ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ନିଗମରେ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଅନ୍ୟାନ୍ୟ ପ୍ରମୁଖ ଦଳ ମାନଙ୍କୁ ନିମଂତ୍ରଣ ନ କରି କେବଳ ସରକାରୀ ରାଜନୈତିକ ଦଳର ବ୍ୟକ୍ତି ବିଶେଷଙ୍କୁ ନିୟନ୍ତ୍ରଣ କରାଯିବା ଓ ଅନ୍ୟ ରାଜନୈତିକ ଦଳ ଏବଂ ବୁଦ୍ଧିଜୀବୀମାନଙ୍କୁ ସାମିଲ ନ କରି ଉତ୍ସବ ପାଳନ କରିବା ଏକ ଅଗଣତନ୍ତ୍ରିକ ଭାବନା ବୋଲି ଜିଲ୍ଲା ବିଜେପି ସଭାପତି କାହ୍ନୁ ଚରଣ ପତି ତୀବ୍ର ସମାଲୋଚନା କରିଛନ୍ତି । ଦୀର୍ଘ ଦିନ ହେଲା ବ୍ରହ୍ମପୁର ମହାନଗର ନିଗମର ନିର୍ବାଚିତ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ସରି ଯାଇଥିବାରୁ ଜଣେ ପ୍ରଶାସନିକ ଅଧିକାରୀ(ଆଇ.ଏ.ଏସ) କମିଶନର ଦାୟିତ୍ୱରେ ଥିବା ବେଳେ ପରମ୍ପରାକୁ ବଳିଦେଇ ଯେଉଁ ଭଳି ଭାବରେ ଗତ କିଛି ଦିନ ହେଲା ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକରେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନିମନ୍ତ୍ରଣ କରିବା ଓ ସରକାରୀ କଳକୁ ସୁହାଇଲା ଭଳି କାର୍ଯ୍ୟକ୍ରମଗୁଡିକ ଆୟୋଜନ କରିବା ହେଉଛି ପ୍ରଶାସନିକ ସେବା ଅଧିକାରୀଙ୍କ କୋଡ଼ ଅଫ କଣ୍ଡକ୍ଟ ର ଉଲ୍ଲଙ୍ଘନ କାର୍ଯ୍ୟ ତଥା ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ବୋଲି ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ଅନ୍ୟୁନ ପାଞ୍ଚ ଲକ୍ଷ ଜନ ସାଧାରଣଙ୍କର ଆଶା ଓ ଭରସାର ସ୍ଥଳ ହେଇଥିଲେ ମଧ୍ୟ ଯେଉଁ ଭଳି ଭାବେ ବ୍ରହ୍ମପୁର ସହରର ଉନ୍ନତି ହେବା କଥା ତାହା ଆଜି ପର୍ଯ୍ୟନ୍ତ କେବଳ କାଗଜ କଲମରେ ହିଁ ସୀମିତ ରହିଛି । ଆଜି ମଧ୍ୟ ଅସରାଏ ବର୍ଷା ହେଲେ ବ୍ରହ୍ମପୁର ସହର କୃତ୍ରିମ ହ୍ରଦସୃଷ୍ଟି କରିବା ସହ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇପଡୁଛି । ସହରର ମୌଳିକ ସୁବିଧା ତଥା ପିଇବା ପାଣି ମୁନ୍ଦାଏ ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଜାନିବିଲିରୁ ପାଣି ମୁନ୍ଦାଏ ଏଯାଏଁ ଲୋକେ ପାଇପାଇଲେ ନାହିଁ ବରଂ ସାହି ଗଳି କନ୍ଦିରେ ଥିବା ରାସ୍ତାକୁ ବ୍ୟାପକ ଭାବେ ପାଇପ ବିଛାଇବା ନାମରେ ଖନନ କରି ସ୍ୱାଭାବିକ ଜୀବନ ଯାତ୍ରାକୁ ବିପର୍ଯ୍ୟସ୍ଥ କରିପକାଇଛି । ମହାନଗରର ନାଳ ଗୁଡିକୁ ଆଜି ପର୍ଯ୍ୟନ୍ତ ପୁର୍ନରୁଦ୍ଧାର କରିବାର ଉଦ୍ୟମ ମଧ୍ୟ କରା ଯାଉ ନାହିଁ । ସହରକୁ ସ୍ୱଚ୍ଛ ରଖିବା ଆଳରେ ସଫେଇ କାର୍ଯ୍ୟକ୍ରମକୁ ଘରୋଇ କରଣ କରିବା ବାହାନାରେ ସରକାରୀ ଦଳର କିଛି ମୁଷ୍ଟିମେୟ ସ୍ୱାର୍ଥ ନ୍ୱେଷୀ ଲୋକଙ୍କ ହାତକୁ ଟେକି ଦେଇ ମୁନିସିପାଲଟି ଚୁପ ବସିଛି । ଯାହାର ପ୍ରଭାବରେ ଅସରାଏ ବର୍ଷା ହେଲେ ଜନସାଧାରଣ ଅବସ୍ଥା ଭୋଗୁଛନ୍ତି । ରାଜୀବ ଆବାସ ଯୋଜନାରେ ହୋଇଥିବା ଘର ଗୁଡିକ ଅତି ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ସେହି ଘର ପାଇଥିବା ହିତାଧିକାରୀ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି, ଏହାର ତଦନ୍ତ ମଧ୍ୟ କରାଯାଉନାହିଁ । ଲୋକଙ୍କର ହିତରେ ତିଆରି ହୋଇଥିବା କମନ ଟଇଲେଟ, ପବ୍ଲିକ ଟଇଲେଟ ଗୁଡିକ କୋଟି କୋଟି ଟଙ୍କା ବ୍ୟୟରେ ତିଆରି ହୋଇଥିଲେ ମଧ୍ୟ ଅତି ନିମ୍ନ ମାନର କାର୍ଯ୍ୟ ହୋଇଥିବା ଯୋଗୁଁ ତାହା ବ୍ୟବହାର ଉପଯୋଗୀ ହୋଇ ରହିନାହିଁ । ସେଗୁଡିକ କିଭଳି ଲୋକଙ୍କ ବ୍ୟବହାରରେ ଆସିପାରିବ ଏହା ଉପରେ ପଦକ୍ଷେପ ନେବା ସହିତ, ନିମ୍ନ ମାନର କାମ କରିଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ପାଇଁ କାହିଁକି ବ୍ରହ୍ମପୁର ମୁନିସିପାଲିଟି କୁଣ୍ଠାବୋଧ କରୁଛି ? ତାହା ସାଧାରଣ ମନରେ ପ୍ରଶ୍ନବାଚି ସୃଷ୍ଟି କରିଛି ବୋଲି ସେ କହିଛନ୍ତି । ଏପଟେ ସାଧାରଣ ଲୋକଟିଏ ବାହାରେ ପରିଶ୍ରା କଲେ ମୁନିସିପାଲଟି ଫାଇନ କରିବ ବୋଲି ଲୋକଙ୍କୁ ଡରଉଛି । ଚାଲିଥିବା ନବ ନିର୍ମାଣ ରାମଲିଙ୍ଗେଶ୍ୱର ବନ୍ଧ ଓ ପାର୍ଶ୍ୱରେ ଚାଲିଥିବା ରାସ୍ତାର ପୁର୍ନରୁଦ୍ଧାର କାର୍ଯ୍ୟ ଅତି ନିମ୍ନ ମାନର ଓ ମନ୍ଥର ଗତିରେ ଚାଲୁ ଥିଲେ ମଧ୍ୟ କେହି ସେଥିପ୍ରତି ତାଗିଦ ତଥା ଧ୍ୟାନ ଦେଉ ନ ଥିବା ରହସ୍ୟମୟ ପରିସ୍ଥିତି ସୃଷ୍ଟି କରୁଛି । ସେଇଥିପାଇଁ ଗଞ୍ଜାମ ଜିଲ୍ଲା ଭାଜପା ଦାବୀ କରୁଛି ବୋଲି ଜିଲ୍ଳା ସଭାପତି ଏକ ପ୍ରେସ ବିଜ୍ଞପ୍ତି ରେ କହିଛନ୍ତି ଯେ ବ୍ରହ୍ମପୁର ସହରର ଉନ୍ନତି ପାଇଁ ଓ ସହରରେ ଚାଲିଥିବା କାର୍ଯ୍ୟ ଗୁଡିକରେ ହେଉଥିବା ଦୁର୍ନୀତିକୁ ପ୍ରତିହତ କରିବା ପାଇଁ ପ୍ରଶାସନିକ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଯେ କୌଣସି ଲୋକହିତକର କାର୍ଯ୍ୟରେ ସବୁ ଦଳକୁ ସାମିଲ କରି ଆଲୋଚନା ମାଧ୍ୟମରେ କାର୍ଯ୍ୟ କରିବାକୁ କହିଛନ୍ତି । ବ୍ରହ୍ମପୁର ମହାନଗରରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ କେବଳ ଏକ ନିର୍ଦ୍ଦିଷ୍ଟ ସରକାରୀ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତାଙ୍କୁ ସାମିଲ ନ କରି ସମସ୍ତ ରାଜନୈତିକ ଦଳ ଓ ବୁଦ୍ଧିଜୀବୀଙ୍କୁ ସାମିଲ କଲେ ପ୍ରଗତି ନିଶ୍ଚୟ ହେବ ବୋଲି ଚେତାବନୀ ଦେବା ସହ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଏହାକୁ ନେଇ ଆନ୍ଦୋଳନ କରିବ ବୋଲି କହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା