ଛତ୍ରପୁର (ସମୃଦ୍ଧ ଓଡିଶା) ସାରା ଦେଶରେ ଗତ ମାର୍ଚ୍ଚ ୨୨ ତାରିଖ ଠାରୁ କୋରନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକଡାଉନ ଜାରୀ କରାଯାଇଛି । ଏଥି ଯୋଗୁଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ନୀୟମ ମଧ୍ୟ ପ୍ରଣୟନ କରାଯାଇଛି । ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ସାମାଜିକ ଦୂରତା, ମାସ୍କ ଓ ଗ୍ଲୋବ୍ସ ବ୍ୟବହାର, ଗ୍ରାହକଙ୍କ ପାଇଁ ଠିକଣା ଡାଏରୀ ରଖିବା ଏବଂ ଦୋକାନ ସମ୍ମୁଖରେ ଗୋଲେଇ ଆଙ୍କିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶନାମା ଜାରି କରିବା ସହ ଏହାର ଉଲ୍ଲଂଘନ କଲେ ଦୋକାନ ସିଲ୍ କରାଯିବା ଓ ଜରିମାନା ଆଦାୟ କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଲ୍ଲେଖ କରିଥିଲେ । ଜିଲ୍ଲାର ସଦରମହକୁମା ଛତ୍ରପୁର ସହର ମେଇନ୍ ରୋଡରେ ଥିବା ସନ୍ତୋଷ ସେନାପତିଙ୍କ ଗ୍ରୋସରୀ ଦୋକାନକୁ ସାମାଜିକ ଦୂରତା ଉଲ୍ଲଂଘନ ନେଇ ମଙ୍ଗଳବାର ପୌରପରିଷଦ ପକ୍ଷରୁ ସିଲ୍ କରାଯାଇଥିବା ଛତ୍ରପୁର ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା ସୂଚନା ଦେଇଛନ୍ତି । ଦୋକାନ ସିଲ୍ କରିବା ସମୟରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଆସିଷ୍ଟାଣ୍ଡ କଲେକ୍ଟର ଅଶୋକ ପ୍ରଧାନ ଓ ଛତ୍ରପୁର ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ ଦୋରା, ଛତ୍ରପୁର ଏନଏସିର ଯୁଗଳ କିଶୋର ଦାସ, ଏସ.ଦାଲେୟା ରେଡ୍ଡୀ, ପ୍ରଭାକର ବେହେରା, ଜି.ଜଗଦୀଶ ରେଡ୍ଡୀ, କୃଷ୍ଣ ମହାପାତ୍ର ଉପସ୍ଥିତ ରହିଥିଲେ । ଏହାପରେ ଛତ୍ରପୁର ପୌରପରିଷଦ ଓ ତହସିଲ ପକ୍ଷରୁ ଏନଏସିର ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ କରାଯାଇ ମାସ୍କ ପିନ୍ଧି ନ ଥିବା ଓ ସାମାଜିକ ଦୂରତା ଉଲ୍ଲଂଘନ ନେଇ ୨୩୭୦୦ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା