୍ୟରୁ ତ୍ରିଲୋଚନ ଜେନା ଷ୍ଟେସନବଜାର ନିବାସୀ ରବି ଚୌରାସିଆ ଘରକୁ ଯିବା ରାସ୍ତାରେ ଝାଡୁ ମାରୁଥିବା ସମୟରେ ତାକୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସଂଗେ ସଂଗେ ଧମକ ଚମକ ଦେଇଥିଲେ । ଏହି ଘଟଣା ପୂର୍ବରୁ ଶ୍ରୀ ମାଇତି ସଂପୃକ୍ତ କର୍ମଚାରୀମାନଙ୍କୁ ର୍ଦୁବ୍ୟବହାର କରିବା ସଂଗେ ସଂଗେ ଜାତିଉଠାଇ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ଦାଦାବଟି ମାଗିଥିଲେ । ଏହି ଘଟଣା ସଂପର୍କରେ ସେମାନେ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଏହି ଘଟଣା ସଂପର୍କରେ ତ୍ରିଲୋଚନା ଜେନା, ମୁକୁନ୍ଦ ବେହେରା, ଶିଶିର ହେମ୍ବ୍ରମ, ପିର ସିଂ, ଶୀତଳ ଦଳେଇ, ମୋହନ ମୁର୍ମୁ, ଶକ୍ତିପଦ ରଣା, ଟିପୁ ମୁର୍ମୁ ପ୍ରମୁଖ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇଲା ପରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଯାରି ରହିଛି । ଅପର ପକ୍ଷରେ ଗଣେଶ ଚନ୍ଦ୍ର ମାଇତି ଜଳେଶ୍ୱର ପୌରପରିଷଦର ଡିଏଲ୍ଆର୍ ଡ୍ରାଇଭର ପଦ୍ମଲୋଚନ ବେହେରା ଓରଫ ବାପିଙ୍କ ସହିତ ୨୦-୨୫ଜଣ ସଫେଇ କର୍ମଚାରୀ ତାଙ୍କୁ ଜଳେଶ୍ୱର ରେଳ ଷ୍ଟେସନର ୧ନଂ ପ୍ଲାଟଫର୍ମରେ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ଠେଲାପେଲା କରିବା ସଂଗେ ସଂଗେ ୮୦୦ ଟଙ୍କା ଛଡେଇ ନେଇଥିବା ଅଭିଯୋଗ କରିଛନ୍ତି । ଏପରିକି ସେମାନେ ସଂଘବଦ୍ଧ ଭାବେ ପିଟିପିଟି ଜଳେଶ୍ୱର ଥାନାକୁ ନେଇ ଏକ ମିଥ୍ୟା ଲିଖିତ ଅଭିଯୋଗ କରିଥିଲେ । କିଛିଦିନ ତଳେ ଶ୍ରୀ ମାଇତି ବିଭିନ୍ନ ୱାର୍ଡରେ ସଠିକ୍ଭାବେ ନିୟମ ମୁତାବକ ସଫେଇ କାର୍ଯ୍ୟ ନ ହେବା ସଂପର୍କରେ ଏକ ସୂଚନା ଅଧିକାର ଆଇନ୍ ବଳରେ ନିର୍ବାହୀ ଅଧିକାରୀଙ୍କୁ ବିସ୍ତୃତ ଭାବେ ମାଗିବା ପରେ ସେମାନେ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ତାଙ୍କୁ ଆକ୍ରମଣ କରି ତାଙ୍କ ନାମରେ ମିଥ୍ୟ ଅଭିଯୋଗ କରିଛନ୍ତି ବୋଲି ଶ୍ରୀ ମାଇତି ପ୍ରକାଶ କରିଛନ୍ତି । ଏହି ଘଟଣା ସଂପର୍କରେ ଶ୍ରୀ ମାଇତି ବାଲେଶ୍ୱର ଜିଲାପାଳ, ଜଳେଶ୍ୱର ଥାନା ଆଇଆଇସି ଓ ଜଳେଶ୍ୱର ରେଳବାଇ ଫାଣ୍ଡି ଅଧିକାରୀ ସମେତ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ପୌର ପ୍ରଶାସକ ତଥା ବାଲେଶ୍ୱର ଉପଜିଲାପାଳ, କଟକ ସ୍ଥିତ ଆରକ୍ଷୀ ରେଳବାଇ ଅଧିକ୍ଷକ ଓ ଜଳେଶ୍ୱର ପୌପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡ଼ା